୨୩ରେ ବିସିସିଆଇ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବେ ଗାଙ୍ଗୁଲି, ରାଜନୀତିରେ ଯୋଗଦେବେନି

୨୩ରେ ବିସିସିଆଇ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବେ ଗାଙ୍ଗୁଲି, ରାଜନୀତିରେ ଯୋଗଦେବେନି

ମୁମ୍ବାଇ: ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ହେବା ପରେ ପଶ୍ଚିମବଙ୍ଗର ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବାର ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ଚର୍ଚା ବି ଜୋର ଧରିଥିଲା। ମଙ୍ଗଳବାର ଗାଙ୍ଗୁଲି ଏଭଳି କୌଣସି ସମ୍ଭାବନାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ବିସିସିଆଇ ସଭାପତି ପଦ ପାଇଁ କୌଣସି ଚୁକ୍ତି ହୋଇ ନଥିବା ଏବଂ ମୋର ରାଜନୀତିରେ ପ୍ରବେଶ କରିବାର କୌଣସି ଯୋଜନା ନଥିବା ଗାଙ୍ଗୁଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି। ଏଭଳି ଚର୍ଚା ଉପରେ ନିଜ ମତ ରଖିବାକୁ ଯାଇ ସେ କହିଛନ୍ତି ଯେ ମୁଁ ପ୍ରଥମ ଥର ପାଇଁ ଅମିତ ଶାହଙ୍କୁ ଭେଟିଥିଲି। ବିସିସିଆଇକୁ ନେଇ ମୁଁ ତାଙ୍କୁ କୌଣସି ପ୍ରଶ୍ନ ପଚାରି ନଥିଲି। ଆମ ଭିତରେ ସେଭଳି କୌଣସି କାଥାବାର୍ତା ବି ହୋଇ ନଥିଲା। ମୁଁ ଯେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲି, ସେତେବେଳେ ମଧ୍ୟ ଏଭଳି ଚର୍ଚା ଆରମ୍ଭ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ ୨୦୨୧ ନିର୍ବାଚନରେ ମମତାଙ୍କ ବିରୋଧରେ ଜଣେ ପ୍ରଭାବଶାଳୀ ଓ ଲୋକପ୍ରିୟ ବ୍ୟକ୍ତିଙ୍କୁ ମଇଦାନଙ୍କୁ ଓହ୍ଲାଇବାକୁ ବିଜେପି ଯୋଜନା କରୁଛି। ଶାହଙ୍କୁ ଗାଙ୍ଗୁଲି ଭେଟିବା ପରେ ସେ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଅନେକ ମତ ରଖିଥିଲେ। ଶାହଙ୍କ ପୁଅ ଜୟ ଶାହ ବିସିସିଆଇର ନୂଆ ସଂପାଦକ ହେବା ଏହି ଚର୍ଚାକୁ ଦ୍ବିଗୁଣିତ କରିଥିଲା।

ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି ବିସିସିଆଇର ପରବର୍ତୀ ସଭାପତି ହେବା ଖବର ବହୁ ପୂର୍ବତନ କ୍ରିକେଟରଙ୍କୁ ଉଲ୍ଲସିତ କରିଛି। ଗାଙ୍ଗୁଲିଙ୍କୁ ଖୋଲା ସମଥର୍ନ କରିବା ସହ ଭାରତୀୟ କ୍ରିକେଟ୍ ପାଇଁ ଏହା ଏକ ନୂଆ ଯୁଗର ଆରମ୍ଭ ସଦୃଶ ବୋଲି କେତେକ ମତ ଦେଇଛନ୍ତି। ଏହି କ୍ଷେତ୍ରରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ ଅଗ୍ରଣୀ ଭୂମିକା ନେଇଛନ୍ତି। ସେହବାଗ ଟ୍ବିଟ୍ କରି ଗାଙ୍ଗୁଲିଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ କ୍ରିକେଟ୍ ପାଇଁ ଏହା ଶୁଭ ସଙ୍କେତ ବୋଲି ମତ ରଖିଛନ୍ତି ସେ। ସେହବାଗ ଲେଖିଛନ୍ତି ଶୁଭେଚ୍ଛା ଦାଦା, ଡେରି ହେଲା, ତଥାପି କିଛି ଅସୁବିଧା ନାହିଁ, ଭାରତୀୟ କ୍ରିକେଟ୍ ପାଇଁ ଏହା ଶୁଭ ସଙ୍କେତ। ଭାରତୀୟ କ୍ରିକେଟ୍ ପ୍ରତି ଆପଣ ଦେଇଥିବା ଅବଦାନର ଧାରା ଆହୁରି ଲମ୍ବା ହେଉ।
ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଲେଖିଛନ୍ତି ଯେ ଖେଳାଳିରୁ ଅଧିନାୟକ ଏବଂ ବିସିସିଆଇ ସଭାପତି, ଦାଦା ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା, ଅପଣଙ୍କ ମାର୍ଗଦର୍ଶନରେ ଭାରତୀୟ କ୍ରିକେଟ୍ ନୂଆ ସ୍ତର ଛୁଇଁବ ବୋଲି ଆଶା କରୁଛି। ଅନ୍ୟତମ ପୂର୍ବତନ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ ଗାଙ୍ଗୁଲିଙ୍କ ଏକ ଫଟୋ ପ୍ରକାଶ କରି ତା’ ତଳେ ଲେଖିଥିଲେ ବିସିସିଆଇ ସଭାପତି ପଦ ପାଇଁ ତୁମକୁ ଅଭିନନ୍ଦନ, ଆପଣଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍ ନୂଆ ସ୍ତରକୁ ଯିବ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି।

publive-image

‘ଭାରତୀୟ କ୍ରିକେଟ୍ ପାଇଁ ଶୁଭ ସଙ୍କେତ’
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ବରୁ ସବୁଠାରୁ ଧନୀ ତଥା ଶକ୍ତିଶାଳୀ କ୍ରିକେଟ୍ ବୋର୍ଡ ‘ବିସିସିଆଇ’ର ପରବର୍ତୀ ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ତେବେ ଏଥିନେଇ ଆନୁଷ୍ଠାନିକ ଘୋଷଣା ଆସନ୍ତା ୨୩ ତାରିଖରେ କରାଯିବ। ଆଉ ସେହି ଦିନ ହିଁ ସେ ନୂଆ ଦାୟିତ୍ବ ଗ୍ରହଣ କରିବେ। ନୂଆ ସଂପାଦକ ଜୟ ଶାହ, ଯୁଗ୍ମ ସଂପାଦକ ଜୟେଶ ଜର୍ଜ ଓ କୋଷାଧ୍ୟକ୍ଷ ଅରୁଣ ଧୁମଲ ମଧ୍ୟ ୨୩ ତାରିଖରେ କାର୍ଯ୍ୟାରମ୍ଭ କରିବେ। ଗାଙ୍ଗୁଲି ଅବଶ୍ୟ ମାତ୍ର ୧୦ ମାସ ପାଇଁ ସଭାପତି ପଦରେ ରହିବେ। ତେବେ ଭାରତୀୟ କ୍ରିକେଟ୍ ଦଳର ନେତୃତ୍ବ ନେବା ସହ ବିସିସିଆଇର ସଭାପତି ହେବାରେ ସେ ଦ୍ବିତୀୟ ବ୍ୟକ୍ତି ହେବେ। ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଶ୍ରେଣୀ କ୍ରିକେଟର ଉନ୍ନତିକୁ ଅଗ୍ରାଧିକାର ଦେବେ ବୋଲି ଗାଙ୍ଗୁଲି ଘୋଷଣା କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe