ଗାଙ୍ଗୁଲିଙ୍କ ଇଚ୍ଛା: ସବୁ ଶୃଙ୍ଖଳାରେ ଗୋଲାପି ଟେଷ୍ଟ୍‌

Advertisment

ଚୟନକର୍ତାଙ୍କ ପାଇଁ ୩ ବର୍ଷର କାର୍ଯ୍ୟକାଳ

ଚୟନକର୍ତାଙ୍କ ପାଇଁ ୩ ବର୍ଷର କାର୍ଯ୍ୟକାଳ

ଗାଙ୍ଗୁଲିଙ୍କ ଇଚ୍ଛା: ସବୁ ଶୃଙ୍ଖଳାରେ ଗୋଲାପି ଟେଷ୍ଟ୍‌

Sports Star

ମୁମ୍ବାଇ: ଗୋଲାପି ବଲ୍ ଟେଷ୍ଟ୍‌ ବା ଦିବା ରାତ୍ର ଟେଷ୍ଟ୍‌ର ଭବିଷ୍ୟତ ଉଜ୍ଜ୍ବଳ। ଗୋଲାପି ଟେଷ୍ଟ୍ ଲାଗି ସ୍ବଳ୍ପ ନୁହେଁ, ଦୀର୍ଘ ମିଆଦି ସୂତ୍ରରେ ବିସିସିଆଇ ‌ଯୋଜନା ପ୍ରସ୍ତୁତ କରୁଛି। ଏପରିକି ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ୍ ଦଳ ପ୍ରତ୍ୟେକ ଶୃଙ୍ଖଳାରେ ଗୋଲାପି ବଲ୍ ଟେଷ୍ଟ୍‌ ଖେଳୁ ବୋଲି ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଚାହାନ୍ତି। ଏହା ଦ୍ବାରା ଟେଷ୍ଟ୍‌ କ୍ରିକେଟ୍‌ର କମି କମି ଯାଉଥିବା ଲୋକପ୍ରିୟତା ପୁନର୍ବାର ବଢ଼ିବ ବୋଲି ଗାଙ୍ଗୁଲି ହୃଦୟଙ୍ଗମ କରିଛନ୍ତି। କୋଲ୍‌କାତାରେ ଖେଳାଯାଇଥିବା ଭାରତ-ବାଂଲାଦେଶ ପ୍ରଥମ ଦିବା ରାତ୍ର ଟେଷ୍ଟ୍‌କୁ ଦର୍ଶକ ଦେଇଥିବା ଭଲପାଇବା ମଧ୍ୟ ଗାଙ୍ଗୁଲିଙ୍କୁ ଉତ୍ସାହିତ କରିଛି। ଏକ ପତ୍ରିକାକୁ ସାକ୍ଷାତକାର ଦେଇ ଗାଙ୍ଗୁଲି କହିଛନ୍ତି ଯେ ଏଥିନେଇ ମୁଁ ବେଶ୍ ଉଲ୍ଲସିତ ଏବଂ ସକାରାତ୍ମକ ଅଛି। ମୁଁ ଭାବୁଛି ଆଗକୁ ଏହା ହିଁ ଏକମାତ୍ର ରାସ୍ତା। ସବୁ ଟେଷ୍ଟ୍‌ ନୁହେଁ, ସବୁ ଶୃଙ୍ଖଳାରେ ଅନ୍ତତଃ ଗୋଟିଏ ଗୋଲାପି ଟେଷ୍ଟ୍ ମ୍ୟାଚ୍ ଖେଳିହେବ। ଇଡେନ୍ ଗାର୍ଡେନ୍ସରେ ଗୋଲାପି ଟେଷ୍ଟ୍‌ର ସଫଳ ଆୟୋଜନ ପରେ ଦେଶର ଅନ୍ୟ ଷ୍ଟାଡିୟମ୍‌ଗୁଡ଼ିକରେ ମଧ୍ୟ ଏଥିଲାଗି ଏବେ ପ୍ରସ୍ତୁତ ଅଛନ୍ତି ବୋଲି ଗାଙ୍ଗୁଲି ଆଶାପ୍ରକାଶ କରିଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ଏହି କ୍ଷେତ୍ରରେ ତାଙ୍କୁ ସମର୍ଥନ କରିଛନ୍ତି। ତେବେ ନିୟମିତ ସୂଚୀରେ ସାମିଲ ନ କରି ଏହାକୁ ମଝିରେ ମଝିରେ ଖେଳିବା ସପକ୍ଷରେ କୋହଲି ଅଛନ୍ତି।

ଚୟନକର୍ତାଙ୍କ ପାଇଁ ୩ ବର୍ଷର କାର୍ଯ୍ୟକାଳ
ଏମ୍‌ଏସ୍‌କେ ପ୍ରସାଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜାତୀୟ କ୍ରିକେଟ୍ ଚୟନ ସମିତି ନିଯୁକ୍ତି ପ୍ରକ୍ରିୟା ଏବଂ ଏହାର ଅବଧିରେ ବ୍ୟପକ ଅଦଳବଦଳ କରିବାକୁ ବିସିସିଆଇ ପ୍ରସ୍ତୁତ ହେଉଛି। ପାଞ୍ଚ ବର୍ଷ ପରିବର୍ତେ ଚୟନକର୍ତାଙ୍କୁ ୩ ବର୍ଷର କାର୍ଯ୍ୟକାଳ ପ୍ରଦାନ କରିବାକୁ ନୂଆ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଇଚ୍ଛୁକ ଥିବା ଜଣାପଡ଼ିଛି। ଏଥିନେଇ ଗାଙ୍ଗୁଲି କହିଛନ୍ତି ଯେ ବିଶ୍ବକପ୍‌କୁ ଆଖି ଆଗରେ ରଖି ପୂର୍ବରୁ ଚୟନକର୍ତାଙ୍କ କାର୍ଯ୍ୟକାଳ ୪ ବର୍ଷ କରାଯାଇଥିଲା। ଏବେ କିନ୍ତୁ ଏହା ଅତୀତର କଥା। ସମିତିକୁ ସତେଜ ଏବଂ ସମୟ ଉପଯୋଗୀ କରିବା ଲାଗି ତିନି ବର୍ଷର କାର୍ଯ୍ୟକାଳ ବ୍ୟବସ୍ଥା ଗ୍ରହଣ କରାଯାଇପାରେ। ଏହା ପୂର୍ବରୁ ବିସିସିଆଇର ପରିଚାଳନା ଲାଗି ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ କରିଥିବା ପ୍ରଶାସନିକ ସମିତି (ସିଓଏ) ଚୟନକର୍ତାଙ୍କ କାର୍ଯ୍ୟକାଳକୁ ୫ ବର୍ଷକୁ ବଢ଼ାଇ ଦେଇଥିଲେ। ହେଲେ ଗାଙ୍ଗୁଲି ଦାୟିତ୍ବ ଗ୍ରହଣ କରିବା ପରେ ଏହାକୁ ୪ ବର୍ଷକୁ କମାଇ ଦିଆଯାଇଛି। ଆଗକୁ ଏହି ଅବଧିକୁ ଆହୁରି ଏକ ବର୍ଷ କମାଇ ଦେବାକୁ ଯୋଜନା ଚାଲିଛି। ପ୍ରସାଦ ଏବଂ ଅନ୍ୟତମ ଚୟନକର୍ତା ଗଗନ ଖୋଦା ୨୦୧୫ରେ ଜାତୀୟ ଚୟନକର୍ତା ହୋଇଥିଲେ। ଯତୀନ ପରଞ୍ଜପେ, ସରଣଜୀତ ସିଂହ ଓ ଦେବାଙ୍ଗ ଗାନ୍ଧୀ ୨୦୧୬ରେ ଦାୟିତ୍ବ ନେଇଥିଲେ। ହେଲେ ଏମାନଙ୍କ କାର୍ଯ୍ୟକାଳକୁ ବଢ଼ାଯିବ ନାହିଁ ବୋଲି ଗାଙ୍ଗୁଲି ପୂର୍ବରୁ କହି ସାରିଛନ୍ତି। ଦକ୍ଷିଣାଞ୍ଚଳରୁ ପ୍ରସାଦଙ୍କ ସ୍ଥାନ କିଏ ନେବ? ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ପୂର୍ବତନ ସ୍ପିନର ଲକ୍ଷ୍ମଣ ଶିବରାମକୃଷ୍ଣନ୍ ଏହି ଦୌଡ଼ରେ ଆଗୁଆ ଥିବା ଜଣାପଡ଼ିଛି। ଦିଲୀପ ଭେଙ୍ଗସରକାର ମଧ୍ୟ ଆଗ୍ରହୀ ଅଛନ୍ତି। ତେବେ ତାଙ୍କୁ ଏଥିଲାଗି ଆହୁରି ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। କାରଣ ପଶ୍ଚିମାଞ୍ଚଳରୁ ପରଞ୍ଜପେଙ୍କ କାର୍ଯ୍ୟକାଳ ଏବେ ସରି ନାହିଁ। କେନ୍ଦ୍ରାଞ୍ଚଳରୁ ଖୋଦାଙ୍କ ସ୍ଥାନ କିଏ ନେବ, ସେକଥା ଏବେ ସ୍ପଷ୍ଟ ହୋଇ ନାହିଁ। ଉତ୍ତର ପ୍ରଦେଶର ଜ୍ଞାନେନ୍ଦ୍ର ପାଣ୍ଡେଙ୍କ ନାଁ କିନ୍ତୁ ଏଥିଲାଗି ଚର୍ଚାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe