ପୂଜାରା ଓ ରାହାଣେଙ୍କୁ ଗାଙ୍ଗୁଲିଙ୍କ ପରାମର୍ଶ: ଫର୍ମ ପାଇଁ ରଣଜୀ ଖେଳ, ରନ୍‌ କର

ପୂଜାରା ଓ ରାହାଣେଙ୍କୁ ଗାଙ୍ଗୁଲିଙ୍କ ପରାମର୍ଶ: ଫର୍ମ ପାଇଁ ରଣଜୀ ଖେଳ, ରନ୍‌ କର

Cricket Addictor

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ପ୍ରାୟ ଦୁଇ ବର୍ଷର ବାଧାବିଘ୍ନ ପରେ ଭାରତୀୟ ଘରୋଇ କ୍ରିକେଟ୍‌ରେ ରଣଜୀ ଟ୍ରଫି ଫେରିବାର କ୍ଷେତ୍ର ପ୍ରସ୍ତୁତ ହୋଇଯାଇଛି। ଭାରତର ଏହି ପ୍ରମୁଖ ଘରୋଇ ପ୍ରତିଯୋଗିତା ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଖେଳାଯିବ। ଚଳିତ ମାସରେ ପ୍ରଥମ ପର୍ଯ୍ୟାୟ ଖେଳାଯିବା ପରେ ଆଇପିଏଲ୍‌ ପରେ ନକ୍‌ଆଉଟ୍‌ ପର୍ଯ୍ୟାୟ ଖେଳାଯିବ। ଏଥିପାଇଁ ସମୟ ବାହାର କରିବା ବିସିସିଆଇ ପାଇଁ ବଡ଼ ଅହ୍ବାନ ହୋଇଛି। ତଥାପି ପେସାଗତ ଏବଂ ଆର୍ଥିକ ଦୃଷ୍ଟିକୋଣରୁ କ୍ଷତିଗ୍ରସ୍ତ ହୋଇଥିବା ଘରୋଇ କ୍ରିକେଟର୍‌ଙ୍କ ପାଇଁ ସମ୍ମାନ ସ୍ବରୂପ ବିସିସିଆଇ ରଣଜୀ ଟ୍ରଫି ଆୟୋଜନ ପାଇଁ ନିଷ୍ପତ୍ତି ନେଇଛି।

କାରଣ ବର୍ଷ ବର୍ଷ ଧରି ରଣଜୀ ଟ୍ରଫି ହିଁ ଭାରତୀୟ କ୍ରିକେଟ୍‌କୁ ଦକ୍ଷ ଖେଳାଳି ଭେଟି ଦେଇଛି। ଫଳରେ ଏଥର ସଂସ୍କରଣ ଭାରତୀୟ କ୍ରିକେଟ୍‌ର ପରବର୍ତୀ ପିଢ଼ିକୁ ସେମାନଙ୍କ ଚମକ ଦେଖାଇବାର ବାଟ ଖୋଲିଦେଇଛି। ଏଥର ରଣଜୀ ମଧ୍ୟ କିଛି ନିର୍ଦିଷ୍ଟ ପୁରୁଖା ଖେଳାଳିଙ୍କ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଆନ୍ତର୍ଜାତିକ ସ୍ତରରେ ଫିକା ପଡ଼ିଯାଇଥିବା ଏଭଳି କେତେକ ଖେଳାଳି ଫର୍ମ ଫେରିପାଇବା ପାଇଁ ରଣଜୀ ଟ୍ରଫିରେ ଖେଳିବାର ଦେଖାଯିବେ। ସେଭଳି ନିର୍ଦିଷ୍ଟ ଖେଳାଳିଙ୍କ ମଧ୍ୟରେ ଦୁଇ ପୁରୁଖା ଖେଳାଳି ଚେତେଶ୍ବର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେ ରହିବେ। ଏହି ଦୁଇ ଭେଟେରାନ୍‌ ତାରକା ଆନ୍ତର୍ଜାତିକ ସ୍ତରରେ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି। ଏପରିକି ସେମାନଙ୍କ ଆନ୍ତର୍ଜାତିକ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି ଉଭୟ ପୂଜାରା ଓ ରାହାଣେଙ୍କୁ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି। ଅତୀତରେ ଭାରତୀୟ ଦଳ ପାଇଁ ସମ୍ପତ୍ତି ପାଲଟିଥିବା ପୂଜାରା ଓ ରାହାଣେଙ୍କୁ ଆନ୍ତର୍ଜାତିକ ଦୃଶ୍ୟପଟ୍ଟରୁ ହଜିଯିବା ପୂର୍ବରୁ ସେମାନଙ୍କୁ ରଣଜୀ ଟ୍ରଫି ଖେଳାଇ ପ୍ରତ୍ୟାବର୍ତନ ସୁଯୋଗ ଦେବାକୁ ଗାଙ୍ଗୁଲି ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ରଣଜୀ ଟ୍ରଫିକୁ ଯାଅ, ଖେଳ ଏବଂ ପ୍ରଚୁର ରନ୍‌ କରି ଫର୍ମର ପ୍ରମାଣ ଦିଅ ବୋଲି ଗାଙ୍ଗୁଲି ପରାମର୍ଶ ଦେଇଛନ୍ତି।

ଏଥିପାଇଁ ନିଜ ଖେଳ ଜୀବନରେ ଘଟିଥିବା କିଛି ଘଟଣାର ଉଦାହରଣ ମଧ୍ୟ ଗାଙ୍ଗୁଲି ରଖିଛନ୍ତି। ୨୦୦୫ରେ ମୋତେ ଯେତେବେଳେ ଭାରତୀୟ ଦଳରୁ ବାଦ୍‌ ଦିଆଯାଇଥିଲା ସେତେବେଳେ ମୁଁ ଭାଙ୍ଗି ପଡ଼ିନଥିଲି। ବରଂ ଏହାକୁ ଆହ୍ବାନ ଭାବେ ଗ୍ରହଣ କରି ଫର୍ମ ‌ଫେରିପାଇବା ପାଇଁ ରଣଜୀ ଟ୍ରଫି ଖେଳିଥିଲି। ରଣଜୀରେ ମଧ୍ୟ ବିପୁଳ ରନ୍‌ ସଂଗ୍ରହ କରି ଜୋର୍‌ଦାର ଭାବେ ଜାତୀୟ ଦଳକୁ ଫେରିଥିଲି। ତେଣୁ ପୂଜାରା ଏବଂ ରାହାଣେ ମଧ୍ୟ ସେହିପରି ରଣଜୀକୁ ଯାଇ ବିପୁଳ ରନ୍‌ କରିପାରିବେ ବୋଲି ଗାଙ୍ଗୁଲି ଆଶା ରଖିଛନ୍ତି। ଉଭୟେ ଖୁବ୍‌ ଭଲ ଖେଳାଳି। ମୁଁ ଦୃଢ଼ ନିଶ୍ଚିତ ଯେ ସେମାନେ ରଣଜୀ ଟ୍ରଫିରେ ରନ୍‌ କରି ଫର୍ମ ଫେରିପାଇବେ। ବହୁ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବା ପରେ ରଣଜୀ ଟ୍ରଫିକୁ ଫେରିବାରେ ସେଭଳି କୌଣସି ସମସ୍ୟା ରହିବ ନି ବୋଲି ଗାଙ୍ଗୁଲି ପରାମର୍ଶ ଦେଇଛନ୍ତି। ରଣଜୀ ଟ୍ରଫି ହେଉଛି ଏକ ବୃହତ୍‌ ପ୍ରତିଯୋଗିତା। ଆମେ ସମସ୍ତେ ସେହି ପ୍ରତିଯୋଗିତା ଖେଳିଛୁ ବୋଲି ଗାଙ୍ଗୁଲି କହିଛନ୍ତି। ତେଣୁ ଭଲ ପ୍ରଦର୍ଶନ କରିବା ପାଇଁ ପୂଜାରା ଓ ରାହାଣେ ରଣଜୀକୁ ଫେରିବା ଆବଶ୍ୟକ। ଯେତେବେଳେ ସେମାନେ କେବଳ ଟେଷ୍ଟ୍‌ ଖେଳୁଥିଲେ ସେତେବେଳେ ରଣଜୀ ଟ୍ରଫି ଖେଳିଛନ୍ତି। ତେଣୁ ଏବେ ଖେଳିଲେ କିଛି ସମସ୍ୟା ନାହିଁ ବୋଲି ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe