ଏସ୍‌ଜେଏଫ୍‍ଆଇ ପଦକ ଓ ସଦସ୍ୟତା ଗ୍ରହଣ କଲେ ଗାଭାସ୍କର ଓ ଶାସ୍ତ୍ରୀ

ଏସ୍‌ଜେଏଫ୍‍ଆଇ ପଦକ ଓ ସଦସ୍ୟତା ଗ୍ରହଣ କଲେ ଗାଭାସ୍କର ଓ ଶାସ୍ତ୍ରୀ

ଭୁବନେଶ୍ବର: ମଙ୍ଗଳବାର ଏକ ଭବ୍ୟ ଉତ୍ସବରେ ଭାରତୀୟ କ୍ରିକେଟର ଦୁଇ କିଂବଦନ୍ତି ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ଏସ୍‌ଜେଏଫ୍‍ଆଇ (ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ)ର ବିଶେଷ ସମ୍ମାନ ଗ୍ରହଣ କରିଛନ୍ତି। ଏସ୍‌ଜେଏଫ୍‍ଆଇ ପକ୍ଷରୁ ପ୍ରତିବର୍ଷ କିଛି କିଂବଦନ୍ତି ଖେଳାଳିମାନଙ୍କୁ ସମ୍ମାନିତ କରାଯାଇଥାଏ। ତିରୁଅନନ୍ତପୁରମ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‍ ପାଇଁ ଟେଲିଭିଜନ ଭାଷ୍ୟକାର ଭାବରେ ଦୁହେଁ ଉପସ୍ଥିତ ଥିବା ଅବସରରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ରବି ଶାସ୍ତ୍ରୀଙ୍କୁ ଗଣମାଧ୍ୟମ ଅବଦାନ ପାଇଁ ଏସ୍‌ଜେଏଫ୍‍ଆଇର ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା। ଗତ ୩ ବର୍ଷ ଧରି ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ଦେଶର ପ୍ରମୁଖ ଖେଳାଳିଙ୍କୁ ଏକ ସ୍ୱତନ୍ତ୍ର ସ୍ୱର୍ଣ୍ଣ ପଦକ ପ୍ରଦାନ କରୁଛି। ପୂର୍ବରୁ ବିଜୟ ଅମୃତରାଜ ଓ ପ୍ରକାଶ ପାଦୁକୋନକୁ ଏହି ପଦକ ପ୍ରଦାନ କରାଯାଇଥିବା ବେଳେ ମଙ୍ଗଳବାର ଏହାକୁ ଗ୍ରହଣ କରିଥିଲେ ଗାଭାସ୍କର। ଏଥି ସହ ଏସ୍‌ଜେଏଫ୍‍ଆଇର ଆଜୀବନ ସଦସ୍ୟ ଭାବେ ମଧ୍ୟ ତାଙ୍କୁ ଗ୍ରହଣ କରାଯିବା ବିଷୟ ଘୋଷଣା ହୋଇଥିଲା।

ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ସଭାପତି ଏ ବିନୋଦ, ଉପସଭାପତି ସମ୍ବିତ ମହାପାତ୍ର, ସମ୍ପାଦକ ପ୍ରଶାନ୍ତ କେନି, ଆର କୌଶିକ, ଏସ୍‍ ସବାନାୟକନ୍‍, ଜି ବିଶ୍ୱନାଥ, ଦେବେନ୍ଦ୍ର ପାଣ୍ଡେ, ନିଲେଶ ଦେଶପାଣ୍ଡେ ଏବଂ ସୁପ୍ରଭାତ ଉପସ୍ଥିତ ଥିଲେ। ବିସିସିଆଇର ପୂର୍ବତନ ସମ୍ପାଦକ ଏସ୍‌କେ ନାୟାର ଉଭୟ ଗାଭାସ୍କର ଓ ଶାସ୍ତ୍ରୀଙ୍କୁ ସମ୍ମାନ ପ୍ରଦାନ କରିଥିଲେ। ନିଜ ଅଭିଭାଷଣରେ ଗାଭାସ୍କର ଓ ଶାସ୍ତ୍ରୀ ସେମାନଙ୍କ ଜୀବନରେ କ୍ରୀଡ଼ା ସାମ୍ବାଦିକଙ୍କର ରହିଥିବା ବିଶେଷ ଅବଦାନ ବାବଦରେ କହିଥିଲେ। କିପରି ନିଜ ନିଜ ଲେଖା ଓ ଫଟୋ ସେବେଠାରୁ ସେମାନେ ସାଇତି ରଖିଛନ୍ତି ପ୍ରକା‌ଶ କରିଥିଲେ। କ୍ରୀଡ଼ା ସାମ୍ବାଦିକ ଓ ଖେଳାଳିଙ୍କ ମଧ୍ୟରେ ପୂର୍ବରୁ ପ୍ରଚଣ୍ଡ ବିଶ୍ୱାସ ଥିଲା। ହେଲେ ବର୍ତ୍ତମାନ ସେହି ବିଶ୍ୱାସ ଟିକିଏ କମୁଛି ବୋଲି ଗାଭାସ୍କର କହିବା ସାଙ୍ଗକୁ ଦେଶରେ ଖେଳର ପ୍ରକୃତ ବିକାଶ ପାଇଁ ଖେଳାଳି, କ୍ରୀଡ଼ା ପ୍ରଶାସକ ଏବଂ କ୍ରୀଡ଼ା ସାମ୍ବାଦିକ ଏକାଠି ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe