The Indian Nation
ବେଙ୍ଗାଲୁରୁ, ୧୧ା୩: ଆସନ୍ତାକାଲିଠାରୁ ଏଠାରେ ଶ୍ରୀଲଙ୍କା ବିପକ୍ଷ ଗୋଲାପି ବଲ୍ (ଦିବାରାତ୍ର) ଟେଷ୍ଟ ଖେଳିବ ଭାରତ। ଏହି ଟେଷ୍ଟ ପୂର୍ବରୁ କିଂବଦନ୍ତି ସୁନିଲ ଗାଭାସ୍କର ଅଧିନାୟକ ରୋହିତ ଶର୍ମାଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ରୋହିତ ପୁଲ୍ ସଟ୍ ଖେଳିବାକୁ ଯାଇ ବାରମ୍ବାର ବଡ଼ ସ୍କୋର୍ରୁ ବଞ୍ଚିତ ହେଉଛନ୍ତି। ଏହି ସଟ୍ ରୋହିତଙ୍କ ସର୍ବାଧିକ ପସନ୍ଦ ରହିଥିଲେ ମଧ୍ୟ ପ୍ରାୟ ସମୟରେ ଏଥିପାଇଁ ତାଙ୍କୁ ୱିକେଟ୍ ହରାଇବାକୁ ପଡୁଛି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ମଧ୍ୟ ଏଭଳି ଆଉଟ୍ ହେବା ଦେଖାଯାଇଥିଲା। ଲାହିରୁ କୁମାରଙ୍କ ପ୍ରଥମ ଦୁଇ ବଲ୍କୁ ଲାଗ ଲାଗ ଚୌକା ମାରିବା ପରେ ମଧ୍ୟ ସେ ପୁଲ୍ ସଟ୍ ଖେଳିବାରୁ ବିରତ ହୋଇନଥିଲେ। ଫଳରେ ଚତୁର୍ଥ ବଲ୍କୁ ସିଧା ଲଙ୍ଗ୍ଅନ୍ ଅଞ୍ଚଳକୁ ପୁଲ୍ କରିଥିଲା ବେଳେ ଧରାପଡ଼ିଯାଇଥିଲେ। ଏହି ଦୃଷ୍ଟିରୁ ରୋହିତ କୌଣସି ଟେଷ୍ଟ ପାଳିର ପ୍ରାରମ୍ଭିକ ପର୍ଯ୍ୟାୟରେ ଏଭଳି ସଟ୍ ନଖେଳନ୍ତୁ ବୋଲି ଗାଭାସ୍କର ପରାମର୍ଶ ଦେଇଛନ୍ତି। ବିଶେଷକରି ସେଟ୍ ନହେବା ପର୍ଯ୍ୟନ୍ତ ପୁଲ୍ ସଟ୍ରୁ କ୍ଷାନ୍ତ ରହିଲେ ତାଙ୍କ ପାଇଁ ଲାଭ ହେବ ବୋଲି ରୋହିତଙ୍କୁ ପରାମର୍ଶ ଦେଇଛନ୍ତି। ଗାଭାସ୍କରଙ୍କ କହିବା କଥା ହେଲା ତୁମେ ୮୦, ୯୦ କିମ୍ବା ୧୦୦ ରନ୍ ନକରିବା ପର୍ଯ୍ୟନ୍ତ ପୁଲ୍ ସଟ୍କୁ ଶୀତଳଭଣ୍ଡାରରେ ରଖିଦିଅ। ଏହାପରେ ସେଭଳି ସଟ୍ ଖେଳ ବୋଲି ରୋହିତଙ୍କୁ ପରାମର୍ଶ ଦେଇଛନ୍ତି ଗାଭାସ୍କର।
ସୂଚନାଯୋଗ୍ୟ, ରୋହିତ ଶ୍ରୀଲଙ୍କା ବିପକ୍ଷ ପ୍ରଥମ (ମୋହାଲି) ଟେଷ୍ଟରେ ୨୮ ବଲ୍ରୁ ୨୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେଣୁ ନିଜର ୪ ଟେଷ୍ଟ ମ୍ୟାଚ୍ରୁ ଗୋଟିଏ ପାଳିରେ ପ୍ରଥମ ଥର ପାଇଁ ଅର୍ଦ୍ଧଶତକରୁ ମଧ୍ୟ ବଞ୍ଚିତ ରହିଥିଲେ। ଫଳରେ ତାଙ୍କୁ ଏବେ ଆଉଟ୍ର ପ୍ରତିଶତ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏହା ଭାବିଲେ ହିଁ ସେ ସଜାଡ଼ି ହୋଇଯିବେ। ପ୍ରଥମେ ତୁମେ ସେଟ୍ ହୋଇଯାଅ, ତା’ପରେ ପୁଲ୍ ସଟ୍ ଖେଳିଲେ ଫାଇଦା ହେବ। ସେଥିପାଇଁ ନିହାତି ୮୦, ୯୦ ଓ ୧୦୦ ରନ୍ କରିବା ପର୍ଯ୍ୟନ୍ତ ସେଭଳି ସଟ୍କୁ ଶୀତଳଭଣ୍ଡାରରେ ରଖିଦେଲେ ଭଲ ହେବ ବୋଲି ରୋହିତଙ୍କୁ କହିଛନ୍ତି ଗାଭାସ୍କର।
କ୍ରିକେଟ୍ କଥନ
ବେଙ୍ଗାଲୁରୁ ଟେଷ୍ଟ୍ ପାଇଁ ଏକମାତ୍ର ଭାରତୀୟ ଦଳର ବିତର୍କିତ ସ୍ଥାନ ହେଉଛି ୧୧ ନମ୍ବର। ଜୟନ୍ତ ଯାଦବଙ୍କ ସ୍ଥାନରେ ଅକ୍ଷର ପଟେଲ୍ କିମ୍ବା ମହମ୍ମଦ ସିରାଜଙ୍କୁ ମିଳିବ ସୁଯୋଗ: ୱାସିମ୍ ଜାଫର
କୁଲଦୀପ ଯାଦବଙ୍କୁ ଦଳରୁ ବାଦ୍ ଦିଆଯାଇନାହିଁ। ଦୀର୍ଘଦିନ ଧରି ଜୈବ ବଳୟ ଭିତରେ ଥିବାରୁ ମାନସିକ ସ୍ଥିତି ଦୃଷ୍ଟିରୁ ତାଙ୍କୁ ବିଶ୍ରାମ ଦିଆଯାଇଛି: ଯଶପ୍ରୀତ୍ ବୁମରା
ମୁଁ ଏବେ ବି ଜଣେ ୧୯ ବର୍ଷୀୟ ବୋଲର ଭଳି ଦ୍ରୁତ ଗତିରେ ବୋଲିଂ କରିପାରିବି, ମୋତେ କିନ୍ତୁ ରଣଜୀ ଟ୍ରଫିରେ ବିଦାୟୀ ମ୍ୟାଚ୍ରୁ ବଞ୍ଚିତ କରାଗଲା: ସାନ୍ତାକୁମାରନ୍ ଶ୍ରୀଶାନ୍ତ
Follow Us