ଗାଭାସ୍କର ଉତ୍ତର ମେରୁ ହେଲେ ମୁଁ ଦକ୍ଷିଣ: ଶ୍ରୀକାନ୍ତ

ଗାଭାସ୍କର ଉତ୍ତର ମେରୁ ହେଲେ ମୁଁ ଦକ୍ଷିଣ: ଶ୍ରୀକାନ୍ତ

ବେଙ୍ଗାଲୁରୁ: ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର ଓ ବିସ୍ଫୋରକ କୃଷ୍ଣମଚାରି ଶ୍ରୀକାନ୍ତଙ୍କ ପ୍ରାରମ୍ଭିକ ଯୋଡ଼ି ଭାରତୀୟ କ୍ରିକେଟ୍ ଦଳକୁ ଅନେକ ମ୍ୟାଚ୍ ଜିତାଇଛନ୍ତି। ପ୍ରାରମ୍ଭିକ ଯୋଡ଼ି ଭାବେ ଉଭୟ ନିଜ ସମୟରେ ଆଶାତୀତ ସଫଳତା ପାଇଥିଲେ। ତେବେ ଭିନ୍ନ ବ୍ୟକ୍ତିତ୍ବର ଅଧିକାରୀ ହେବା ସହ ବିପରୀତ ଖେଳିବା ଶୈଳୀ ପାଇଁ ଏହା ସମ୍ଭବ ହୋଇଥିଲା ବୋଲି ‘କ୍ରିକେଟ୍ କନେକ୍ଟେଡ୍’ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଶ୍ରୀକାନ୍ତ ମତ ପ୍ରକାଶ କରିଛନ୍ତି। ଗାଭାସ୍କରଙ୍କ ସହ ବ୍ୟାଟିଂ କରିବାର ସେହି ପୁରୁଣା ଦିନକୁ ମନେ ପକାଇ ଶ୍ରୀକାନ୍ତ କହିଛନ୍ତି ‘‘ ମୁଁ ୧୯୮୧ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲି। ଅଶି ଦଶକରେ ମୋ ଭଳି ଖେଳ କେହି ଖେଳୁ ନଥିଲେ। ଯେତେବେଳେ ଯିଏ ବି ଦେଖୁଥିଲେ, ସିଏ କହୁଥିଲେ ଏହି ବ୍ୟାଟ୍ସମ୍ୟାନ୍ ଜଣକ କିଏ? ଯିଏ କ୍ରସ୍ ବ୍ୟାଟ୍‌ରେ ଖେଳୁଛନ୍ତି, ମୁଣ୍ଡ ଉପର ଦେଇ ସଟ୍ ମାରୁଛନ୍ତି ଏବଂ କ୍ରିକେଟ୍ କୌଶଳ ବିଷୟରେ ଆଦୌ ଚିନ୍ତା କରୁନାହାନ୍ତି। ଅନ୍ୟ ପକ୍ଷରେ ଗାଭାସ୍କର ସବୁ କଥା ନିୟମ ଭିତରେ କରନ୍ତି। ସେ ଅତୁଳନୀୟ ବୈଷୟିକ କୌଶଳର ଅଧିକାରୀ।

ଗାଭାସ୍କର ଅତି ସହଜରେ କଷ୍ଟକର ବଲଗୁଡ଼ିକୁ ଛାଡ଼ି ଦେଉଥିଲେ। କଥାରେ ଅଛି ବିପରୀତ ମେରୁ ପରସ୍ପରକୁ ଆକର୍ଷିତ କରନ୍ତି। ଗାଭାସ୍କର ଉତ୍ତର ମେରୁ ହେଲେ ମୁଁ ଦକ୍ଷିଣ ମେରୁ।’’ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ପୂର୍ବତନ ଭାରତୀୟ କ୍ରିକେଟର ସଦଗୋପନ ରମେଶ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନଙ୍କୁ ସବା ଉପରେ ରଖିଥିଲେ। ହେଡେନଙ୍କୁ ସେ ଜଣେ ମହାନ ଖେଳାଳି ଭାବେ ବର୍ଣ୍ଣନା କରିଥିଲେ। ସୌରଭ ଗାଙ୍ଗୁଲିଙ୍କ ଶେଷ ଟେଷ୍ଟ୍‌ରେ ଟେଷ୍ଟ୍ ପଦାର୍ପଣ କରିଥିବା ମୁରଲୀ ବିଜୟ କହିଥିଲେ ଯେ ଯେକୌଣସି ନୂଆ ଖେଳାଳିଙ୍କ ପାଇଁ ପ୍ରଥମ ୧୦ ମ୍ୟାଚ୍ ମହତ୍ବପୂର୍ଣ୍ଣ ହୋଇଥାଏ। ଡ୍ରେସିଂ ରୁମ୍‌ର ପରିବେଶ ବୁଝିବା ସହ ନିଜ ପାଇଁ ସମ୍ମାନସ୍ପଦ ସ୍ଥାନ ହାସଲ କରିବା ଲାଗି ଅନ୍ୟୁନ ଏତିକି ମ୍ୟାଚ୍ ଦରକାର। ଡ୍ରେସିଂ ରୁମ୍‌ର ପରିବେଶ କେବଳ ଅନ୍ତର୍ଜାତୀୟ ନୁହେଁ, ଯେ କୌଣସି ସ୍ତରୀୟ କ୍ରିକେଟରଙ୍କ ପାଇଁ ଢେର ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe