କ୍ୱାର୍ଟରରେ ଜର୍ମାନି, ଆମେରିକା

Advertisment

ପଦାର୍ପଣରେ ଭାରତକୁ ଶେଷ ସ୍ଥାନ

ପଦାର୍ପଣରେ ଭାରତକୁ ଶେଷ ସ୍ଥାନ

କ୍ୱାର୍ଟରରେ ଜର୍ମାନି, ଆମେରିକା

ନୂଆଦିଲ୍ଲୀ: ୟୁରୋପୀୟ ରାଷ୍ଟ୍ର ଜର୍ମାନି ପ୍ରଥମ ଦଳ ଭାବେ ଚଳିତ ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଫୁଟ୍‌ବଲ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଖେଳିଥିବା ପ୍ରଥମ ପ୍ରି-କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ କଲମ୍ବିଆକୁ ଏକତରଫା ଭାବେ ୪-୦ ଗୋଲ୍‌ରେ ପରାସ୍ତ କରି ଏହି ସଫଳତା ଲାଭ କରିଛି। ରବିବାର ଦିନ କୋଲକାତାରେ ଖେଳା ଯିବାକୁ ଥିବା କ୍ୱାର୍ଟର ଫାଇନାଲ୍‌ରେ ଜର୍ମାନି ପୂର୍ବ ବିଜେତା ବ୍ରାଜିଲ-ହଣ୍ଡୁରାସ ପ୍ରି-କ୍ୱାର୍ଟର ମ୍ୟାଚ୍‌ର ବିଜେତାକୁ ଭେଟିବ। ଏହି ମ୍ୟାଚ୍‌ ବୁଧବାର ଖେଳା ଯିବ। ସେହିଭଳି ଆଜିର ଦ୍ୱିତୀୟ ମୁକାବିଲାରେ ପାରାଗୁଏକୁ ୫-୦ ଗୋଲ୍‌ରେ ଧରାଶାୟୀ କରି ଆମେରିକା ମଧ୍ୟ କ୍ୱାର୍ଟର ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ପ୍ରଥମାର୍ଧରେ ଦୁଇଟି ଗୋଲ୍‌ ଦେଇଥିବା ଆମେରିକା ଦ୍ୱିତୀୟାର୍ଧରେ ଆଉ ତିନିଟି ଗୋଲ୍‌ ଦେଇ ଜବରଦସ୍ତ ବିଜୟ ହାସଲ କରିଥିଲା। ଅନ୍ୟପଟେ ଅସହାୟ ପାରାଗୁଏ ଖେଳାଳିମାନେ କେବଳ ଦେଖଣାହାରି ସାଜିଥିଲେ।
ଜର୍ମାନି ବିଜୟରେ ଅଧିନାୟକ ଜାନ୍‌-ଫିଏଟେଆର୍ପ ପ୍ରମୁଖ ଭୂମିକା ତୁଲାଇଥିଲେ। କଲମ୍ବିଆ ଗୋଲ୍‌ ରକ୍ଷକ କେଭିନ ମିଲରଙ୍କ ଅଳସୁଆମି ପାଇଁ ଜର୍ମାନି ସପ୍ତମ ମିନିଟ୍‌ରେ ଆଗୁଆ ହୋଇ ଯାଇଥିଲା। ମିଲର ମନ୍ଥର ଗତିରେ ଆସିଥିବା ଏକ ଫ୍ରି-କିକ୍‌କୁ ଧରି ନପାରିବା ପରେ ନିକଟରେ ପଇଁତିରା ମାରୁଥିବା ଆର୍ପ ଏହାକୁ ଚତୁରତାର ସହ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ନିଜ ଦଳକୁ ଆଗୁଆ କରି ଦେଇଥିଲେ। କଲମ୍ବିଆ ଏହି ଗୋଲ୍‌କୁ ଶୁଝିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲା। ବରଂ ୩୯ ମିନିଟ୍‌ରେ ୟାନ୍‌ ବିସେକ ଆଉ ଏକ ଚମତ୍କାର ଗୋଲ୍‌ ଦେବା ପରେ ପ୍ରଥମାର୍ଧ ଶେଷ ସୁଦ୍ଧା ଜର୍ମାନି ୨-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଧରେ ଏହି ୟୁରୋପୀୟ ରାଷ୍ଟ୍ର ଆଉ ଦୁଇଟି ଗୋଲ୍‌ ଦେଇ ୪-୦ରେ ସହଜ ବିଜୟ ହାସଲ କରିଥିଲା। ଦ୍ୱିତୀୟାର୍ଧର ଚତୁର୍ଥ ମିନିଟ୍‌ରେ ଜନ୍‌ ଏବୋଆ ଆଉ ଏକ ଗୋଲ୍‌ ଦେଇ ଜର୍ମାନିକୁ ୩-୦ରେ ଆଗୁଆ କରି ଦେଇଥିଲେ। ୨୦ ମିନିଟ୍‌ରେ ଆର୍ପ ପୁଣି ଥରେ ମିଲରଙ୍କୁ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ସେ ବ୍ୟକ୍ତିିଗତ ଭାବେ ଦ୍ୱିତୀୟ ଗୋଲ୍‌ ଦେବା ସହ ଜର୍ମାନି ଶେଷ ପର୍ଯ୍ୟନ୍ତ ଏହି ସ୍କୋର ଲାଇନ୍‌ କାୟମ ରଖି ବିଜୟର ମଧୁର ସ୍ୱାଦ ଚାଖିଥିଲା। ଜର୍ମାନି ୬୨ ପ୍ରତିଶତ ସମୟ ବଲ୍‌କୁ ନିଜ ପାଖରେ ରଖିଥିଲା ବେଳେ କଲମ୍ବିଆ ମାତ୍ର ୩୮ ପ୍ରତିଶତ ସମୟରେ ଏଭଳି କରି ପାରିଥିଲା।

ଭାରତରେ ଆୟୋଜିତ ପ୍ରଥମ ଫିଫା ବିଶ୍ୱକପ୍‌ (୧୭ ବର୍ଷରୁ କମ୍‌) ଘରୋଇ ଦଳ ପାଇଁ ନିରାଶାଜନକ ରହିଲା। କେବଳ ଆୟୋଜନ କରି ଇତିହାସ ରଚିଲା ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌)। ପଦାର୍ପଣରେ ସୀମିତ ରହିଲା ଭାରତ, ପ୍ରଦର୍ଶନରେ ପ୍ରତିଫଳିତ ହେଲା ନାହିଁ କିଛି। ପ୍ରଥମ ସପ୍ତାହ ସୁଦ୍ଧା ୩ ମ୍ୟାଚ୍‌ ଖେଳି ଭାରତ ଗୋଟିଏ ଗୋଲ୍‌ ଦେବା, ୯ ବରଣ କରିବା, ଗୋଲବ୍ୟବଧାନକୁ ବିଯୁକ୍ତ ୮ ରଖି ପଏଣ୍ଟ୍‌ ଖାତା ଖୋଲି ପାରିନଥିଲା। ୪ ଦଳୀୟ ଗ୍ରୁପ୍‌ ‘ଏ’ର ଶେଷ ସ୍ଥାନରେ ରହିଥିଲା। ଏବେ କିନ୍ତୁ ସମସ୍ତ ଗ୍ରୁପ୍‌ ମ୍ୟାଚ୍‌ ଶେଷ ହେବା ପରେ ଯୋଗ୍ୟତା ଅର୍ଜନ କରିଥିବା ଅଂଶଗ୍ରହଣକାରୀ ସମସ୍ତ ୨୪ ଦଳ ଭିତରେ ଶେଷ ସ୍ଥାନ ଦଖଲ କରି ଲଜ୍ଜିତ ହୋଇଛି। ଅକ୍ଟୋବର ୬ ତାରିଖରେ ଭାରତ ଗ୍ରୁପ୍‌ ‘ଏ’ ଉଦ୍‌ଘାଟନୀ ମ୍ୟାଚ୍‌ରେ ଆମେରିକାକୁ ଭେଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଦଳ ୦-୩ରେ ହାରିଥିଲା। ଏହା ପରେ କଲମ୍ବିଆ ସହିତ ପ୍ରଶଂସନୀୟ ପ୍ରଦର୍ଶନ କରି ୧-୨ରେ ହାରିଥିଲା। ଜିକ୍‌ସାନ୍‌ଙ୍କ ଗୋଲ୍‌ ଏକମାତ୍ର ସାନ୍ତ୍ୱନା ଥିଲା। ଘାନାଠାରୁ କିନ୍ତୁ ଭାରତ ଶୋଚନୀୟଭାବେ ୦-୪ରେ ହାରିଥିଲା ଶେଷ ଲିଗ୍‌ରେ। ଭାରତ ଭଳି ଉତ୍ତର କୋରିଆ ଦଳ ୩ରୁ ୩ ହାରିଥିଲେ ମଧ୍ୟ ୫ ଗୋଲ୍‌ ବରଣ କରିଥିଲା ଏବଂ ଆଦୌ ଗୋଲ ଦେଇନଥିଲା। ଫଳରେ -୫ ଗୋଲ୍‌ ବ୍ୟବଧାନ ପାଇଁ ଭାରତଠାରୁ ଉପରେ ରହିଲା।
ଫିଫା ମାନ୍ୟତା: ଭାରତ ୨ ସ୍ଥାନ ଉଠି ୧୦୫ରେ
ଏଏଫ୍‌ସି ଏସିଆ କପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ ଭାରତୀୟ ବରିଷ୍ଠ ଫୁଟବଲ୍‌ ଦଳର ମାନ୍ୟତାରେ ଉନ୍ନତି ପରିଲକ୍ଷିତ ହୋଇଛି। ଜାତୀୟ ପୁରୁଷ ଫୁଟବଲ୍‌ ଦଳ ୨ ସ୍ଥାନ ଉପରକୁ ଉଠି ୧୦୫ରେ ପହଞ୍ଚି ଯାଇଛି। ଗତମାସରେ ପ୍ରକାଶିତ ମାନ୍ୟତାରେ ଭାରତ ୧୦୭ତମ ସ୍ଥାନରେ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe