କ୍ୟାପିଟାଲ୍ସକୁ ହରାଇଲା ଜାଏଣ୍ଟସ୍‌: ମାର୍କ ଉଡ୍‌ଙ୍କୁ ପ୍ରଥମ ୫ ୱିକେଟ୍‌

Advertisment
କ୍ୟାପିଟାଲ୍ସକୁ ହରାଇଲା ଜାଏଣ୍ଟସ୍‌: ମାର୍କ ଉଡ୍‌ଙ୍କୁ ପ୍ରଥମ ୫ ୱିକେଟ୍‌

Jagran

ଲକ୍ଷ୍ନୌ, ୧/୪: ଦୁଇ ୱେଷ୍ଟଇଣ୍ଡିଜ୍ ଖେଳାଳି କାଇଲ ମାୟର୍ସ, ନିକୋଲାସ ପୂରନଙ୍କ ଚମତ୍କାର ବ୍ୟାଟିଂ ପରେ ପରେ ମାର୍କ ଉଡ୍‌, ଆୱେସ୍‌ ଖାନ୍‌ ଏବଂ ରବି ବିଷ୍ଣୋଇଙ୍କ ସୁନ୍ଦର ବୋଲିଂ କାରଣରୁ କେଏଲ୍ ରାହୁଲଙ୍କ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର ରାତିରେ ଖେଳାଯାଇଥିବା ‌ଷୋଡ଼ଶ ସଂସ୍କରଣ ଆଇପିଏଲ୍‌ର ତୃତୀୟ ମ୍ୟାଚ୍‌ରେ କେଏଲ୍ ରାହୁଲଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍‌ରେ ପରାସ୍ତ କରିଛି। ପ୍ରଥମ ୫ ୱିକେଟ୍‌ ନେଇଥିବା ମାର୍କ ଉଡ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିବା ବେଳେ ରାହୁଲଙ୍କ ସଂଘର୍ଷ ଜାରି ରହିଥିଲା। ୧୨ ବଲ୍‌ରୁ ୮ ରନ୍ କରି ଚେତନ ସାକାରିଆଙ୍କ ଶିକାର ହୋଇ ଫେରିଯାଇଥିଲେ। ଦୀପକ ହୁଡ଼ା ମଧ୍ୟ ବଲ୍‌ ପିଛା ରନ୍ କରି ବିଶେଷ ପ୍ରଭାବ ଛାଡ଼ିପାରିନଥିଲେ। କୃନାଲ ପାଣ୍ଡ୍ୟା, ମାର୍କସ ଷ୍ଟୋଇନିସ୍‌ ମଧ୍ୟ ନିଜ ଖ୍ୟାତି ମୁତାବକ ଖେଳିପାରିନଥିଲେ। ତଥାପି ଦ୍ବାଦଶ ଓଭରରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ ୧୦୦ ରନ୍‌ ପୂରଣ କରି ଭଲ ସ୍ଥିତିରେ ପହଞ୍ଚିଥିଲା। କାଏଲ୍ ମାୟର୍ସ (୩୮ ବଲ୍‌ରୁ ୭୩ ରନ୍‌) ଏବଂ ନିକୋଲାସ ପୂରନ (୨୧ ବଲ୍‌ରୁ ୩୬ ରନ୍‌) ଦଳର ତ୍ରାଣକର୍ତା ସାଜିଥିଲେ। ଶେଷ ଭାଗରେ ପୂରନ, କୃନାଲ ଓ ଆୟୂଷ ବ‌ାଦୋନି ଉପଯୋଗୀ ପାଳି ଖେଳିବାରୁ ରାହୁଲଙ୍କ ଦଳ ୧୯୩ ରନ୍‌ର ଆହ୍ବାନଭରା ସ୍କୋର୍‌ ଛିଡ଼ା କରିଥିଲା। ବଦୋନିଙ୍କ ବଦଳ ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା କ୍ରିଷ୍ଣାପା ‌ଗୌତମ ପାଳିର ଶେଷ ବଲକୁ ଛକା ମାରିଥିଲେ। ଦୁଇ ଭାରତୀୟ ପେସର ଖଲିଲ୍‌ ଅହମ୍ମଦ-ଚେତନ ସାକାରିଆ ୨-୨ ଏବଂ ଦୁଇ ସ୍ପିନର୍ ଅକ୍ଷର ପଟେଲ୍‌-କୁଲଦୀପ ଯାଦବ ୧-୧ ୱିକେଟ୍ ସଫଳତା ପାଇଥିଲେ।

ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ବଢ଼ିଆ ଆରମ୍ଭ ପାଇଥିଲା। କିନ୍ତୁ ପଞ୍ଚମ ଓଭରରେ ମାର୍କ ଉଡ୍‌ ଲଗାତାର ବଲ୍‌ରେ ପୃଥ୍ବୀ ସ’ ଓ ମିଚେଲ୍ ମାର୍ସଙ୍କୁ ଆଉଟ୍ କରି ଦଳକୁ ପ୍ରତ୍ୟାବର୍ତନ କରାଇଥିଲେ। ତଥାପି ପାୱାର ପ୍ଲେ ୬ ଓଭରରୁ ଦିଲ୍ଲୀ ୪୭ ରନ୍‌ ସଂଗ୍ରହ କରି ନେଇଥିଲା। ମାର୍ସଙ୍କ ସହିତ ସର୍ଫରାଜ ଖାନ୍, ରୋଭମାନ ପାୱେଲ ଏବଂ ଇମ୍ପାକ୍ଟ ପ୍ଲେୟାର୍‌ ଅମନ ହକିମ ଖାନ୍ (ଖଲିଲ୍ ଅହମ୍ମଦଙ୍କ ବଦଳ‌) ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଦକ୍ଷିଣ ଆଫ୍ରିକୀୟ ତାରକା ରିଲି ରୁସୋ ୨୦ ବଲ୍‌ରୁ ୩୦ ରନ୍ କରିଥିଲେ ମଧ୍ୟ ଲେଗସ୍ପିନର୍‌ ରବି ବି‌ଷ୍ଣୋଇଙ୍କ ଦ୍ବାରା ଏଲବିଡବ୍‌ଲ୍ୟୁ ଘୋଷିତ ହୋଇ ଫେରିଥିଲେ। ଅଧିନାୟକ ଭାବେ ଦାୟିତ୍ବର ସହ ବ୍ୟାଟିଂ କରି ଡେଭିଡ୍ ୱାର୍ଣ୍ଣର (୪୮ ବଲ୍‌ରୁ ୫୬ ରନ୍‌) ଆଶା ‌ଦେଖାଇଥିଲେ ମଧ୍ୟ ୧୬ତମ ଓଭରରେ ତାଙ୍କ ବିଦାୟ ଦିଲ୍ଲୀର ପରାଜୟକୁ ନିଶ୍ଚିତ କରିଥିଲା। ପଣ୍ଟିଂଙ୍କ ପ୍ରଶିକ୍ଷିତ ଏବଂ ଗାଙ୍ଗୁଲିଙ୍କ ମାର୍ଗଦର୍ଶନରେ ଥିବା ଦିଲ୍ଲୀ (୧୪୩/୯) ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ମାର୍କ ଉଡ୍ ଚଳିତ ଆଇପିଏଲ୍‌ର ପ୍ରଥମ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ନିଜର ପ୍ରଥମ ଓ ଶେଷ ଓଭରରେ ସେ ୨ ଲେଖାଏଁ ୱିକେଟ୍ ନେଇ ପ୍ରଶଂସନୀୟ ବୋଲିଂ ଚିତ୍ର (୪-୦-୧୪-୫) ପାଇଥିଲେ। ଆୱେସ୍ ଖାନ୍ (୪-୦-୨୯-୨), ରବି ବିଷ୍ଣୋଇ (୪-୦-୩୧-୨) ମଧ୍ୟ ବିଜୟର ଅନ୍ୟତମ କର୍ଣ୍ଣଧାର ସାଜିଥିଲେ।

publive-image

କାର୍‌ ଦୁର୍ଘଟଣାରେ ଆହତ ହୋଇଥିବା ଋଷଭ ପନ୍ତ୍‌ ଏଥର ଆଇପିଏଲ୍‌ରେ ଖେଳୁନାହାନ୍ତି। ତେଣୁ ୧୭ ନମ୍ବର ଜର୍ସିକୁ ପନ୍ତ୍‌ଙ୍କ ନାମରେ ଉତ୍ସର୍ଗ କରି ଦିଲ୍ଲୀ କ୍ୟାପିଟାଲ୍ସ ଡଗ୍‌ଆଉଟ୍‌ରେ ତାହାକୁ ପ୍ରଦର୍ଶିତ କରାଯାଇଛି। ପନ୍ତ୍‌ ମଧ୍ୟ ତାଙ୍କ ଟ୍ବିଟରରେ କହିଛନ୍ତି ‌ଯେ, ‘ଏବେ ସେ ଦିଲ୍ଲୀ କ୍ୟାପିଟାଲ୍ସର ୧୩ତମ ଖେଳାଳି। ଯଦି ଇମ୍ପାକ୍ଟ ପ୍ଲେୟାର ନିୟମ ନଥାନ୍ତା, ତାହେଲେ ସେ ଦ୍ବାଦଶ ଖେଳାଳି ହୋଇଥାନ୍ତେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe