The Week
ନୂଆଦିଲ୍ଲୀ: ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂହ ଟେଷ୍ଟ୍ କ୍ରିକେଟରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କୁ ସର୍ବାଧିକ ୧୦ ଥର, ମାଥ୍ୟୁ ହେଡନ୍ଙ୍କୁ ୯ ଥର ଏବଂ ଆଦମ ଗିଲକ୍ରିଷ୍ଟଙ୍କୁ ୭ ଥର ଆଉଟ୍ କରିଛନ୍ତି। ଗିଲକ୍ରିଷ୍ଟ ଗୁରୁବାର ହରଭଜନଙ୍କ ବଲ୍ରେ ଆଉଟ୍ ବେଳର କିଛି କଥା ଲାଇଭ୍ କନେକ୍ଟ୍ରେ ଟିଭି ଉପସ୍ଥାପିକା ମାଡୋନା ଟେକ୍ସିରାଙ୍କ ସହ ଆଲୋଚନା ବେଳେ ମନେ ପକାଇଛନ୍ତି।
ହରଭଜନ ଯେତେବେଳେ ମୋତେ ଆଉଟ୍ କରନ୍ତି, ପଡ଼ିଆରେ ଥିବା ଭାରତୀୟ କ୍ଷେତ୍ରରକ୍ଷକମାନେ କିଛି କହିଥା'ନ୍ତି। କ'ଣ କୁହନ୍ତି ମୋର ମନେ ପଡ଼ୁନି। କିନ୍ତୁ ମୁଁ ରନ୍ କଲାବେଳେ କହିନଥା'ନ୍ତି ବୋଲି ଗିଲକ୍ରିଷ୍ଟ କହିଛନ୍ତି। ଭାରତ ଗସ୍ତ ସର୍ବଦା ମଜାଦାର ରହିଥାଏ। ଭାରତୀୟଙ୍କ ବ୍ୟବହାର ବହୁତ ଭଲ ଏବଂ ଅଧିକ ସ୍ନେହ କରିଥା'ନ୍ତି। ଦିନେ ସକାଳେ ମୁଁ ଟୋପି, ଚଷମା ଓ ଇୟରଫୋନ୍ ସହ ମୁମ୍ବାଇରେ ଜଗିଂ କରିବାକୁ ବାହାରିଥିଲି। ସେ ସମୟରେ କିଛି କ୍ରିକେଟ୍ ପ୍ରଶଂସକ ମୋତେ ଦେଖି ସେଲ୍ଫି ନେବାକୁ ମୋ ପଛରେ ଗୋଡ଼ାଇଥିଲେ। ମୋର ଅତି ନିକଟତର ହୋଇ ସେଲ୍ଫି ନେଇଥିଲେ। ଏହା ଅତ୍ୟନ୍ତ ଚମତ୍କାର ଥିଲା। ଏହି ସ୍ନେହ ଯୋଗୁଁ ସର୍ବଦା ଭାରତ ଗସ୍ତ କରିବାକୁ ମନବଳାଏ ବୋଲି ଗିଲକ୍ରିଷ୍ଟ କହିଛନ୍ତି। ୨୦୦୧ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ହରଭଜନ ୩ ମ୍ୟାଚ୍ରେ ୩୨ ୱିକେଟ୍ ନେଇଥିଲେ। ପଣ୍ଟିଂ ଓ ଗିଲକ୍ରିଷ୍ଟଙ୍କୁ ସେ ଅଧିକ ରନ୍ କରିବାକୁ ସୁଯୋଗ ଦେଇନଥିଲେ ଏବଂ ଭାରତ ଶୃଙ୍ଖଳା ଜିତିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ୧୮ ଟେଷ୍ଟ୍ ଖେଳି ସେ ୨୯.୯୫ ହାରରେ ୯୫ ୱିକେଟ୍ ଅକ୍ତିଆର କରିଛନ୍ତି।
Follow Us