ମେଲବର୍ନ: ଗୋଲାପି ବଲ୍ ଟେଷ୍ଟ୍ ପରେ ପରେ ପିତୃତ୍ବ ଅବକାଶ ନେଇ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ବଦେଶ ଫେରିବେ। ଏଣୁ ୨୬ ତାରିଖରୁ ମେଲବର୍ନରେ ଆରମ୍ଭ ହେବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ୍ରେ ଭାରତର ଚୂଡ଼ାନ୍ତ ଏକାଦଶରେ ବ୍ୟାପକ ଅଦଳ ବଦଳ ହେବା ଏକପ୍ରକାର ନିଶ୍ଚିତ। ଆଡିଲେଡ୍ରେ ଲଜ୍ଜାଜନକ ପରାଜୟ ପାଇଁ ମଧ୍ୟ ଏହାର ଆବଶ୍ୟକତା ବଢ଼ି ଯାଇଛି। ସେହିଦୃଷ୍ଟିରୁ ଗୋଲାପି ଟେଷ୍ଟ୍ର ଉଭୟ ପାଳିରେ ବିଫଳ ହୋଇଥିବା ଅଭିଜ୍ଞ ୱିକେଟ୍ ରକ୍ଷକ ଋଦ୍ଧିମାନ ସାହା ଓ ଏକଅଙ୍କ ଆଗକୁ ବଢ଼ି ପାରି ନଥିବା ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ ଏହି ପ୍ରତୀକ୍ଷିତ ମୁକାବିଲାରେ ଖେଳିବାର ସମ୍ଭାବନା କମ୍ ରହିଛି। ଏପରିକି ଏହି ଦୁଇ ଖେଳାଳି ଶୃଙ୍ଖଳାର ପରବର୍ତ୍ତୀ ତିନିଟି ଯାକ ମ୍ୟାଚ୍ ଖେଳି ନପାରନ୍ତି।
ସେପଟେ କୋହଲିଙ୍କ ଅନୁପସ୍ଥିତିରେ ଶୃଙ୍ଖଳାର ବଳକା ମ୍ୟାଚ୍ଗୁଡ଼ିରେ ନେତୃତ୍ବ ଭାର ଗ୍ରହଣ କରିବାକୁ ଯାଉଥିବା ଅଜିଙ୍କ୍ୟ ରାହାଣେ ଶୁବମନ ଗିଲ୍ଙ୍କୁ ନିଜ ଯୋଜନାରେ ସାମିଲ କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି। ଅଭ୍ୟାସ ମ୍ୟାଚ୍ରେ ପ୍ରଭାବଶାଳୀ ବ୍ୟାଟିଂ କରିଥିବା ଗିଲ୍ ଫର୍ମରେ ନଥିବା ସ’ଙ୍କ ସ୍ଥାନ ନେଇ ପାରନ୍ତି। ସେହିଭଳି ସାହା ଦଳର ଆତ୍ମବଳ ବଢ଼ାଇବାରେ ବିଶେଷ ସାହାଯ୍ୟ କରୁ ନଥିବାରୁ ପନ୍ତ ତାଙ୍କ ସ୍ଥାନରେ ଖେଳିବେ। ସେହିଭଳି ମହମ୍ମଦ ସାମି ଆହତ ହୋଇ ସଂପୂର୍ଣ୍ଣ ଶୃଙ୍ଖଳାରୁ ବାଦ୍ ପଡ଼ିବା ପରେ ମହମ୍ମଦ ସିରାଜଙ୍କ ଉପରେ ଦଳୀୟ ଅଧିକାରୀମାନେ ଆସ୍ଥା ପ୍ରକଟ କରି ପାରନ୍ତି। କେଏଲ୍ ରାହୁଲ ମଧ୍ୟ ଅନ୍ୟ ଏକ ଭଲ ବିକଳ୍ପ ହୋଇ ପାରନ୍ତି। କୋହଲିଙ୍କ ସ୍ଥାନରେ ରାହୁଲ ଖେଳିବେ। ଅନ୍ୟ ଏକ ବିକଳ୍ପ ଭାବେ ହନୁମା ବିହାରୀଙ୍କୁ ରାହାଣେ ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଉପରେ ଖେଳାଇବାର ସମ୍ଭାବନା ବି ରହିଛି। କୋହଲିଙ୍କ ଅନୁପସ୍ଥିତି ସହ ସାମିଙ୍କ ଆଘାତ ଜନିତ ସମସ୍ୟା ଭାରତ ପାଇଁ ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି। ପୁଣି ଆଡିଲେଡ୍ରେ ଲଜ୍ଜାଜନକ ପରାଜୟ ପରେ ଦଳର ଆତ୍ମବଳ ବି ଏକପ୍ରକାର ଦୋହଲି ଯାଇଛି।
Follow Us