ଗୁକେଶଙ୍କ ଗୌରବମୟ ଇତିହାସ: ଫିଡେ କ୍ୟାଣ୍ଡିଡେଟ୍‌ସ ମୁକୁଟ ବିଜେତା

Advertisment

ବିଶ୍ବ ଚାମ୍ପିଅନସିପ୍ ଯୋଗ୍ୟତାରେ ସର୍ବକନିଷ୍ଠ

ବିଶ୍ବ ଚାମ୍ପିଅନସିପ୍ ଯୋଗ୍ୟତାରେ ସର୍ବକନିଷ୍ଠ

ଗୁକେଶଙ୍କ ଗୌରବମୟ ଇତିହାସ: ଫିଡେ କ୍ୟାଣ୍ଡିଡେଟ୍‌ସ ମୁକୁଟ ବିଜେତା

ଟରଣ୍ଟୋ: ବିଶ୍ବ ଚେସ୍ ଆକାଶରେ ସୋମବାର ଆଉ ଜଣେ ବିସ୍ମୟ ତାରକାଙ୍କ ଆବିର୍ଭାବ ହୋଇଛି। କାନାଡ଼ାର ଟରଣ୍ଟୋଠାରେ ଆୟୋଜିତ କ୍ୟାଣ୍ଡିଡେଟ୍‌ସ ଚେସ୍ ପ୍ରତିଯୋଗିତା ମୁକୁଟ ଜିତି ୧୭ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର୍ ଡୋମାରାଜୁ ଗୁକେଶ ବିଶ୍ବ ଚାମ୍ପିଅନସିପ୍ ଲାଗି ଯୋଗ୍ୟତା ଅର୍ଜନ କରିବାରେ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ଏହି କ୍ରମରେ ସେ ୪୦ବର୍ଷ ତଳେ ରୁଷିଆର କିଂବଦନ୍ତି ଗ୍ରାଣ୍ଡମାଷ୍ଟର୍ ଗ୍ୟାରି କାସ୍ପାରୋଭଙ୍କ କୀର୍ତ୍ତିମାନକୁ ଭାଙ୍ଗି ଇତିହାସ ରଚିଛନ୍ତି। ଏବେ ସେ ବିଶ୍ବ ଟାଇଟଲ୍ ଜିତିବା ଲାଗି ଚୀନର ଡିଙ୍ଗ୍ ଲିରେନ୍‌ଙ୍କ ସହ ଲଢ଼ିବେ। ଏହି ପ୍ରତୀକ୍ଷିତ ଲଢ଼େଇ ଚଳିତବର୍ଷ ଶେଷ ଆଡ଼କୁ ହେବ।

ପୂର୍ବରୁ କାସ୍ପାରୋଭ ୨୨ବର୍ଷ ବୟସରେ ନିଜ ଦେଶର ଆନାତୋଲି କାର୍ପୋଭଙ୍କୁ ପରାସ୍ତ କରି ବିଶ୍ବ ଚାମ୍ପିଅନସିପ୍ ଲଢ଼େଇ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଏଭଳି ବିରଳ ସଫଳତା ଲାଭ କରିବାରେ ସେ ସର୍ବକନିଷ୍ଠ ବି ହୋଇଥିଲେ। ଗୁକେଶ କିନ୍ତୁ କାସ୍ପାରୋଭଙ୍କ କୀର୍ତ୍ତିମାନକୁ ୫ବର୍ଷରୁ କମ୍‌ ସମୟ ନେଇ ସମଗ୍ର ଭାରତ ବର୍ଷ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏଭଳି ଅନନ୍ୟ ସଫଳତା ଲାଭ କରିବାରେ ମଧ୍ୟ ବିଶ୍ବନାଥନ ଆନନ୍ଦଙ୍କ ପରେ ସେ ଦ୍ବିତୀୟ ଭାରତୀୟ ଖେଳାଳି ହୋଇଛନ୍ତି। ପାଞ୍ଚ ଥର ବିଶ୍ବବିଜେତା ଆନନ୍ଦ ଶେଷ ଥର ଲାଗି ୨୦୧୪ ମସିହାରେ ବିଶ୍ବବିଜେତା ହୋଇଥିଲେ। ୧୦ବର୍ଷ ପରେ ବିଶ୍ବ ଟାଇଟଲ୍‌କୁ ଭାରତ ଆଣିବାକୁ ଗୁକେଶ ଚେଷ୍ଟା କରିବେ। ଏହି ଐତିହାସିକ ସଫଳତା ପରେ ଗୁକେଶଙ୍କ ପାଖକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। ଆନନ୍ଦ ଏହାର ନେତୃତ୍ବ ନେଇଛନ୍ତି। ‘ଏକ୍ସ’ ପୃଷ୍ଠାରେ ‘ଭାରତୀୟ ଚେସ୍ ଜଗତ ତୁମ ପାଇଁ ଗର୍ବିତ’ ବୋଲି ଆନନ୍ଦ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଗୁକେଶ ଢେର୍‌ ଦିନ ହେବ ଚେସ୍ ଦୁନିଆରେ ଚହଳ ସୃଷ୍ଟି କରିଆସୁଛନ୍ତି। ୫ ବର୍ଷ ତଳେ ମାତ୍ର ୧୨ ବର୍ଷ ବୟସରେ ‌ଗ୍ରାଣ୍ଡମାଷ୍ଟର୍ ଟାଇଟଲ୍ ହାସଲ କରି ଏହି କ୍ରମରେ ବିଶ୍ବର ତୃତୀୟ ସର୍ବକନିଷ୍ଠ ଖେଳାଳି ‌ହୋଇଥିଲେ। ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ମଧ୍ୟ ସେ ରୌପ୍ୟ ପଦକ ଜିତିଥିଲେ।
ବିଶ୍ବ କୀର୍ତ୍ତିମାନର ଅଧିକାରୀ ହେବା ଲାଗି ଗୁକେଶଙ୍କୁ ଚର୍ତୁଦଶ ତଥା ଶେଷ ରାଉଣ୍ଡ୍‌କୁ କେବଳ ଅମୀମାଂସିତ ରଖିବାର ଆବଶ୍ୟକତା ଥିଲା। ଆମେରିକୀୟ ହିକାରୁ ନାକାମୁରାଙ୍କ ବିପକ୍ଷ ଏହି ବାଜିକୁ ଜୋରଦାର ଲଢ଼େଇ ପରେ ୭୧ତମ ଚାଲ୍‌ରେ ଡ୍ର’ କରି ମୋଟ ୧୪ରୁ ୯ ପଏଣ୍ଟ୍‌ ଅର୍ଜନ କରି ବିଜେତା ଆଖ୍ୟା ଅର୍ଜନ କରିବା ସହ ବିଶ୍ବ ଚାମ୍ପିଅନ୍‌ସିପ୍ ଟିକେଟ ହାସଲ କରି ନେଇଥିଲେ ସେ। ଚତୁର୍ଥ ବୋର୍ଡରେ ଆର ଇଆନ୍ ନେପୋମନିଆଚି ଏବଂ ଇଟାଲି-ଆମେରିକା ଗ୍ରାଣ୍ଡମାଷ୍ଟର୍ ଫାବିଆନୋ କାରୁଆନା ସଂଘର୍ଷପୂର୍ଣ୍ଣ ଡ୍ର’ ପାଇବା ପରେ ଗୁକେଶ ଶୀର୍ଷରେ ରହିବା ନିଶ୍ଚିତ ରହିଥିଲା। ପ୍ରତିଯୋଗିତା ପୂର୍ବରୁ ଅଣ୍ଡରଡଗ୍ ଥିବା ଗୁକେଶ ଶେଷରେ ଅପ୍ରତ୍ୟାଶିତ ବିଜେତା ହୋଇଛନ୍ତି। ସେହିଭଳି ୮୮,୫୦୦ ୟୁରୋ ବା ପାଖାପାଖି ୭୮.୫ ଲକ୍ଷ ଟଙ୍କା ପକେଟସ୍ଥ କରିଥିଲେ। ଫାବିଆନୋ କାରୁଆନା, ଇଆନ୍ ନେପୋମନିଆଚି ଓ ନାକାମୁରା ପ୍ରତ୍ୟେକ ୮.୫ ପଏଣ୍ଟ୍‌ ଲେଖାଏଁ ପାଇଁ ମିଳିତ ଭାବେ ଦ୍ବିତୀୟରେ ରହିଥିଲେ। ଆଜେରବାଇଜାନର ନିଜତ ଆବୋସୋଭଙ୍କୁ ପରାସ୍ତ କରି ଅନ୍ୟତମ ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର୍ ଆର. ପ୍ରଜ୍ଞାନନ୍ଦ (୭) ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ସେହିଭଳି ବିଦିତ ଗୁଜରାଟି(୬) ଫ୍ରାନ୍ସର ଫିରୋଜା ଅଲିରେଜାଙ୍କ ସହ ପଏଣ୍ଟ୍ ବାଣ୍ଟି ଷଷ୍ଠ ସ୍ଥାନରେ ରହିଥିଲେ।

ମହିଳା ବର୍ଗରେ ହାମ୍ପି ଉପବିଜେତା
ଏହି ପ୍ରତିଯୋଗିତାର ମହିଳା ବର୍ଗରେ ଭାରତୀୟ ଖେଳାଳି କୋନେରୁ ହାମ୍ପି (୭.୫) ଶେଷ ରାଉଣ୍ଡ ମ୍ୟାଚ୍‌ରେ ଲେଇ ଟିଙ୍ଗିଙ୍କୁ ପରାସ୍ତ କରି ଉପବିଜେତା ହୋଇଛନ୍ତି। ଅନ୍ୟତମ ଭାରତୀୟ ଖେଳାଳି ଆର୍‌. ବୈଶାଳୀ ସମାନ ପଏଣ୍ଟ ପାଇଥିଲେ ମଧ୍ୟ ଚତୁର୍ଥ ସ୍ଥାନରେ ରହିଛନ୍ତି। ଲାଗ୍ନୋ କାଟେରିନାଙ୍କୁ ବୈଶାଳୀ ଶେଷ ରାଉଣ୍ଡ୍‌ରେ ହରାଇଥିଲେ। ପୂର୍ବରୁ ଏକକ ଅଗ୍ରଣୀ ଥିବା ଚୀନ୍‌ର ଟାନ୍‌ ଝୋଙ୍ଗି (୯) ଏହି ରାଉଣ୍ଡ‌୍‌ରେ ଆନ୍ନା ମୁଜିଚୁକ୍‌ (୫.୫) ଙ୍କୁ ହରାଇ ବିଜେତା ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe