ସିନ୍ଧୁ ସୁନେଲି: ବିଶ୍ବ ବ୍ୟାଡ୍‌ମିଣ୍ଟନ ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ

Advertisment

ତିନି ରଙ୍ଗର ପଦକ ହାସଲ କରିବାରେ ଦ୍ବିତୀୟ ମହିଳା, ସର୍ବାଧିକ ବିଶ୍ବ ପଦକ ଜିତିବାରେ ଝାଙ୍ଗ୍‌ଙ୍କ ସମକକ୍ଷ

ତିନି ରଙ୍ଗର ପଦକ ହାସଲ କରିବାରେ ଦ୍ବିତୀୟ ମହିଳା, ସର୍ବାଧିକ ବିଶ୍ବ ପଦକ ଜିତିବାରେ ଝାଙ୍ଗ୍‌ଙ୍କ ସମକକ୍ଷ

ସିନ୍ଧୁ ସୁନେଲି: ବିଶ୍ବ ବ୍ୟାଡ୍‌ମିଣ୍ଟନ ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ

ବାସେଲ: ଅଗଷ୍ଟ ୨୫ ତାରିଖ ରବିବାର ଭାରତ ପାଇଁ ଥିଲା ଏକ ଐତିହାସିକ ଦିନ। ବିଶ୍ବ ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ୍‌ସିପ୍‌ର ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ଅଲିମ୍ପିକ୍‌ ରୌପ୍ୟ ବିଜୟିନୀ ପିଭି ସିନ୍ଧୁ ରଚିଛନ୍ତି ନୂଆ ଇତିହାସ। ପୁରୁଣା ପ୍ରତିଦ୍ବନ୍ଦ୍ବୀ ଜାପାନର ନାଜୋମୀ ଓକୁହାରାଙ୍କୁ ୨୧-୭, ୨୧-୭ରେ ହରାଇ ସ୍ବପ୍ନର ସ୍ବର୍ଣ୍ଣ ପଦକ ଜିତିଛନ୍ତି ସିନ୍ଧୁ। ପାଇଛନ୍ତି ସ୍ମରଣୀୟ ସୁନେଲି ସଫଳତା। ବିଶ୍ବ ମାନ୍ୟତାର ପଞ୍ଚମ ସିନ୍ଧୁ ଓ ଚତୁର୍ଥ ମାନ୍ୟତାପ୍ରାପ୍ତ ଓକୁହାରାଙ୍କ ମଧ୍ୟରେ ଲଢ଼େଇ ତୀବ୍ର ହେବାର ସମ୍ଭାବନା ଥିଲା। ଏହା ପୂର୍ବରୁ ୨୦୧୭ ସଂସ୍କରଣ ଫାଇନାଲ୍‌ରେ ଉଭୟେ ମୁହାଁମୁହିଁ ହୋଇଥିଲା ବେଳେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ ଓକୁହାରା। କିନ୍ତୁ ଏଥର ସିନ୍ଧୁ ଦୃଢ଼ ମନୋବଳ ସହ ମଇଦାନକୁ ଓହ୍ଲାଇଥିଲେ। ଆଉ ୨୦୧୭ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ଓକୁହାରାଙ୍କଠୁ ‌ନେଇଗଲେ। ଓକୁହାରା ମଧ୍ୟ ରବିବାର ଟ୍ରଫି ମୁକାବିଲାରେ ସିନ୍ଧୁଙ୍କ ନିକଟରେ ଏକରକମ ଆତ୍ମସମର୍ପଣ କରିଥି‌ଲେ। ସିନ୍ଧୁ ସିଧାସଳଖ ଗେମ୍‌ରେ ଓକୁହାରାଙ୍କୁ ପରାସ୍ତ କରିଦେଇଥିଲେ। ପ୍ରଥମ ଗେମ୍‌କୁ ମାତ୍ର ୧୬ ମିନିଟ୍‌ରେ ଜିତି‌ନେବା ପରେ ସିନ୍ଧୁଙ୍କୁ ଦ୍ବିତୀୟ ଗେମ୍‌ ଜିତିବା ପାଇଁ ୨୦ ମିନିଟ୍‌ ଲାଗିଥିଲା। ଫଳରେ ମାତ୍ର ୩୬ ମିନିଟ୍‌ ଲଢ଼େଇରେ ସିନ୍ଧୁ ୨୧-୭ ଓ ୨୧-୭ରେ ଓକୁହାରାଙ୍କୁ ପରାସ୍ତ କରି ପ୍ରତିଶୋଧ ନେଇଗଲେ। ଆଉ ସ୍ବର୍ଣ୍ଣ ପଦକ ଉପରେ କବ୍‌ଜା କରି ପ୍ରଥମ ଭାରତୀୟ ହେବାର ଗୌରବ ବହନ କଲେ। ଓକୁହାରାଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିବା ପୂର୍ବରୁ ସିନ୍ଧୁ କ୍ବାର୍ଟର ଫାଇନାଲ୍‌ରେ ବିଶ୍ବ ମାନ୍ୟତାର ପୂର୍ବତନ ଶୀର୍ଷ ତଥା ଏବର ଦ୍ବିତୀୟ ମାନ୍ୟତାପ୍ରାପ୍ତ ଚାଇନିଜ୍‌ ତାଇପେର ତା‌ଇ ଜୁ ୟିଙ୍ଗ୍‌ଙ୍କୁ ଏବଂ ସେମିଫାଇନାଲ୍‌ରେ ବିଶ୍ବ ମାନ୍ୟତାର ତୃତୀୟ ତଥା ଅଲ୍‌ ଇଂଲଣ୍ଡ ବିଜୟିନୀ ଚେନ୍‌ ୟୁ ଫେଇଙ୍କୁ ପରାସ୍ତ କରିଥିଲେ।

ମା’ଙ୍କୁ ଉତ୍ସର୍ଗ
ମ୍ୟାଚ୍‌ ଶେଷରେ ତଥା ପୁରସ୍କାର ବିତରଣୀ ଉତ୍ସବ ବେଳେ ଐତିହାସିକ ସ୍ବର୍ଣ୍ଣ ପଦକକୁ ସିନ୍ଧୁ ତାଙ୍କ ମା’ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଆଜି ମୋ ମା’ଙ୍କର ଜନ୍ମ ଦିବସ ଥିଲା। ଏତେବଡ଼ ସଫଳତା ପାଇବାରେ ତାଙ୍କର ଅବଦାନ ମୋ ପାଇଁ ଯଥେଷ୍ଟ ଅଧିକ। ତେଣୁ ବିଶ୍ବ ସ୍ବର୍ଣ୍ଣ ପଦକକୁ ମା’ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲି ବୋଲି ସିନ୍ଧୁ ଘୋଷଣା କରିଥିଲେ। ପୁଣି ଏହି ସଫଳତା ପାଇଁ ସିନ୍ଧୁ ତାଙ୍କ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ ଏବଂ ସହକାରୀ ପ୍ରଶିକ୍ଷକ (କୋରିଆର ଜି ହ୍ୟୁନ୍‌)ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶୁଭେଚ୍ଛାର ସୁଅ
ସିନ୍ଧୁଙ୍କ ଏହି ସ୍ବର୍ଣ୍ଣିମ ସଫଳତା ପାଇଁ ସାରା ଦେଶରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। ଏହା ମଧ୍ୟ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ସିନ୍ଧୁଙ୍କ ମୋଟ ପଞ୍ଚମ ପଦକ। ଯେଉଁଥିରେ ରବିବାରର ସ୍ବର୍ଣ୍ଣ ବ୍ୟତୀତ ୨ ଲେଖାଏଁ ରୌପ୍ୟ ଓ କାଂସ୍ୟ ସାମିଲ ରହିଛି। ଜଣେ ମହିଳା ଭାବେ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ୫ ପଦକ କରାୟତ କରିବାରେ ସେ ପୂର୍ବତନ ଅଲିମ୍ପିକ୍‌ ଓ ବିଶ୍ବ ବିଜୟିନୀ ଚୀନ୍‌ର ଝାଙ୍ଗ୍‌ ନିଙ୍ଗ୍‌ଙ୍କ ସମକକ୍ଷ ହୋଇଛନ୍ତି। ୫ ପଦକ ଜିତିବାରେ ବିଶ୍ବର ଦ୍ବିତୀୟ ମହିଳା ଖେଳାଳି ହୋଇଥିବା‌ ସିନ୍ଧୁ ମଧ୍ୟ ତିନିଟିଯାକ ରଙ୍ଗର ପଦକ (ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ) ହାସଲ କରିବାରେ ତୃ୍ତୀୟ ଖେଳାଳି ହୋଇଛନ୍ତି। ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ମୋଟ ୫ ପଦକ ବ୍ୟତୀତ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ, ଗୋଲ୍‌ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ଜାକର୍ତା ଏସୀୟ କ୍ରୀଡ଼ାରେ ରୌପ୍ୟ ଏବଂ ଗତବର୍ଷ ବିଡବ୍ଲୁଏଫ୍‌ ବିଶ୍ବ ଟୁର୍‌ ଫାଇନାଲ୍‌ସରେ ରୌପ୍ୟ ପଦକ ସିନ୍ଧୁଙ୍କ ସଫଳତାର ଆଉ ଗୋଟିଏ ଗୋଟିଏ ଫର୍ଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରିକେଟର ସଚିନ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ, ପ୍ରଜ୍ଞାନ ଓଝା, ହରଭଜନ ସିଂହ, ଅଭିନେତା ଅନୁପମ ଖେର ପ୍ରମୁଖ ଏହି ସଫଳତା ଲାଗି ସିନ୍ଧୁଙ୍କୁ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe