ଭୁବନେଶ୍ବର : ଭୁବନେଶ୍ବର ଗଲ୍ଫ କୋର୍ସରେ ବୁଧବାର ସକାଳେ ଏକ ଅପୂର୍ବ ମିଳନ ଦେଖିବାକୁ ମିଳିଥିଲା। ଭାରତୀୟ କ୍ରୀଡ଼ା ଦୁନିଆର ଦୁଇ ଭିନ୍ନ ଖେଳର କିଂବଦନ୍ତି ପୁରୁଷ ପରସ୍ପରକୁ ଅଚାନକ ଭେଟି ପୁରୁଣା ଦିନକୁ ମନେ ପକାଇଥିଲେ। ସେମାନେ ଥିଲେ ଭାରତର ଏକମାତ୍ର ଟେନିସ୍ ଅଲିମ୍ପିକ୍ ପଦକ ବିଜେତା ଲିଆଣ୍ଡର ପେସ୍ ଏବଂ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲିପ ତିର୍କି। ‘ସମ୍ବାଦ’ର ପ୍ରେରଣାଦାୟୀ ବକ୍ତୃତା ପ୍ରଦାନ ଲାଗି ମଙ୍ଗଳବାରଠାରୁ ଭୁବନେଶ୍ବର ଆସିଥିବା ଲିଆଣ୍ଡର ବୁଧବାର ପ୍ରତ୍ୟୁଷରୁ ଇନ୍ଫୋସିସସ୍ଥିତ ଭୁବନେଶ୍ବର ଗଲ୍ଫ କୋର୍ସରେ ଗଲ୍ଫ ଖେଳିବାକୁ ଯାଇଥିଲେ। ଏହି ସମୟରେ ନିୟମିତ ନିଜ ଗଲ୍ଫ ପ୍ରତିଭାକୁ ଶାଣିତ କରୁଥିବା ହକି କିଂବଦନ୍ତି ଦିଲିପ ତିର୍କିଙ୍କ ସହ ଭେଟ ହୋଇଥିଲା। ଏକାଧିକ ଥର ଅଲିମ୍ପିକ୍ସ କ୍ରୀଡ଼ାଗ୍ରାମରେ ପରସ୍ପରକୁ ଭେଟିଥିବା ଏହି ଦୁଇ ମହାନ କ୍ରୀଡ଼ା ବ୍ୟକ୍ତିତ୍ବଙ୍କ ପୁରୁଣା ବଂଧୁତ୍ବ ବି ନବୀକରଣ ହୋଇଯାଇଥିଲା। ଏହା ପରେ ମଧ୍ୟାହ୍ନରେ ଏକ ତାରକା ହୋଟେଲ୍ରେ ଏକାଠି ହୋଇଥିଲେ। ଦିଲିପଙ୍କ ପତ୍ନୀ ମୀରା ଓ ପୁତ୍ର ଜୟେସ ମଧ୍ୟ ସାମିଲ ହୋଇଥିଲେ। ‘ଜଣେ ମହାନ ପିତାଙ୍କୁ ପାଇଛୁ, ତାଙ୍କ ଭଳି ହେବାକୁ ଚେଷ୍ଟା କରିବୁ ଏବଂ ନିଜ ଇଚ୍ଛା ଅନୁସାରେ ଯେଉଁ ଖେଳକୁ ପସନ୍ଦ କରି ଖେଳିବୁ’ ବୋଲି ଜୟେସକୁ ନିଜ ଶୁଭେଚ୍ଛା ଅବସରରେ ପ୍ରବର୍ତ୍ତାଇଥିଲେ ଲିଆଣ୍ଡର୍। ‘ଆମେ ପରସ୍ପରର ଭଲ ବଂଧୁ ଏବଂ ଅଲିମ୍ପିକ୍ସ ସମୟରେ ଯେଉଁଦିନ ମ୍ୟାଚ୍ ନ ଥାଏ ସେ ହକି ପଡିଆକୁ ଆସି ଆମ ସହିତ ଅଭ୍ୟାସ କରିଥାନ୍ତି’ ବୋଲି ଦିଲିପ ପ୍ରକାଶ କରିଥିଲେ। ପୁଅ କେଉଁ ଖେଳ ଖେଳିବ ତା’ ମର୍ଜି ଉପରେ ଛାଡ଼ିଦେଇଛୁ ବୋଲି ମଧ୍ୟ କହିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us