ଲଣ୍ଡନ: ଏଫ୍ଆଇଏଚ୍ ପ୍ରୋ ଲିଗ୍ ଲାଗି ୟୁରୋପ ଗସ୍ତରେ ଥିବା ଭାରତ ଶନିବାର ପୁଣି ବିଜୟ ହାସଲ କରିଛି। ବେଲ୍ଜିୟମ ଓ ଗ୍ରେଟ୍ ବ୍ରିଟେନ୍ଠୁ ପ୍ରଥମ ଚରଣ ମ୍ୟାଚ୍ ହାରିଥିବା ଭାରତ ଦ୍ବିତୀୟ ଚରଣରେ ଉଭୟ ଦଳକୁ ହରାଇବାକୁ ସକ୍ଷମ ହୋଇଛି। ଶୁକ୍ରବାର ବେଲ୍ଜିୟମକୁ ହରାଇଥିବା ଭାରତ ଶନିବାର ଗ୍ରେଟ୍ ବ୍ରିଟେନ୍କୁ ୪-୨ (୪-୪) ସୁଟ୍ ଆଉଟ୍ରେ ପରାସ୍ତ କରି ମଧୁର ପ୍ରତିଶୋଧ ନେଇଛି। ଏଥିସହ ନେଦରଲାଣ୍ଡ୍ସ ଗସ୍ତ ପୂର୍ବରୁ ନିଜର ମନୋବଳକୁ ଦୃଢ଼ ରଖିଛି। ନେଦରଲାଣ୍ଡ୍ସରେ ଭାରତ ୭ ତାରିଖରୁ ଘରୋଇ ଦଳ ଓ ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ।
ଶନିବାର ମ୍ୟାଚ୍ର ସପ୍ତମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହର୍ମନପ୍ରୀତ ସିଂହ ଗୋଲ୍ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହା ପର ମିନିଟ୍ରେ ସାମ ୱାର୍ଡଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍ରେ ଇଂଲଣ୍ଡ ସ୍ଥିତି ସମାନ କରିଦେଇଥିଲା। ୧୯ତମ ମିନିଟ୍ରେ ମନଦୀପ ସିଂହଙ୍କ ଗୋଲ୍ରେ ଭାରତ ପୁଣି ଅଗ୍ରଣୀ ନେଇଥିଲା। ଏହାପରେ ସୁଖଜିତ ସିଂହ (୩୪ ମିନିଟ୍) ଫିଲ୍ଡ ଗୋଲ୍ ଦେଇ ଭାରତକୁ ୩-୧ରେ ପ୍ରଥମାର୍ଦ୍ଧରେ ଆଗୁଆ ରଖିଥିଲେ। ତେବେ ୪୦ ଓ ୪୭ ମିନିଟ୍ରେ ୱାର୍ଡ ଦୁଇଟି ଗୋଲ୍ ଦେଇ ବ୍ୟକ୍ତିଗତ ହ୍ୟାଟ୍ରିକ ସହ ପୁଣି ମ୍ୟାଚ୍ ସ୍ଥିତି ସମାନ କରିଥିଲେ। ୫୦ତମ ମିନିଟ୍ରେ ଅଭିଷେକଙ୍କ ଗୋଲ୍ରେ ଭାରତ ପୁଣି ଆଗୁଆ ହୋଇଥିଲା। ଏହି ଗୋଲ୍ଟି ୱାର୍ଡ (୫୩ ମିନିଟ୍) ଶୁଝି ଦେବାରୁ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ୪-୪ରେ ଅମୀମାଂସିତ ରହିଥିଲା। ଫଳରେ ମ୍ୟାଚ୍ ସୁଟ୍ଆଉଟ୍କୁ ଯାଇଥିଲା। ଏଥିରେ ଭାରତ ୪-୨ରେ ବିଜୟୀ ହୋଇଥିଲା। ସୁଟ୍ଆଉଟ୍ରେ ଭାରତର ମନପ୍ରୀତ ସିଂହ, ହର୍ମନପ୍ରୀତ, ଲଳିତ କୁମାର ଉପାଧ୍ୟୟ ଓ ଅଭିଷେକ ୪ଟି ଯାକ ସୁଯୋଗକୁ ଗୋଲ୍ରେ ପରିଣତ କରିଥିଲେ। ହେଲେ ଇଂଲଣ୍ଡ ଖେଳାଳି ୨ଟିରେ ସଫଳ ହୋଇଥିଲା ବେଳେ ୨ଟି ବିଫଳ ହୋଇ ପରାଜୟ ବରଣ କରିଥିଲା।
Follow Us