ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦୁଇ ସୁପରଷ୍ଟାର୍ ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି। ଉଭୟ ପରସ୍ପରକୁ ସମ୍ମାନ କରନ୍ତି ଏବଂ ବୁଝାମଣା ଭଲ ରହିଛି ବୋଲି ବିସିସିଆଇର କ୍ରିକେଟ୍ ପ୍ରଶାସନିକ ସମିତି (ସିଓଏ) ମୁଖ୍ୟ ବିନୋଦ ରାଏ କହିଛନ୍ତି। ଏହି ଦୁଇ ମହାନ କ୍ରିକେଟରଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଭଲ ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ଫଳରେ ବିସିସିଆଇ ଚୁକ୍ତି ପ୍ରକାଶ ପରେ ଉଭୟଙ୍କ ସମ୍ପର୍କକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିସିସିଆଇ ଚୁକ୍ତିର ଏଲିଟ୍ ଗ୍ରୁପ୍ରୁ ଧୋନି ତଳକୁ ଖସିଥିବାବେଳେ କୋହଲି ଏ+ ଶ୍ରେଣୀରେ ରହିଥିଲେ। ଧୋନିଙ୍କ ଅବନତି ପଛରେ କୋହଲିଙ୍କ ହାତ ରହିଛି ବୋଲି ଅଭିଯୋଗ ହେଉଥିଲା। କିନ୍ତୁ ବିନୋଦ ରାଏ ସ୍ପଷ୍ଟ କରିଛନ୍ତି ଯେ ଉଭୟ ହିଁ ଏଭଳି ଚୁକ୍ତି ବ୍ୟବସ୍ଥାକୁ ସୁପାରିସ୍ କରିଥିଲେ। ଉଭୟ ଧୋନି ଏବଂ କୋହଲିଙ୍କ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟ ଅତି ଭଲ। ଧୋନିଙ୍କ ପ୍ରଖର କ୍ରିକେଟ୍ ବୁଦ୍ଧିକୁ ବିରାଟ ସମ୍ମାନ କରନ୍ତି ଏବଂ ଖେଳାଳିଭାବେ ବିରାଟଙ୍କ କୃତିତ୍ୱକୁ ଧୋନି ମଧ୍ୟ ସମ୍ମାନ ଜଣାଇଥାନ୍ତି। ସିଓଏ ନିକଟରେ କୋହଲି କେଉଁଠି କହିଛନ୍ତି ଯେ, ଧୋନି ସୀମିତ ଓଭର ଦଳରେ ଏବେ ମଧ୍ୟ ଅପରିବର୍ତନୀୟ ଖେଳାଳି। କୋହଲିଙ୍କ ବିଚାରରେ ଧୋନିଙ୍କ ଗ୍ଲୋଭ୍ସ ଏବେ ବି ଗତିଶୀଳ ରହିଛି। ତାଙ୍କ କ୍ରିକେଟ୍ ଜ୍ଞାନ ଓ ଅଭିଜ୍ଞତା ଦଳ ପାଇଁ ସମ୍ପତ୍ତି ସଦୃଶ। ତାଙ୍କ ନିକଟରେ ଆଉ କେତେ ବର୍ଷର କ୍ରିକେଟ୍ ରହିଛି ତାହା କେବଳ ସମୟ ଏବଂ ପ୍ରଦର୍ଶନ ହିଁ କହିବ ବୋଲି ସେ ଦର୍ଶାଇଥିଲେ। ସୂଚନାଯୋଗ୍ୟ, ମାର୍ଚ ପ୍ରାରମ୍ଭରେ ବିସିସିଆଇ ଘୋଷଣା କରିଥିବା ଚୁକ୍ତିର ଏ+ ଶ୍ରେଣୀରେ କୋହଲିଙ୍କ ସହିତ ୫ ଜଣ ରହିଥିଲେ। ଧୋନି କିନ୍ତୁ ‘ଏ’ ଶ୍ରେଣୀରେ ସ୍ଥାନ ପାଇଥିଲେ। ଫଳରେ କୋହଲିଙ୍କୁ ୭ କୋଟି ବନ୍ଧନୀରେ ଏବଂ ଧୋନିଙ୍କୁ ୫ କୋଟି ବନ୍ଧନୀରେ ରଖାଯାଇଥିଲା। ଏ+ ଶ୍ରେଣୀକୁ ଖେଳାଳି ମାନେ ସୁପାରିସ୍ କରିଥିଲେ। ସମସ୍ତ ୩ ଫର୍ମାଟ୍ ଖେଳୁଥିବାଙ୍କୁ ଏଥିରେ ସାମିଲ କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us