‘ହଲୋ’ ପାଇଁ ବଞ୍ଚିଲା ଗ୍ରସଜିଁଙ୍କ ଜୀବନ, ଜାଣନ୍ତୁ ରେସିଂ କାରରେ ଲାଗିଥିବା ‘ହଲୋ’ ପ୍ରଣାଳୀ କ’ଣ

Advertisment
‘ହଲୋ’ ପାଇଁ ବଞ୍ଚିଲା ଗ୍ରସଜିଁଙ୍କ ଜୀବନ, ଜାଣନ୍ତୁ ରେସିଂ କାରରେ ଲାଗିଥିବା ‘ହଲୋ’ ପ୍ରଣାଳୀ କ’ଣ

ସିଖର (ବାହାରିନ): ବାହରିନ୍ ଗ୍ରାଁ ପ୍ରିରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ଆଲୌକିକ ଭାବେ ଅକ୍ଷତ ରହିଥିଲେ ‘ହସ୍’ ଦଳର ଚାଳକ ରୋମେନ ଗ୍ରସଜିଁ। କାର୍ ପାଖାପାଖି ଅଢ଼େଇ ଶହ କିଲୋମିଟର ବେଗ୍‌ରେ ଥିଲା ବେଳେ ଫରାସି ଚାଳକ ଗ୍ରସଜିଁ ହଠାତ୍ ତା’ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଆଖିପିଛୁଳାକେ ତାଙ୍କ ଦାମୀ ଓ ଶକ୍ତିଶାଳୀ କାର୍‌ ସର୍କିଟ ବାହରର ସୁରକ୍ଷା କାନ୍ଥରେ ପିଟି ହୋଇ ଖଣ୍ଡଖଣ୍ଡ ହୋଇଯିବା ସହ ଏକ ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା। ଭୀଷଣ, ଭୟଙ୍କର ଓ ଲୋମଟାଙ୍କୁରି ହୋଇଗଲା ଭଳି ଏହି ଦୁର୍ଘଟଣାରେ ତାଙ୍କ ହାତ ଓ ଗୋଡ଼ରେ କିଛି ଫୋଟକା ମାତ୍ର ହୋଇଥିଲା। ସେ କିନ୍ତୁ ପୂରା ସୁସ୍ଥ ଓ ସତେଜ ଥିଲେ। ଯାହା କୌଣସି ଚମତ୍କାରଠାରୁ କମ୍ ନଥିଲା। ଗ୍ରସଜିଁଙ୍କ ଜୀବନ ବଞ୍ଚିଯିବାକୁ ଅତୀତ ଓ ବର୍ତ୍ତମାନର ଅନେକ ମହାନ ଚାଳକ ବିଶ୍ବାସ ବି କରି ପାରୁ ନଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣାରୁ ସେ ଅକ୍ଷତ ଭା‌ବେ ଉଦ୍ଧାର ହେବାର ଅସଲ କାରଣ କିନ୍ତୁ ଏବେ ପଦାକୁ ଆସିଛି। ପ୍ରକୃତ କଥା ହେଲା ଗ୍ରସଜିଁଙ୍କ ଜୀବନ ତାଙ୍କ କାର୍‌ରେ ଲାଗିଥିବା ‘ହଲୋ’ ବାର୍ ପାଇଁ ବଞ୍ଚି ଯାଇଥିଲା। ତେବେ କଣ ଏହି ‘ହଲୋ’ ବାର୍ ଆସନ୍ତୁ ଜାଣିବା। ‘ହଲୋ’ ପ୍ରଣାଳୀ ଫର୍ମୁଲା ୱାନ୍ କାର୍ କକପିଟ୍‌ରେ ଲାଗିଥାଏ।

ଟାଇଟାନିୟମରେ ପ୍ରସ୍ତୁତ ଏହି ତିନି କୋଣିଆ ପ୍ରଣାଳୀ ଚାଳକଙ୍କ ମୁଣ୍ଡର ସୁରକ୍ଷା କରିଥାଏ। ଏହା କାର୍‌ର ତିନିଟି ପଏଣ୍ଟକୁ ସଂଯୋଗ ଛୁଇଁଥାଏ ଏବଂ ଏହାର ଓଜନ ୭ରୁ ୮ କିଲୋଗ୍ରାମ ମଧ୍ୟରେ ରହିଥାଏ। ‘ହଲୋ’ ଏତେ ଶକ୍ତିଶାଳୀ ହୋଇଥାଏ ଯେ ତା’ ଉପରେ ୧୨୦୦୦ କିଲୋଗ୍ରାମ ଓଜନର ବସ୍ ଲଦିଲେ ମଧ୍ୟ ଭାଙ୍ଗି ନଥାଏ। ଚାଳକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଦୀର୍ଘ ଦିନର ଗବେଷଣା ପରେ ଅନ୍ତର୍ଜାତୀୟ ଅଟାମୋବାଇଲ୍ ଫେଡେରେସନ୍ (ଏଫ୍‌ଆଇଏ) ଏହି ‘ହଲୋ’ ପ୍ରଣାଳୀକୁ ଉଦ୍ଭାବନ କରିଛି। ଏହାର ଉପଯୋଗ ପରେ ଦୁର୍ଘଟଣା ସମୟରେ ଚାଳକଙ୍କ ଜୀବନରକ୍ଷା ସମ୍ଭାବନା ୧୭ ପ୍ରତିଶତ ବଢ଼ି ଯାଇଥାଏ। ୨୦୧୮ ମସିହାରୁ ଫର୍ମୁଲା-୩, ଫର୍ମୁଲା‌-୨, ଫର୍ମୁଲା-ଇ ଏବଂ ଫର୍ମୁଲା-୧ କାର୍‌ରେ ଏହି ‘ହଲୋ’ ପ୍ରଣାଳୀ ଲଗାଇବାକୁ ଏଫ୍‌ଆଇଏ ବାଧ୍ୟତାମୂଳକ କରିଛି। ପ୍ରଥମେ ପ୍ରଥମେ କିନ୍ତୁ ଏହାକୁ ଅଧିକାଂଶ ଚାଳକ ବିରୋଧ କରିଥିଲେ। ବିଶ୍ବବିଜେତା ଲୁଇସ୍ ହାମିଲଟନଙ୍କ ସହ ନିଜେ ଗ୍ରସଜିଁ ମଧ୍ୟ ଏହାକୁ ପସନ୍ଦ କରି ନଥିଲେ। ହେଲେ ଏବେ ସମସ୍ତେ ଏହାକୁ ପ୍ରଶଂସା କରୁଛନ୍ତି। ଜୀବନ ବଞ୍ଚିବା ପରେ ଗ୍ରସଜିଁ ମଧ୍ୟ ‘ହଲୋ’କୁ ଧନ୍ୟବାଦ ଦେଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ‘ହଲୋ’ ପାଇଁ ଫର୍ମୁଲା-୨ ଚାଳକ ତାଦାସୁକେ ମାକିନୋ, ଫର୍ମୁଲା ୱାନ୍ ଚାଳକ ଚାର୍ଲସ ଲେକରେକ ଓ ଫର୍ମୁଲା-୩ ଚାଳକ ଆଲେକ୍ସ ପେରୋନିଙ୍କ ଜୀବନ ବଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe