ବାଂଲାଦେଶ ପାଇଁ ବଡ଼ ସୁଯୋଗ

Advertisment
ବାଂଲାଦେଶ ପାଇଁ ବଡ଼ ସୁଯୋଗ

India Today

ମାଉଣ୍ଟମଙ୍ଗନୁଇ: ବାଂଲାଦେଶ କ୍ରିକେଟ୍ ଦଳ ଇତିହାସ ରଚିବା ଦ୍ବାର ଦେଶରେ ରହିଛି। ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ତା’ର ଦ୍ବିତୀୟ ପାଳିରେ ଅଧା ଦଳ ହରାଇ ମାତ୍ର ୧୭ ରନ୍‌ରେ ଆଗୁଆ ରହିବା ପରେ ଭ୍ରମଣକାରୀ ଦଳ ପାଇଁ ସ୍ମରଣୀୟ ବିଜୟ ହାସଲ କରିବାର ସୁଯୋଗ ସୃଷ୍ଟି ହୋଇଛି। ମଙ୍ଗଳବାର ବିଶ୍ବ ଟେଷ୍ଟ୍ ଚାମ୍ପି୍ଅନସିପ୍ ବିଜେତା ନ୍ୟୁଜିଲାଣ୍ଡର ବଳକା ୫ ୱିକେଟ୍ ୧୦୦ ରନ୍ ଭିତରେ ନେଇପାରିଲେ ନିଜ ଟେଷ୍ଟ୍ ଇତିହାସର ଅନ୍ୟତମ ବଡ଼ ବିଜୟ ହାସଲ କରିବ ଉଦୀୟମାନ ଏସୀୟ ଶକ୍ତି ବାଂଲାଦେଶ।

ମଙ୍ଗଳବାର ଚତୁର୍ଥ ଦିନ ଖେଳର ଅନ୍ତିମ ଅଧିବେଶନରେ ବାଂଲା ଦ୍ରୁତ ବୋଲର ଇବାଦତ ହୁସେନ ୧୨ ବଲ୍ ଭିତରେ ନ୍ୟୁଜିଲାଣ୍ଡର ୩ ଜଣ ବ୍ୟାଟର୍‌ଙ୍କୁ ଆଉଟ୍ କରିବା ପରେ ହିଁ ମ୍ୟାଚ୍‌‌ରେ ରୋମାଞ୍ଚ ଭରି ଯାଇଥିଲା। ନ୍ୟୁଜିଲାଣ୍ଡ ୧୪୭/୫ରେ ଖେଳ ଶେଷ କରିବା ଫଳରେ ବାଂଲାଦେଶ ଦୃଢ଼ ସ୍ଥିତିରେ ରହିଥିଲା। ଏହା ପୂର୍ବରୁ ବାଂଲାଦେଶର ଶୀର୍ଷ ୬ ଭିତରୁ ୪ ଜଣ ବ୍ୟାଟର୍‌ ଅର୍ଦ୍ଧଶତକ ଅର୍ଜନ କରିବାରୁ ଏହି ଦଳ ୧୩୦ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ଲାଭ କରିଥିଲା। ନ୍ୟୁଜିଲାଣ୍ଡର ୩୨୮ ରନ୍ ଜବାବରେ ପ୍ରଥମ ପାଳିରେ ୪୫୮ ରନ୍ କରି ନେଇଥିଲା ବାଂଲାଦେଶ। ଏହା ପରେ ଇବାଦତ (୪/୩୯) ଘରୋଇ ଦଳର ଶୀର୍ଷକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ଆଉ ସେଥିପାଇଁ ଦୁର୍ବଳ କ୍ଷେତ୍ରରକ୍ଷଣ ଏବଂ ଡିଆର୍‌ଏସ୍ ଉପଯୋଗ କରିବାରେ ଗୁରୁତର ତ୍ରୁଟି କରିବା ସତ୍ତ୍ବେ ବାଂଲାଦେଶ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାର ନିକଟତର ହୋଇଛି।

ମଙ୍ଗଳବାରର ଖେଳ ବନ୍ଦ ବେଳକୁ ନିଜ ଘଟଣା ବହୁଳ କ୍ରିକେଟ୍ ଜୀବନର ଶେଷ ଟେଷ୍ଟ୍ ଶୃଙ୍ଖଳା ଖେଳୁଥିବା ରସ୍ ଟେଲର ୩୭ ଏବଂ ଭାରତୀୟ ବଂଶୋଦ୍ଭବ ଅଲରାଉଣ୍ଡର୍ ରାଚିନ ରବୀନ୍ଦ୍ର ୬ ରନ୍ କରି ଅପରାଜିତ ରହିଛନ୍ତି। ଯାହା ଫଳରେ ବୁଧବାର ପଞ୍ଚମ ତଥା ଶେଷ ଦିନର ଖେଳ ବେଶ୍ ରୋମାଞ୍ଚଭରା ହେବ ବୋଲି ଆଶା କରାଯାଇଛି।
‘‘ଆମେ ଏବେ ଦୃଢ଼ ସ୍ଥିତିରେ ରହିଛୁ। ତଥାପି ମାତ୍ରାଧିକ ଉତ୍ସାହିତ ନାହୁଁ’’ ବୋଲି ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ଲିଟନ ଦାସ କହିଛନ୍ତି। ସେପଟେ ପରିସ୍ଥିତି ଯାହା ହେ‌ଲେ ମଧ୍ୟ ସକାରାତ୍ମକ କ୍ରିକେଟ୍ ଖେଳିବାକୁ ନ୍ୟୁଜିଲାଣ୍ଡ ବ୍ୟାଟିଂ ପ୍ରଶିକ୍ଷକ ଲୁକ୍ ରୋଞ୍ଚି ନିଜ ଖେଳାଳିମାନଙ୍କୁ ଆହ୍ବାନ କରିଛନ୍ତି। ‘‘ଆସନ୍ତାକାଲି ଆମେ ସକାରାତ୍ମକ କ୍ରିକେଟ୍ ଖେଳିବୁ। ଆଉ କିଛି ରନ୍ ଯୋଡ଼ିବାକୁ ଚେଷ୍ଟା କରିବୁ। ଆମେ ପୂରା ଦିନ ବ୍ୟାଟିଂ କରିବା ସପକ୍ଷରେ ନାହୁଁ’’ ବୋଲି କହିଛନ୍ତି ସେ।

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ପ୍ରଥମ ପାଳି ୩୨୮। ବାଂଲାଦେଶ ପ୍ରଥମ ପାଳି ୪୫୮ (ମୋମିନୁଲ ୮୮, ଲିଟନ ଦାସ ୮୬, ମାହମଦୁଲ ହାସନ ୭୮, ନଜମୁଲ ହୁସେନ ୬୪, ଟ୍ରେଣ୍ଟ ବୋଲ୍ଟ ୪/୮୫, ନିଲ୍ ୱାଗନର ୩/୧୦୧)। ନ୍ୟୁଜିଲାଣ୍ଡ ଦ୍ବିତୀୟ ପାଳି ୧୪୭/୫ (ୱିଲ୍ ୟଙ୍ଗ ୬୯, ରସ୍ ଟେଲର ୩୭*, ଇବାଦତ ହୁସେନ ୪/୩୯, ତସ୍କିନ ବଣ୍ଡ ୧/୨୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe