ଅହମଦାବାଦ : ପଦାର୍ପଣରେ ପ୍ରଭାବୀ, ପ୍ରଶଂସନୀୟ ଏବଂ ପରାକ୍ରମୀ ପ୍ରଦର୍ଶନ କରି ଗୁଜରାଟ ଟାଇଟନ୍ସ ଆଇପିଏଲ୍ ବିଜେତା ହୋଇଛି। ରବିବାରର ଲୋ ସ୍କୋରିଂ ଫାଇନାଲ୍ ତଥା ବହୁପ୍ରତୀକ୍ଷିତ ଟ୍ରଫି ଟକ୍କରରେ ରାଜସ୍ଥାନ ରୟାଲ୍ସକୁ ଏକତରଫା ଭାବେ ୭ ୱିକେଟ୍ରେ ହରାଇ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟନ୍ସ ଏହି ଅନନ୍ୟ ସଫଳତା ଲାଭ କରିଛି। ତା’ ସହ ଆକର୍ଷଣୀୟ ଆଇପିଏଲ୍ ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିଛି।
Scroll.inରାଜସ୍ଥାନ ଆଜି ଗୁଜୁରାଟ ସମ୍ମୁଖରେ ମାତ୍ର ୧୩୧ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଯାହାକୁ ଗୁଜରାଟ ୧୧ ବଲ୍ ପୂର୍ବରୁ ହାସଲ କରିନେଇ ବିଜେତା ଆଖ୍ୟା ଅର୍ଜନ କରିଥିଲା। ରାଜସ୍ଥାନ ୨୩ ରନ୍ରେ ୨ ୱିକେଟ୍ ନେଇ ମ୍ୟାଚ୍ରେ କିଛିଟା ରୋମାଞ୍ଚ ଭରିବାକୁ ଚେଷ୍ଟା କରିଥିଲା। ହେଲେ ଶୁବମନ୍ ଗିଲ୍ ଓ ପାଣ୍ଡ୍ୟା ତୃତୀୟ ୱିକେଟ୍ରେ ୬୩ ରନ୍ ଯୋଡ଼ି ଗୁଜୁରାଟ ପାଇଁ ବିଜୟ ଆଶା ସୃଷ୍ଟି କରିଥିଲେ। ଦାୟିତ୍ବବାନ ବ୍ୟାଟିଂ କରି ଯୁବ ତାରକା ଶୁବମନ (୪୫*) ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ଦର୍ଶନୀୟ ଛକାରେ ଗୁଜରାଟ ବିଜୟରେ ମୁଣ୍ଡି ମାରିଥିଲେ। ତା ସହ ରାଜସ୍ଥାନ ବିପକ୍ଷରେ ଗୁଜୁରାଟ ଲଗାତାର ତୃତୀୟ ମ୍ୟାଚ୍ ଜିତିବାର ସଫଳତା ବି ଲାଭ କରିଥିଲା।
India Todayତେବେ ଅଧିନାୟକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ୍ ପରାକ୍ରମ ହିଁ ଗୁଜରାଟକୁ ବିଜୟ ମୁକୁଟ ପିନ୍ଧାଇଥିଲା। ପାଣ୍ଡ୍ୟା ପ୍ରଥମେ ୧୭ ରନ୍ ବିନିମୟରେ ୩ ୱିକେଟ୍ କରାୟତ୍ତ କରି ରାଜସ୍ଥାନକୁ ୧୩୦/୯ରେ ଅଟକାଇ ଦେଇଥିଲେ। ତା ପରେ ୩୪ ରନ୍ର ଦ୍ରୁତ ପାଳି ଖେଳି ଗୁଜୁରାଟକୁ ବିପଦରୁ ବାହାରକୁ ନେଇ ଆସିଥିଲେ। ପୂର୍ବରୁ ପାଣ୍ଡ୍ୟାଙ୍କ ବଳିଷ୍ଠ ନେତୃତ୍ବ ବଳରେ ଗୁଜୁରାଟ ଟାଇଟନ୍ସ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି କ୍ବାଲିଫାୟର ଯାଇଥିଲା। ସେଠାରେ ରାଜସ୍ଥାନକୁ ହରାଇ ହିଁ ଗୁଜରାଟ ଫାଇନାଲ୍ ଯାଇଥିଲା। ଅନ୍ୟପକ୍ଷରେ ୧୪ ବର୍ଷ ପରେ ଫାଇନାଲ୍କୁ ଯାଇଥିବା ରାଜସ୍ଥାନର ଦ୍ବିତୀୟ ଥର ବିଜେତା ହେବା ଆଶା ଆଶାରେ ରହି ଯାଇଥିଲା।
Follow Us