କଠିନ ପରିଶ୍ରମ କରିନଥିଲେ, ସଚିନ ଭୋଗିଥା’ନ୍ତେ କାମ୍ବଲିଙ୍କ ଦଶା

Advertisment
କଠିନ ପରିଶ୍ରମ କରିନଥିଲେ, ସଚିନ ଭୋଗିଥା’ନ୍ତେ କାମ୍ବଲିଙ୍କ ଦଶା

photo-economics times

ନୂଆଦିଲ୍ଲୀ: ସଚିନ କେବଳ ଜଣେ ବିଶ୍ବକପ୍‌ ବିଜେତା ବ୍ୟାଟର୍‌ ନୁହଁନ୍ତି, ଏମିତି କୌଣସି ପ୍ରମୁଖ ବ୍ୟାଟିଂ କୀର୍ତ୍ତିମାନ ନାହିଁ ଯାହା ଦିନେ ସଚିନଙ୍କ ନାମରେ ଥିଲା ଅବା ଅଛି। କଠିନ ପରିଶ୍ରମ ଜରିଆରେ ହିଁ ସଚିନ ନିଜ ପ୍ରତିଭାରୁ ସର୍ବାଧିକ ଫାଇଦା ଉଠାଇ ଶୀର୍ଷ ସ୍ତରର ସଫଳତା ପାଇଥିଲେ। ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଧ୍ବ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଛାଇ ରହିଥିବା ସଚିନ କଠିନ ପରିଶ୍ରମ କରିବା ଫଳରେ ହିଁ କିଂବଦନ୍ତି ପାଲଟିଥିଲେ। ସବୁଠାରୁ ବଡ଼ କଥା ହେଲା ଖେଳ ଜୀବନର ପ୍ରାରମ୍ଭରେ ସଚିନଙ୍କୁ ଅନ୍ୟତମ କିଂବଦନ୍ତି କପିଳ ଦେବଙ୍କଠାରୁ ମିଳିଥିବା ମାର୍ଗଦର୍ଶନ ହିଁ ତାଙ୍କୁ ବଡ଼ ସହାୟକ ହୋଇଥିଲା। କଠିନ ପରିଶ୍ରମ ନ କଲେ, ନିଜ ବଂଧୁ ବିନୋଦ କାମ୍ବଲିଙ୍କ ଭଳି ଦଶା ଭୋଗିବ ବୋଲି ସଚିନଙ୍କୁ କପିଳ ରୋକ୍‌ଠୋକ୍‌ କହିଥିଲେ। ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସି ୨୪ ବର୍ଷ ରାଜ କରିଥିବା ଏହି ବ୍ୟାଟର୍‌ ୧୦୦ ଅନ୍ତର୍ଜାତୀୟ ଶତକ ସହିତ ୩୪,୦୦୦ରୁ ଊର୍ଧ୍ବ ରନ୍ ସଂଗ୍ରହ କରିଥିଲେ। ସଚିନଙ୍କୁ ଉଚ୍ଚ ପ୍ରଶଂସା କରି କପିଳ କହିଛନ୍ତି ‘ବେ‌ଳେବେଳେ ଯୁବ ଖେଳାଳିମାନେ ଅନ୍ୟକୁ ପ୍ରଭାବିତ କରିବାକୁ କିଛି କରି ବସନ୍ତି। ମୋର ବିଶ୍ବାସ ଜଣେ ପ୍ରଥମେ ନିଜକୁ ଭଲ ପାଇବା ଉଚିତ ଓ ପରେ ନିଜ ପସନ୍ଦକୁ ଗୁରୁତ୍ବ ଦେବା ଆବଶ୍ୟକ। ପାଗଳାମି, କଠିନ ପରିଶ୍ରମ ଓ ସଙ୍କଳ୍ପର ବିକଳ୍ପ ନାହିଁ। ସଚିନ ତେନ୍ଦୁଲକର ହେଉଛନ୍ତି ପ୍ରତିଭା ଓ କଠିନ ପରିଶ୍ରମ ସଂଯୋଗର ଶ୍ରେଷ୍ଠ ଉଦାହରଣ। ଆପଣଙ୍କ ପାଖରେ ଯଦି ପ୍ରତିଭା ଅଛି, କିନ୍ତୁ ତୁମେ ପରିଶ୍ରମି ନୁହଁ ତେବେ ତୁମକୁ ବି‌ନୋଦ କାମ୍ବଲିଙ୍କ ବାଟରେ ଯିବାକୁ ପଡ଼ିବ।’

ସୂଚନାଯୋଗ୍ୟ, କପିଳ ଦେବଙ୍କ ଅବସରକୁ ୨୮ ବର୍ଷ ବିତିଥିଲେ ମଧ୍ୟ ଭାରତ ଏବେ ମଧ୍ୟ ସେଭଳି ଜଣେ ଅଲ୍‌ରାଉଣ୍ଡର୍‌ ସୃଷ୍ଟି କରିପାରିନାହିଁ। ‘ମୁଁ ଅଧିକ କଥା କହିବାରେ ବିଶ୍ବାସ କରେନାହିଁ, ଆକ୍ସନରେ ବିଶ୍ବାସ କରେ। ତୁମେ ଯଦି କୌଣସିରେ ପାଗଳାମି ଦେଖାଇବ ତେବେ ନିଶ୍ଚିତ ସଫଳ ହେବ। ଯୁବକ ଅବସ୍ଥାରେ ମୁଁ ଅଭ୍ୟାସ କରୁଥିଲି। ଘଣ୍ଟା ଘଣ୍ଟା ଧରି ‌ଖେଳୁଥିଲି। ଦିନ ଓ ରାତି ମଧ୍ୟରେ ଫରକ ଦେଖୁନଥିଲି। ତୁମେ ଯେତେବେଳେ କିଛି ଭଲ ପାଅ ସେତେବେଳେ ସମୟ ଓ ଅନ୍ୟ ସବୁକୁ ଭୁଲିଯିବାକୁ ହୁଏ’ ବୋଲି କପିଳ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe