ନାଟକୀୟ ନିଷ୍ପତ୍ତିର ପ୍ରଭାବ ସ୍ପେନ୍‌ ଉପରେ ପଡ଼ିବ

ହ୍ୟାଣ୍ଡ୍‌ ଅଫ୍‌ ଗଡ୍‌ ଡିଏଗୋ ମାରାଡୋନା

ମନୋବଳର ମୁକାବିଲା

ସାଧାରଣ ଜୀବନ ଭଳି ଖେଳରେ ମଧ୍ୟ ଅନେକ ଅପ୍ରତ୍ୟାଶିତ ଓ ନାଟକୀୟ ମୋଡ଼ ଆସିଥାଏ। ଯେମିତି ୨୧ତମ ବିଶ୍ୱକପ୍‌ର ଅବ୍ୟବହିତ ପୂର୍ବରୁ ସ୍ପେନ୍‌ ତା’ ପ୍ରଶିକ୍ଷକ ଜୁଲେନ ଲୋପେତେଗୁଇଙ୍କୁ ବିହିଷ୍କୃତ କଲା` ବିଶ୍ୱକପ୍‌ର ଏତେ ପାଖରେ ଥାଇ କୌଣସି ଦଳ ଏଭଳି ଚକିତ କଲା ଭଳି ନିଷ୍ପତ୍ତି ନେଇଥିବା କଥା ମୋର କାଇଁ ମନେ ପଡ଼ୁନି। ଏହି ନିଷ୍ପତ୍ତି ପାଇଁ ସ୍ପେନ୍‌ର ସବୁ ସମୀକରଣ ବଦଳିଯିବାର ଢେର ଆଶଙ୍କା ରହିଛି। ଏହି ଘଟଣାକୁ ନୂଆ ପ୍ରଶିକ୍ଷକ ଫର୍ନାଣ୍ଡୋ ହିଏରୋ ଏବଂ ସ୍ପେନୀୟ ଖେଳାଳିମାନେ କେମିତି ଗ୍ରହଣ କରୁଛନ୍ତି ତାହା ମହତ୍ୱପୂର୍ଣ୍ଣ। ହେଲେ ଏହା ସେତେଟା ସହଜ ହେବନି ବୋଲି ମୁଁ ଦୃଢ଼ତାର ସହ କହି ପାରିବି। କିନ୍ତୁ ଏହା ଅସମ୍ଭବ ନୁହେଁ। ଖେଳାଳିମାନେ ପେସାଦାର ଏବଂ ସେମାନେ ନିଜ ନିଜ ଦାୟିତ୍ୱ ଠିକ୍‌ ଭାବେ ଜାଣିଛନ୍ତି। ଅବଶ୍ୟ ସେମାନେ ପଡ଼ିଆ ଭିତରେ କଣ କରୁଛନ୍ତି ତାହା ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଆଇସ୍‌ଲାଣ୍ଡ ବିପକ୍ଷରେ ଆର୍ଜେଣ୍ଟିନା ଅଭିଯାନ ଆରମ୍ଭ କରିବା ପୂର୍ବରୁ ଶୁକ୍ରବାରର ସ୍ପେନ୍‌-ପର୍ତୁଗାଲ ମ୍ୟାଚ୍‌ ଦେଖିବାକୁ ମୁଁ ଚାତକ ଭଳି ଚାହିଁ ବସିଛି।

ସାଧାରଣ ସ୍ଥିତିରେ ଏହି ମ୍ୟାଚ୍‌ ପୃଥକ ପୃଥକ ଖେଳିବା ଶୈଳୀର ଲଢ଼େଇ ହୋଇଥାଆନ୍ତା। ସ୍ପେନର ବଲ୍‌ ଧାରଣ ଏବଂ ଆକ୍ରମଣର ମୁକାବିଲା ପର୍ତୁଗାଲର ରକ୍ଷଣାତ୍ମକ କଳା ସହ ହୋଇଥାଆନ୍ତା। କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ଉପସ୍ଥିତି ସତ୍ତ୍ୱେ ପ୍ରଶିକ୍ଷକ ଫର୍ନାଣ୍ଡୋ ସାଣ୍ଟୋସ୍‌ ଏହି ନୀତି ଆପଣାଇ ଥାଆନ୍ତେ। କାରଣ ୟୁରୋ ୨୦୧୬ରେ ଏଭଳି ଯୋଜନାରୁ ପର୍ତୁଗାଲ ବେଶ୍‌ ଲାଭବାନ ହୋଇଥିଲା । ଶୁକ୍ରବାର ବି ସେମାନେ ଏହି ପଥ ଅନୁସରଣ କରିବେ ବୋଲି ଆଶା କରୁଛି। ହେଲେ ଆସନ୍ତାକାଲି ପର୍ତୁଗାଲ ଆରମ୍ଭରୁ ଆକ୍ରମଣ କଲେ ବିସ୍ମିତ ହେବିନି। ଯଦି ସେମାନେ ସଫଳ ହୁଅନ୍ତି, ତାହାଲେ ସ୍ପେନ୍‌ ପାଇଁ ଫେରିବା କଷ୍ଟକର ହୋଇଯିବ। ଅନ୍ୟଥା ପର୍ତୁଗାଲ ୪-୪-୨-୧ ନୀତି ପ୍ରତି ଆକ୍ରମଣ ପାଇଁ ତିଆରି କରିଛି। ସେମାନେ ସାଧାରଣତଃ ପ୍ରତିପକ୍ଷ ଅଗ୍ରଭାଗକୁ ଆମନ୍ତ୍ରଣ କରନ୍ତି। ନିଜ ପଟେ ଅଧିକ ଖେଳାଳି ରଖି ପ୍ରତିପକ୍ଷକୁ ଖାଲି ସ୍ଥାନ ପାଇଁ ଭୋକିଲା କରି ଦିଅନ୍ତି। କାରଣ ପ୍ରତିପକ୍ଷ ପଟେ ଟିକିଏ ଖାଲି ସ୍ଥାନ ମିଳିଲେ ରୋନାଲଡୋ ଅତ୍ୟନ୍ତ ବିପଜ୍ଜନକ ହୋଇ ଯାଆନ୍ତି। ଅନ୍ୟପକ୍ଷରେ ହିଲରୋ ପ୍ରଥମ ମ୍ୟାଚ୍‌ରେ ଲୋପେତେଗୁଇଙ୍କ ୪-୨-୩-୧ ନୀତିକୁ ଅନୁସରଣ କରିବେ ବୋଲି ମୋର ଆଶା। ନିକଟରେ ଖେଳିଥିବା ଆର୍ଜେଣ୍ଟିନା ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସେମାନେ ଏହି ନୀତିରେ ୬-୧ରେ ବିଜୟୀ ହୋଇଥିଲେ। ରୋନାଲଡୋ ଏବଂ ସ୍ପେନ୍‌ ରକ୍ଷଣଭାଗ ଖେଳାଳି ସର୍ଗିଓ ରାମୋସଙ୍କ ମଧ୍ୟରେ ଥିବା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ଏହି ମ୍ୟାଚ୍‌କୁ ଅଧିକ ରୋମାଞ୍ଚକର କରିବ। ଉଭୟ ରିଅଲ ମାଦ୍ରିଦରୁ ଖେଳୁଥିବାରୁ ପରସ୍ପରକୁ ଭଲ ଭାବରେ ଜାଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe