ଆଇପିଏଲ୍‌ରୁ ଓହରିଗଲେ ହରଭଜନ

ଆଇପିଏଲ୍‌ରୁ ଓହରିଗଲେ ହରଭଜନ

India Today

ଦୁବାଇ : ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ସଙ୍କଟ ଟଳିବାର ନାମ ଧରୁନାହିଁ। ବ୍ୟକ୍ତିଗତ କାରଣ ଦର୍ଶାଇ ଅଲରାଉଣ୍ଡର୍‌ ସୁରେଶ ରାଇନା ୟୁଏଇରୁ ଫେରି ଆସିଥିବା ବେଳେ ଦଳ ସହ ଗସ୍ତ କରିନଥିବା ଅଭିଜ୍ଞ ଅଫସ୍ପିନର୍‌ ହରଭଜନ ସିଂହ ଶୁକ୍ରବାର ସମାନ କାରଣ ଦର୍ଶାଇ ଓହରିଯାଇଛନ୍ତି। ଆଇପିଏଲ୍‌ ଆରମ୍ଭ ହେବାକୁ ଆଉ ମାତ୍ର ୨ ସପ୍ତାହ ଥିବା ବେଳେ ଅନ୍ୟତମ ସଫଳ ଦଳ ‌ସିଏସ୍‌କେ ପାଇଁ ଏହା ଝଟକା ଭଳି ହୋଇଛି।

ଶୁକ୍ରବାର ହରଭଜନ ନିଜ ଆଡୁ ଓହରିଯାଇଥିବା କଥା ସ୍ପଷ୍ଟ କରିଥିଲେ। ‘ବଂଧୁମାନେ ମୁଁ ଚଳିତ ବର୍ଷର ଆଇପିଏଲ୍‌କୁ ବ୍ୟକ୍ତିଗତ କାରଣରୁ ଖେଳିପାରୁ ନାହିଁ। କଠୋର ସମୟ ଚାଲିଛି, ପରିବାର ସହ ଥିବାରୁ ମୋ ଗୋପନୀୟତା ସୁରକ୍ଷିତ ରହିବ ବୋଲି ଆଶା କରିବି’ ଲେଖି ଭଜି ଟ୍ବିଟ୍‌ କରିଥିଲେ। ଏହା ପରେ ମୁଖ୍ୟ କାର୍ଯ୍ୟନିର୍ବାହୀ କାଶୀ ବିଶ୍ବନାଥନ୍ ମଧ୍ୟ ଏହି ସୂଚନା ମିଳିଥିବା ଖବରକୁ ସ୍ପଷ୍ଟ କରିଥିଲେ। ଏବେ ଦଳ ତାଙ୍କ ବଦଳ ଖେଳାଳି କଥା ବିଚାର କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭଜିଙ୍କ ବାଦ୍ ସିଏସ୍‌କେ ଶିବିରରେ ରବୀନ୍ଦ୍ର ଜାଦେଜା, ମିଚେଲ ସାଣ୍ଟନର୍‌ ଏବଂ ଇମ୍ରାନ୍ ତାହିର୍‌ ସ୍ପିନ୍‌ ବିଭାଗ ସମ୍ଭାଳି ପାରିବେ। ଏମାନଙ୍କ ବ୍ୟତୀତ କର୍ଣ୍ଣ ଶର୍ମା, ପୀୟୂଷ ଚାୱଲା ଏବଂ ଆର୍‌ ସାଇ କିଶୋର ମଧ୍ୟ ସିଏସ୍‌କେ ଦଳରେ ରହିଛନ୍ତି।

ଭାରତ ପାଇଁ ୧୦୩ ଟେଷ୍ଟ, ୨୩୬ ଦିନିକିଆ ଏବଂ ୨୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ହରଭଜନ ଆଇପିଏଲ୍‌ରେ ବିଭିନ୍ନ ଦଳରୁ ୧୬୦ ମ୍ୟାଚ୍‌ ରେ ପ୍ରତିନିଧିତ୍ବ କରିଥିଲେ। ଏହି ଫଟାଫଟ୍‌ ଫର୍ମାଟରେ ସେ ୫/୧୮ ଶ୍ରେଷ୍ଠ ପ୍ରଦର୍ଶନ ସହ ମୋଟ ୧୫୦ ୱିକେଟ୍ ମଧ୍ୟ ନେଇଛନ୍ତି। ୨୦୧୩ରେ ମୁମ୍ବାଇର ପ୍ରଥମ ଟ୍ରଫି ବିଜୟରେ ହରଭଜନ ଅନ୍ୟତମ ପ୍ରମୁଖ ଖେଳାଳି ଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ସହ ଦୀର୍ଘଦିନର ସମ୍ପର୍କ ଛିନ୍ନ ହେବା ପରେ ସେ ଗତବର୍ଷ ଚେନ୍ନାଇ ସୁପର୍‌ କିଙ୍ଗସ ସହ ଚୁକ୍ତିବଦ୍ଧ ହୋଇଥିଲେ।

କୋଭିଡ୍‌-୧୯ ପଜିଟିଭ୍ କାରଣରୁ ସମ୍ପ୍ରସାରିତ ସଙ୍ଗରୋଧରୁ ଫେରି ‌ସିଏସ୍‌କେ ଶୁକ୍ରବାରଠାରୁ ଆଭ୍ୟାସ ଆରମ୍ଭ କରିଛି। ୪୦ ବର୍ଷୀୟ ହରଭଜନ ସିଏସ୍‌କେ ଦଳ ୟୁଏଇ ଗସ୍ତ ପୂର୍ବରୁ ଚେନ୍ନାଇରେ ଅନୁଷ୍ଠିତ ୬ ଦିନିଆ ପ୍ରଶିକ୍ଷଣ ଶିବିରରେ ମଧ୍ୟ ସାମିଲ ନଥିଲେ। ସେପ୍ଟେମ୍ବର ପହିଲାରେ ସେ ଦଳ ସହ ଯୋଗଦେବେ ବୋଲି ସୂଚନା ଦେଇଥିଲେ। ସିଏସ୍‌କେର ମୁଖ୍ୟ କାର୍ଯ୍ୟନିର୍ବାହୀ କାଶୀ ବିଶ୍ବନାଥନ ମଧ୍ୟ କହିଥ‌ିଲେ ସପ୍ତାହକ ଭିତରେ ଭଜି ଯୋଗଦେବେ। ହେଲେ ତାହା ସମ୍ଭବ ହୋଇପାରିନାହିଁ। କୋଭିଡ୍‌-୧୯ ପରିସ୍ଥିତି ସ‌ତ୍ତ୍ବେ ଦଳ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ବୋଲି ମଧ୍ୟ ବିଶ୍ବନାଥନ୍ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe