ହର୍ମନପ୍ରୀତଙ୍କ ହ୍ୟାଟ୍ରିକ୍‌: ୱେଲ୍ସକୁ ହରାଇଲା ଭାରତ

Advertisment
ହର୍ମନପ୍ରୀତଙ୍କ ହ୍ୟାଟ୍ରିକ୍‌: ୱେଲ୍ସକୁ ହରାଇଲା ଭାରତ

ବର୍ମିଂହାମ: ଭାରତୀୟ ପୁରୁଷ ହକି ଦଳ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତୃତୀୟ ବିଜୟ ପାଇଛି। ଗୁରୁବାର ଗ୍ରୁପ୍‌-ବି’ର ଏକ ମ୍ୟାଚ୍‌ରେ ୱେଲ୍ସକୁ ୪-୧ ଗୋଲ୍‌ରେ ହରାଇ ଦେଇଛି ଭାରତ। ଫଳରେ ପୂର୍ବରୁ ସେମିଫାଇନାଲ୍‌ ସ୍ଥାନ ପକ୍କା କରିସାରିଥିବା ଭାରତ ୪ ମ୍ୟାଚ୍‌ରୁ ୩ ବିଜୟ ଓ ଗୋଟିଏ ଅମୀମାଂସିତରୁ ୧୦ ପଏଣ୍ଟ ପାଇଁ ଗ୍ରୁପ୍‌-ବି’ର ଶୀର୍ଷ ସ୍ଥାନ ଦଖଲ କରିଛି। ପ୍ରଥମ ମ୍ୟାଚ୍‌ରେ ଘାନାକୁ ୧୧-୦ରେ ହରାଇଥିବା ଭାରତ ଦ୍ବିତୀୟରେ ଇଂଲଣ୍ଡ ସହ ୪-୪ ଗୋଲ୍‌ରେ ଅମୀମାଂସିତ ରଖିଥିଲା ଏବଂ ତୃତୀୟ ଲିଗ୍‌ ମ୍ୟାଚ୍‌ରେ କାନାଡ଼ାକୁ ୮-୦ରେ ହରାଇ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲା।

ଗୁରୁବାର ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ୧୮ ଓ ୧୯ ମିନିଟ୍‌ରେ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ହର୍ମନପ୍ରୀତ ସିଂହ ଭାରତକୁ ୨-୦ର ଅଗ୍ରଣୀ ଦେଇଥିଲେ। ତୃତୀୟ କ୍ବାର୍ଟରରେ ଭାରତକୁ ମିଳିଥିବା ପେନାଲ୍‌ଟି ସୁଟ୍‌କୁ ହର୍ମନପ୍ରୀତ ଗୋଲ୍‌ରେ ପରିଣତ କରି ହ୍ୟାଟ୍ରିକ ଅର୍ଜନ କରିଥିଲେ। ଚତୁର୍ଥ କ୍ବାର୍ଟରରେ ଗୁର୍‌ଜାନ୍ତ ସିଂହ (୪୯ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇ ଭାରତକୁ ୪-୦ରେ ଆଗୁଆ ରଖିଥିଲେ। ହେଲେ ୫୫ ମିନିଟ୍‌ରେ ୱେଲ୍ସର ଗାରେଥ ଫୁରଲଙ୍ଗ ଗୋଟିଏ ଗୋଲ୍‌ ଶୁଝି ପରାଜୟ ବ୍ୟବଧାନକୁ କମାଇଥିଲେ।

ହର୍ମନପ୍ରୀତ ଏହି ହ୍ୟାଟ୍ରିକ୍‌ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୋଟ ୧୫ ଗୋଲ୍‌ (୨୦୧୮ରେ ୬ ଏବଂ ବର୍ମିଂହାମରେ ୯) ସ୍କୋର୍‌ କରିଛନ୍ତି। ଏଥିସହ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତୀୟ ଭାବେ ସର୍ବାଧିକ ଗୋଲ୍‌ କରିବାର କୀର୍ତ୍ତିମାନ କରିଛନ୍ତି। ପୁଣି ଗୋଟିଏ ସଂସ୍କରଣରେ ମଧ୍ୟ ସର୍ବାଧିକ ଗୋଲ୍‌ କରିବାରେ ସନ୍ଦୀପ ସିଂହ (୭ ଗୋଲ୍‌, ୨୦୦୬)ଙ୍କୁ ଟପିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe