ହ୍ୟାଟ୍ରିକ୍‌ ବିଜୟ: କୋହଲି-ଶାସ୍ତ୍ରୀ ଯୁଗ ଶେଷ

Advertisment
ହ୍ୟାଟ୍ରିକ୍‌ ବିଜୟ: କୋହଲି-ଶାସ୍ତ୍ରୀ ଯୁଗ ଶେଷ

ଦୁବାଇ: ହ୍ୟାଟ୍ରିକ୍ ବିଜୟ ସହ ବିରାଟ କୋହଲି-ରବି ଶାସ୍ତ୍ରୀ ଯୋଡ଼ିଙ୍କ ଯୁଗର ଅନ୍ତ ଘଟିଛି। ବିଶ୍ବକପ୍‌ ବିଜୟ ସ୍ବପ୍ନକୁ ଅଧୁରା ରଖି ଏହି ଅଧିନାୟକ-ପ୍ରଶିକ୍ଷକଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ବିଶ୍ବକପ୍‌ ପରେ କୋହଲି ଆଉ ଟ୍ବେଣ୍ଟି-୨୦ରେ ଦେଶର ନେତୃତ୍ବ ନେବେ ‌ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ। ସେହିଭଳି ରବି ଶାସ୍ତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକାଳ ବିଶ୍ବକପ୍‌ ପର୍ଯ୍ୟନ୍ତ ଥିଲା। ନିରାଶାଜନକ ଅଭିଯାନ କିନ୍ତୁ ଲଗାତାର ୩ ସହଜ ବିଜୟରେ ଶେଷ ହୋଇଛି। ସୋମବାର ଚଳିତ ଆଇସିସି‌‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଶେଷ ଲିଗ୍ ମ୍ୟାଚ୍‌ରେ ଭାରତ ୯ ୱିକେଟ୍‌ରେ ନିମ୍ନ ମାନ୍ୟତାପ୍ରାପ୍ତ ନାମିବ୍ୟାକୁ ପରାସ୍ତ କରିଥିଲା। ଭାରତୀୟ ସ୍ପିନରମାନେ ନାମିବ୍ୟାକୁ ୧୩୨ ରନ୍‌ରେ ରୋକିବା ପରେ ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଦଳ ସହଜରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା।

publive-image Hindustan Times

ବିରାଟ କୋହଲି ଲଗାତାର ଟସ୍ ଜିତିବା ପରେ ସୋମବାର ‌କ୍ଷେତ୍ରରକ୍ଷଣ କରିଥିଲେ। ଦଳର ଦୁଇ ଅଭିଜ୍ଞ ସ୍ପିନର୍‌ ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ ଅଶ୍ବିନ୍ ମିଳିତ ଭାବେ ୮ ଓଭରରେ ୩୬ ରନ୍ ଦେଇ ୬ ୱିକେଟ୍ ଦଖଲ କରିନେବାରୁ ନାମିବ୍ୟା ବଡ଼ ସ୍କୋର୍‌ କରିପାରିନଥିଲା। ଦଳ ପକ୍ଷରୁ ସର୍ବାଧିକ ୨୬ ରନ୍‌ ଡେଭିଡ୍ ୱିଜ୍ ସଂଗ୍ରହ କରିଥିଲେ। ଯଶପ୍ରୀତ୍ ବୁମରା ମଧ୍ୟ ଦୁଇଟି ୱିକେଟ୍ ଦଖଲ କରିଥିଲେ। ତେବେ ବରୁଣ ଚକ୍ରବର୍ତ୍ତୀଙ୍କ ବଦଳରେ‌‌ ଖେଳିଥିବା ରାହୁଲ ଚହର୍ ପ୍ରଭାବହୀନ ରହିଥିଲେ। ତାଙ୍କ ୪ ଓଭରରେ ୩୦ ରନ୍‌ ଦେଇ ୱିକେଟଶୂନ୍ୟ ରହିଥିଲେ। ୧୩୩ ରନ୍ ବିଜୟ ଲକ୍ଷ୍ୟକୁ ଭାରତ ୪.୪ ଓଭର ପୂର୍ବରୁ ୧ ୱିକେଟ୍ ହରାଇ ସଂଗ୍ରହ କରି ନେଇଥିଲା। ରୋହିତ ଶର୍ମା (୫୬, ୩୭ ବଲ୍‌)ଙ୍କ ପରେ କେଏଲ୍ ରାହୁଲ୍ (୫୪*, ୩୬ ବଲ୍‌) ଏବଂ ସୂର୍ଯ୍ୟ କୁମାର ଯାଦବ (୨୫*, ୧୯ ବଲ୍‌) ମ୍ୟାଚ୍‌ ଶେଷ କରିଥିଲେ। ରବୀନ୍ଦ୍ର ଜାଦେଜା ମ୍ୟାଚ୍‌ର ଶ୍ରେଷ୍ଠ ‌‌ଖେଳାଳି ବିବେଚିତ ହୋଇଥିଲେ। ଭାରତ ଏହାପରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଆସନ୍ତା ସପ୍ତାହରୁ ଘରୋଇ ପ‌ରିବେଶରେ ଶୃଙ୍ଖଳା ଖେଳିବ। ବିଶ୍ବକପ୍‌ରେ ମଙ୍ଗଳବାର ବିଶ୍ରାମ ଦିବସ ଥିବାବେଳେ ବୁଧବାର ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍‌ (ଆବୁଧାବି) ଏବଂ ଗୁରୁବାର ଦ୍ବିତୀୟ ସେମିଫାଇନାଲରେ ପାକିସ୍ତାନ-ଅଷ୍ଟ୍ରେଲିଆ (ଦୁବାଇ) ମୁକାବିଲା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe