ଦୌଡ଼କୁଦ ଦେବଦୂତଙ୍କୁ ସଲାମ, ଫେରିଆସ ‘ଫ୍ଲାଇଂ ଶିଖ୍’

ପାକିସ୍ତାନରୁ ପାଇଥିଲେ ‘ଫ୍ଲାଇଂ ଶିଖ୍’ ଉପାଧି

ଆଖିବୁଜିଲେ କିଂବଦନ୍ତି ଧାବକ ମିଲ୍‌ଖା ସିଂହ

thodkyaatghadamodi.in

ଭୁବ‌ନେଶ୍ବର: ଭାରତୀୟ କ୍ରୀଡ଼ା ଜଗତର ଉଜ୍ଜ୍ବଳତମ ତାରକା ମିଲଖା ସିଂହ ଆଜି ଅସ୍ତମିତ। ଆଥ୍‌ଲେଟିକ୍ ଟ୍ରାକ୍‌ରେ ବିଜୁଳି ଭଳି ଗତି ପାଇଁ ଉଡ଼ନ୍ତା ଶିଖ୍‌ର ଉପାଧୀ ଲାଭ କରିଥିବା ଭାରତୀୟ କ୍ରୀଡ଼ା ଦୁନିଆର ଏହି ମହାନତମ କୃତିବୀର, ସଚ୍ଚା ଦେଶ ଭକ୍ତ, ଶୃଙ୍ଖଳିତ ସୈନିକ ତଥା ଦୌଡ଼କୁଦ ଦେବଦୂତଙ୍କ ପାଦ ସବୁଦିନ ପାଇଁ ଥମି ଯାଇଛି। କୋଟି କୋଟି ପ୍ରଶଂସକ, ନିଜ ପ୍ରିୟ ଦେଶ ତଥା ଗୌରବମୟ କ୍ରୀଡ଼ାକୃତିକୁ ଛାଡ଼ି ଅଚାନକ ଆରପାରିକୁ ଚାଲି ଯାଇଛନ୍ତି ସେ।

ସ୍ବାଧୀନ ଭାରତର ଏହି ପ୍ରଥମ କ୍ରୀଡ଼ା ସୁପରଷ୍ଟାର ୯୧ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କ ଆବର୍ତ୍ତମାନରେ ଭାରତୀୟ କ୍ରୀଡ଼ା ଇତିହାସର ଏକ ସ୍ବର୍ଣ୍ଣିମ ଯୁଗର ଅବସାନ ଘଟିଛି। ଟ୍ରାକ୍ ଉପରେ ଅନେକ ‌ଦୌଡ଼କୁଦ ଯୋଦ୍ଧାଙ୍କୁ ହରାଇଥିବା ମହାଯୋଦ୍ଧା ଶେଷରେ କରୋନା ଆଗରେ ହାର୍‌ ମାନିଲେ। ହେଲେ ମିଲଖା ୧୩୫ କୋଟି ଭାରତୀୟଙ୍କ ହୃଦୟରେ ‌ଯେଉଁ ଛାପ ଛାଡ଼ି ଯାଇଛନ୍ତି, ତାହା ସବୁଦିନ ପାଇଁ ଅପାସୋରା ହୋଇରହିବ। କାରଣ ମିଲଖା କେବଳ ଜଣେ କ୍ରୀଡ଼ାବିତ୍ ନଥିଲେ, ସେ ଥିଲେ ଚଳନ୍ତି ପ୍ରେରଣାତ୍ସୋତ। କଂବଦନ୍ତିଙ୍କ କେବେ ମୃତ୍ୟୁ ହୁଏ ନାହିଁ, ଠିକ୍ ସେହିଭଳି ସୂର୍ଯ୍ୟ ଚନ୍ଦ୍ର ଥିଲା ପର୍ଯ୍ୟନ୍ତ ମିଲଖା ସିଂହ ଭାରତୀୟ କ୍ରୀଡ଼ାର ଅଗ୍ରଣୀ ମଶାଲଧାରୀ ହୋଇ ରହିବେ। ‘ଭାଗ ମିଲ୍ଖା‌ ଭାଗ୍‌’ ଆଗାମୀ ଅଗଣିତ ପିଢ଼ି ପାଇଁ ପ୍ରେରଣାଦାୟକ ସ୍ଲୋଗାନ ହୋଇ ରହିବ।

ମିଲଖା ସିଂହ ‘ଫ୍ଲାଇଂ ଶିଖ୍’ ଉପାଧି ପାଇବାର କାହାଣୀ ମଧ୍ୟ ବେଶ୍ ରୋଚକ। ୧୯୬୦ ମସିହାରେ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ଆଗ୍ରହକ୍ରମେ ମିଲଖା ପାକିସ୍ତାନର ପ୍ରସିଦ୍ଧ ଧାବକ ଅବଦୁଲ ଖଲିଲଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ତାଙ୍କୁ ପରାସ୍ତ କରିଥିଲେ। ସେହିଠାରେ ଜେନେରାଲ ଆୟୁବ ଖାନ୍ ତାଙ୍କୁ ‘ଉଡ଼ନ୍ତା ଶିଖ୍’ ବା ଫ୍ଲାଇଂ ଶିଖ୍‌ର ଉପାଧି ପ୍ରଦାନ କରିଥିଲେ। ରେସ୍ ପରେ ଖାନ୍‌ ତାଙ୍କୁ କହିଥିଲେ ଯେ ମିଲଖା ଜୀ ଆପଣ ଦୌଡ଼ି ନଥିଲେ ଉଡ଼ିଥିଲେ। ମୁଁ ଆପଣଙ୍କୁ ଫ୍ଲାଇଂ ଶିଖ୍ ଉପାଧି ଦେବାକୁ ଚାହୁଛି। ଏହି ଉପାଧୀ ଶେଷ ପର୍ଯ୍ୟନ୍ତ ବି ତାଙ୍କ ନାଁ ସହ ଯୋଡ଼ି ହୋଇ ରହିଥିଲା। ଏହାର ଦୁଇବର୍ଷ ପୂର୍ବରୁ ୧୯୫୮ ମସିହା ଏସୀୟ କ୍ରୀଡ଼ା ପ୍ରଦର୍ଶନ ଆଧାରରେ ତାଙ୍କୁ ସିପାହୀରୁ ଜୁନିଅନ କମିସନ୍‌ଡ ଅଧିକାରୀ ପଦକୁ ପ‌ଦୋନ୍ନତି ମିଳିଥିଲା। ପରେ ସେ ପଞ୍ଜାବ ସରକାରଙ୍କ ଶିକ୍ଷା ବିଭାଗରେ ଯୋଗଦେଇ ୧୯୯୮ ମସିହାରେ ଅବସର ଗ୍ରହଣ କରିଥିଲେ। ତାଙ୍କୁ ମଧ୍ୟ ଭାରତ ସରକାର ଦେଶର ଚତୁର୍ଥ ସର୍ବୋ‌ଚ୍ଚ ବେସାରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe