ଇଂଲଣ୍ଡରେ ଇଞ୍ଜିନିୟର ବି ହୋଇଥିଲେ ରଙ୍ଗ‌ଭେଦର ଶିକାର, ଉଚ୍ଚାରଣକୁ ନେଇ ଭେଦଭାବର ଶିକାର ହେଉଥିଲେ

Advertisment

କହିଲେ ଇଂଲଣ୍ଡ ଖେଳାଳିଙ୍କ ଅସଲ ରୂପ ମୁଁ ଦେଖିଛି

କହିଲେ ଇଂଲଣ୍ଡ ଖେଳାଳିଙ୍କ ଅସଲ ରୂପ ମୁଁ ଦେଖିଛି

ଇଂଲଣ୍ଡରେ ଇଞ୍ଜିନିୟର ବି ହୋଇଥିଲେ ରଙ୍ଗ‌ଭେଦର ଶିକାର, ଉଚ୍ଚାରଣକୁ ନେଇ ଭେଦଭାବର ଶିକାର ହେଉଥିଲେ

ନୂଆଦିଲ୍ଲୀ: କ୍ରିକେଟ୍‌ରେ ରଙ୍ଗଭେଦ ଏକ ପୁରୁଣା ବ୍ୟାଧି। ବିଶେଷ କରି କୃଷ୍ଣକାୟ ଏବଂ ଏସୀୟ ଖେଳାଳି ଅନେକ ସମୟରେ ଏଭଳି ସ୍ଥିତିର ସମ୍ମୁଖୀନ ହୁଅନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ ଏହି କାରଣରୁ ଢେର ସମୟ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବାସନ୍ଦ ହୋଇଥିଲା। କ୍ରିକେଟ୍‌ର କ୍ଷମତା କେନ୍ଦ୍ର ଏସିଆ ମହାଦେଶକୁ ସ୍ଥାନାନ୍ତର ହେବା ପରେ ଅନେକ କିଛି ବଦଳିଛି। ହେଲେ ଇଂରେଜଙ୍କ ଭାବନାରେ ସମ୍ଭବତଃ କୌଣସି ପରିବର୍ତ୍ତନ ହୋଇନି। ଏବେ ବି ସେମାନେ ଭାରତୀୟ ଖେଳାଳି ଏବଂ ଭାରତୀୟ ଉପମହାଦେଶର ନାଗରିକଙ୍କୁ ନ୍ୟୂନ ଭାବେ ଦେଖୁଛନ୍ତି। ଯାହା‌ର ଉଦାହରଣ ଗତ କିଛି ଦିନ ହେବ ଇଂଲଣ୍ଡ କ୍ରିକେଟ୍ ଦୁନିଆରେ ଚାଲିଥିବା ତନାଘନାରୁ ପୁନର୍ବାର ସ୍ପଷ୍ଟ ହୋଇଛି। ଓଲି ରବିନସନଙ୍କ ଭଳି ନବାଗତ ଖେଳାଳି ହୁଅନ୍ତୁ ବା ଇଅନ ମୋର୍ଗାନ ଓ ଜୋସ୍ ବଟଲରଙ୍କ ଭଳି ଅଭିଜ୍ଞ ଖେଳାଳି, ସମସ୍ତେ ରଙ୍ଗଭେଦ, ବର୍ଣ୍ଣବୈଷମ୍ୟ ଏବଂ ଭେଦଭାବର ନୀତିରେ ବିଶ୍ବାସ କରୁଥିବା ନିକଟରେ ପ୍ରଘଟ ହୋଇଥିବା ସେମାନଙ୍କ କିଛି ପୁରୁଣା ଟ୍ବିଟ୍‌ରୁ ସ୍ପଷ୍ଟ ହୋଇଛି।

ଏଥିପାଇଁ ଅବଶ୍ୟ ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ଲୋକ ଦେଖାଣିଆ ଭାବେ ରବିନସନ୍‌ଙ୍କୁ ନିଲମ୍ବିତ କରିଥିଲା ବେଳେ ମୋର୍ଗାନ ଓ ବଟଲରଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ତେବେ ଆଉ କିଛି ଇଂଲଣ୍ଡ କ୍ରିକେଟରଙ୍କ ବିବାଦୀୟ ଓ ଜାତିଆଣ ଟ୍ବିଟ୍ ପଦାକୁ ଆସିବା ପରେ ଇସିବି ହରଡ଼ ଘଣାରେ ପଡ଼ିଛି। ଏଥିମଧ୍ୟରେ ଗୁରୁବାର ଇଂଲଣ୍ଡର ସର୍ବାଧିକ ଟେଷ୍ଟ୍ ଖେଳିଥିବା ଖେଳାଳି ପାଲଟିଥିବା ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ବି ଅଛନ୍ତି। ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କୁ ଏହି ବିଷୟରେ ଶିକ୍ଷିତ କରିବାକୁ ବହୁ ପୂର୍ବତନ କ୍ରିକେଟର ଦାବି କରିଛନ୍ତି। ତେବେ ଇଂଲଣ୍ଡରେ କୌଣସି ଅଣସ୍ବେତାଙ୍ଗ ରଙ୍ଗଭେଦର ଶିକାର ହେବା ଆଜି ନୁହେଁ ବହୁ ବର୍ଷ ତଳୁ ଚାଲି ଆସୁଛି। କେବଳ ଯାହା ଆଇପିଏଲ୍ ଖେଳିବା ଲୋଭରେ ଇଂଲଣ୍ଡ ଖେଳାଳିମାନେ ନିଜ ଅସଲ ରୂପ ଦେଖାଉ ନାହାନ୍ତି। କହିବାକୁ ଗଲେ ଆମ ପାଦ ଚାଟୁଛନ୍ତି ବୋଲି ପୂର୍ବତନ ଭାରତୀୟ କ୍ରିକେଟର ଫାରୁକ୍‌ ଇଞ୍ଜିନିୟର କହିଛନ୍ତି। ନିଜ ମନ୍ତବ୍ୟକୁ ପ୍ରମାଣିତ କରିବାକୁ ଯାଇ ଇଂଲଣ୍ଡ ଗସ୍ତ ବେଳେ ତାଙ୍କ ସହ ଘଟିଥିବା କିଛି ଅପ୍ରୀତିକର ଘଟଣାକୁ ବର୍ଣ୍ଣନା କରିଛନ୍ତି ସେ।

ଟ୍ବିଟର ବିବାଦ ନେଇ ଇଂଲଣ୍ଡ କ୍ରିକେଟ୍‌ରେ ସଂପ୍ରତି ସୃଷ୍ଟି ହୋଇଥିବା ଆ‌ଲୋଡ଼ନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଇଞ୍ଜିନିୟର କହିଛନ୍ତି ଯେ ରବିନସନଙ୍କୁ ଦଣ୍ଡିତ କରି ଇସିବି ପୂରା ଠିକ୍ କରିଛି। ମୁଁ ଯେତେବେଳେ ଲାଙ୍କାସାୟାର ଦଳରେ ଯୋଗ ଦେଇଥିଲି, ଦୁଇ ତିନି ଥର ସେମାନେ ଶବ୍ଦ ଉଚ୍ଚାରଣକୁ ନେଇ ମୋତେ ଅପମାନିତ କରିଥିଲେ। ଭାରତୀୟ ବୋଲି ସେମାନେ ମୋ ସହ ଏଭଳି ବ୍ୟବହାର କରୁଥିଲେ। ହେଲେ ମୋ ଚମତ୍କାର ବ୍ୟାଟିଂ ଓ ଦୃଢ଼ ୱିକେଟ୍ ରକ୍ଷଣ ଦକ୍ଷତା ବଳରେ ମୁଁ ସେମାନଙ୍କୁ ଉଚିତ ଜବାବ ଦେଇ ପାରିଥିଲି। ସେହିଭଳି ମୋ ଇଂଲିସ୍ ଦକ୍ଷତା ଅଧିକାଂଶ ଇରେଜଙ୍କଠାରୁ ଭଲ ଥିଲା। କିଛି ଦିନ ପରେ ସେମାନେ ଏକଥା ଭଲ ଭାବରେ ଜାଣି ପାରିଥିଲେ। ଏହି ଆଲୋଡ଼ା ଅଭିଜ୍ଞତାକୁ ବର୍ଣ୍ଣନା କରିବାକୁ ଯାଇ ୮୩ ବର୍ଷୀୟ ଇଞ୍ଜିନିୟର ମତ ରଖିଛନ୍ତି ଯେ କିଛି ଦିନ ପରେ ସେମାନେ ଜାଣି ପାରିଲେ ଯେ ମୋ ଇଂଲିସ୍ ଦକ୍ଷତା ସେମାନଙ୍କଠାରୁ ଯଥେଷ୍ଟ ଭଲ। ଏଣୁ ମୋ ସହ ଆଉ ଲାଗି ନଥିଲେ।

କେବଳ ସେତିକି ନୁହେଁ ଲଗାତାର ଭଲ ପ୍ରଦର୍ଶନ କରି ସବୁଦିନ ପାଇଁ ମୁଁ ସେମାନଙ୍କ ମୁହଁ ବନ୍ଦ କରି ଦେଇଥିଲି। ଭାରତର ସଚ୍ଚା ଦୂତ ହୋଇ ପାରିଥିବାରୁ ମୁଁ ଏବେ ବି ଗର୍ବ ଅନୁଭବ କରେ। ତା’ ସହ ଆଇପିଏଲ୍ ଆରମ୍ଭ ହେବା ପରେ ପୂର୍ବତନ ଇଂଲିସ୍ କ୍ରିକେଟରଙ୍କ ସ୍ବର ହଠାତ୍ ବଦଳି ଯାଇଛି ବୋଲି ତାତ୍ସଲ୍ୟ କରିଛନ୍ତି ଭାରତ ପକ୍ଷରୁ ୪୬ ଟେଷ୍ଟ୍ ଓ ୫ ଦିନିକିଆ ଖେଳିଥିବା ଇଞ୍ଜିନିୟର। ‘‘କିଛି ବର୍ଷ ପୂର୍ବେ ସେମାନେ ଆମକୁ ହେୟଜ୍ଞାନ କରୁଥିଲେ। ଭାରତୀୟ କହି ନାକ ଟେକୁଥିଲେ। ଆଇପିଏଲ୍‌ ଆସିଯିବା ପରେ ସେମାନେ ଆମ ପଛପଟ ଚାଟିବା ଆରମ୍ଭ କରି ଦେଇଛନ୍ତି। ଟଙ୍କା ପାଇଁ ସେମାନେ କେମିତି ଆମ ଜୋତା ଚାଟିବାକୁ ବି ପଛାଉ ନାହାନ୍ତି, ସେକଥା ଦେଖି ମୁଁ ଚକିତ ହେଉଛି। ହେଲେ ମୋ ଭଳିଆ ଲୋକ ଭଲ ଭାବରେ ଜାଣିଛନ୍ତି ସେମାନଙ୍କର ଅସଲ ଚରିତ୍ର କେମିତି। ହଠାତ୍ ସେମାନେ ଏବେ ନିଜ ସ୍ବର ବଦଳାଇ ଦେଇଛନ୍ତି। ଭାରତରେ କିଛି ଦିନ ରହି ଟେଲିଭିଜନରେ ବାହାରିବା, ଖେଳିବାର ସୁଯୋଗ ନମିଳିଲେ ବି ଟଙ୍କା ରୋଜଗାର କରିବାର ‌ଲୋଭରେ ସେମାନେ ଅଭିନୟ କରୁଛନ୍ତି’’ ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ଇଞ୍ଜିନିୟର।

ଆଣ୍ଡରସନଙ୍କ ଅଡ଼ୁଆ ବଢ଼ିଲା
ଲଣ୍ଡନ: ରଙ୍ଗଭେଦ ଟ୍ବିଟ୍ ମାମଲା ନେଇ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ଘନେଇ ଚାଲିଥିଲା ବେଳେ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ ମଧ୍ୟ ଏଥିଲାଗି ତୀବ୍ର ସମାଲୋଚିତ ହୋଇଛନ୍ତି। ୨୦୧୦-୧୧ରେ ସେ ଏପରି ଅନେକ ରଙ୍ଗଭେଦ ଟ୍ବିଟ୍ କରିଥିବା ଘଟଣା ପଦାକୁ ଆସିଛି। ଏପରିକି ସାଥୀ ‌ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ନେଇ ମଧ୍ୟ ସେ ଆପତ୍ତିଜନକ ଟ୍ବିଟ୍ କରିଥିବା ଜଣାପଡ଼ିଛି। ଆଗାମୀ ସମୟରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏଥିନେଇ ତାଙ୍କ ବିରୋଧରେ ତଦନ୍ତ ଆଦେଶ ଦେବାର ବି ଯଥେଷ୍ଟ ଆଶଙ୍କା ରହିଛି। ୨୦୧୨ରେ ବ୍ରଡଙ୍କ ଉପରେ କରିଥିବା ଟ୍ବିଟ୍‌ରେ ଆଣ୍ଡରସନ୍ ଲେଖିଥିଲେ ଯେ ମୁଁ ଆଜି ପ୍ରଥମ ଥର ବ୍ରାଡି (ଷ୍ଟୁଆର୍ଟ ବ୍ରଡ୍)ଙ୍କ ନୂଆ ହେୟାରଷ୍ଟାଇଲ୍ ଦେଖିଲି। ଏହାକୁ ନେଇ ମୋ ମନରେ ଦ୍ବନ୍ଦ୍ବ ଓ ସଂଶୟ ରହିଛି, ସେ ୧୫ ବର୍ଷୀୟ ସମଲିଙ୍ଗୀଙ୍କ ଭଳି ଲାଗୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe