ହକି ଇଣ୍ଡିଆ ବିରୋଧରେ ହାଇକୋର୍ଟ ମାମଲା

ବେଆଇନ ଭାବେ ପଦବୀ ସୃଷ୍ଟି କରିଥିବା ଅଭିଯୋଗ; ବାତ୍ରା ଓ ନର୍ମାନଙ୍କୁ ନୋଟିସ୍

ହକି ଇଣ୍ଡିଆ ବାର୍ଷିକ ପୁରସ୍କାର: ଶ୍ରେଷ୍ଠ ଡିଫେଣ୍ଡର ଦୌଡ଼ରେ ଅମିତ, ଦୀପଗ୍ରେସ୍‌

Hockey India

ନୂଆଦିଲ୍ଲୀ: 'ହକି ଇଣ୍ଡିଆ' ବିରୋଧରେ ଜାତୀୟ କ୍ରୀଡ଼ା ସଂହିତା ଉଲ୍ଲଂଘନ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଜୀବନ ସଦସ୍ୟ, ଆଜୀବନ ସଭାପତି ଓ ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ) ଭଳି ପଦବୀ ସୃଷ୍ଟି କରିବା ଏବଂ ସେମାନଙ୍କୁ ପୂର୍ଣ୍ଣକାଳୀନ ‌ଭୋଟ‌ ଦେବା ଅଧିକାର ପ୍ରଦାନ କରିବା ଅଭିଯୋଗ ହୋଇଛି। ୧୯୭୫ ମସିହାରେ ହକି ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଅସଲମ୍ ‌ଶେର ଖାନ୍ ଏଭଳି ଅଭିଯୋଗ ଆଣି ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଖାନ୍‌ଙ୍କ ଆବେଦନକୁ ଗ୍ରହଶ କରି ନ୍ୟାୟମୂର୍ତ୍ତୀ ଡିଏନ୍ ପଟେଲ ଓ ପ୍ରତୀକ ଜଲାନଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ, ହକି ଇଣ୍ଡିଆ ଏବଂ ଆଜୀବନ ସଦସ୍ୟ ଓ ସିଇଓ ନିଯୁକ୍ତ ହୋଇଥିବା ଦୁଇ ବ୍ୟକ୍ତି ନରିନ୍ଦର ବାତ୍ରା ଓ ଏଲିନା ନର୍ମାନଙ୍କୁ ଗୁରୁବାର ନୋଟିସ୍ ଜାରି କରିଛନ୍ତି। ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ନୋଟିସର ଜବାବ ଦେବାକୁ ଖଣ୍ଡପୀଠ ଏଥିରେ ନିର୍ଦ୍ଦେଶ ଦେଇଛନ୍ତି।

ଏଭଳି ନିଯୁକ୍ତିକୁ ଅନୁମତି ଦେଉଥିବା ହକି ଇଣ୍ଡିଆର ସାମ୍ବିଧାନିକ ଧାରାକୁ ଉଚ୍ଛେଦ କରିବାକୁ ମଧ୍ୟ ଉଚ୍ଚ ନ୍ୟାୟାଳୟଙ୍କୁ ଖାନ୍ ଅନୁରୋଧ କରିଛନ୍ତି। ଆବେଦନକାରୀଙ୍କ ପକ୍ଷ ରଖି ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣ ମାନ୍ୟବର ଅଦାଲତଙ୍କୁ ଜଣାଇଥିଲେ ଯେ ଆଜୀବନ ସଦସ୍ୟ, ଆଜୀବନ ସଭାପତି ଓ ସିଇଓ ଭଳି ପଦବୀକୁ ଜାତୀୟ କ୍ରୀଡ଼ା ସଂହିତା ୨୦୧୧ ଅନୁମତି ଦେଉନାହିଁ। ଜାତୀୟ କ୍ରୀଡ଼ା ସଂସ୍ଥାନର ପରିଚାଳନା ଲାଗି ଏଥିରେ ଥିବା ନିୟମ, ନିର୍ଦ୍ଦେଶାବଳୀ ଓ ଧାରାକୁ ଏହା ସଂପୂର୍ଣ୍ଣ ଉଲ୍ଲଂଘନ କରୁଛି। ବାତ୍ରା ଓ ସିଇଓ ନର୍ମାନଙ୍କ ପ୍ରିୟା ପ୍ରୀତି ପୋଷଣ ନୀତି ପାଇଁ ହକି ଇଣ୍ଡିଆର ବ୍ୟାପକ କ୍ଷତି ହୋଇଥିବା ମଧ୍ୟ ବଂଶଦୀପ ଡାଲମିଆଙ୍କ ମାଧ୍ୟମରେ ଦାୟର କରିଥିବା ଆବେଦନ ଫର୍ଦରେ ଖାନ୍ ଦର୍ଶାଇଛନ୍ତି। ଜାତୀୟ କ୍ରୀଡ଼ା ସଂହିତା ୨୦୧୧ରେ ଥିବା ନିର୍ବାଚନ ନିର୍ଦ୍ଦେଶାବଳୀରେ ୭ ଜଣ କର୍ମକର୍ତ୍ତାଙ୍କ ସହ ଆଉ ପାଞ୍ଚଜଣ ଅତିରିକ୍ତ ସଦସ୍ୟ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇଁ ନିର୍ବାଚିତ ହେବାର ନିୟମ ରହିଛି। ଏହି ନିୟମକୁ ଉଲ୍ଲଂଘନ କରି ଆଜୀବନ ସଦସ୍ୟ, ଆଜୀବନ ସଭାପତି ଓ ସିଇଓ ପଦବୀ ସୃଷ୍ଟି କରାଯାଇଛି। ଏହା ପୂର୍ବରୁ ଭାରତୀୟ ଆମେଚର କବାଡ଼ି ମହାସଂଘ ସୃଷ୍ଟି କରିଥିବା ଆଜୀବନ ସଦସ୍ୟ ପଦବୀକୁ ମଧ୍ୟ ଉଚ୍ଚ ନ୍ୟାୟାଳୟ ଉଚ୍ଛେଦ କରି ଦେଇଥିଲେ। ଏଣୁ ହକି ଇଣ୍ଡିଆ କ୍ଷେତ୍ରରେ ମଧ୍ୟ ସେହି ନିର୍ଦ୍ଦେଶ ଦେବା ସହ ବାତ୍ରା ଓ ନର୍ମାନ ନିଜ କାର୍ଯ୍ୟକାଳ ଭିତରେ ଗ୍ରହଣ କରିଥିବା ଆର୍ଥିକ ଲାଭର ବିବରଣୀ ଦେବାକୁ ଖାନ୍ ନିଜ ଓକିଲଙ୍କ ମାଧ୍ୟମରେ ଅନୁରୋଧ କରିଛନ୍ତି। ବାତ୍ରା ଓ ନର୍ମାନଙ୍କୁ ହଟାଇ ହକି ଇଣ୍ଡିଆର ଦୈନନ୍ଦିନ ପରିଚାଳନା ଲାଗି ଦେଶର ସଫଳ ଓ ପ୍ରତିଷ୍ଠିତ କ୍ରୀଡ଼ାବିତଙ୍କୁ ନେଇ ଏକ ଅସ୍ଥାୟୀ ସମିତି ଗଠନ କରିବାକୁ ମଧ୍ୟ ସେ ଦାବି କରିଛନ୍ତି। ଉଭୟଙ୍କୁ ପଦରୁ ବାହାର କରି ସାନି ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେବାକୁ ଖାନ୍ ନ୍ୟାୟଳୟଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe