image source-newindianexpress.com
ଭୁବନେଶ୍ବର: ‘ଗୋଟିଏ ରାଜ୍ୟ, ଗୋଟିଏ ସଂଘ’ ନିୟମର ଆଳ ଦେଖାଇ ହକି ଇଣ୍ଡିଆ ଗତବର୍ଷ ହକି ଗାଙ୍ଗପୁର-ଓଡ଼ିଶା ସମେତ ଅନ୍ୟ କେତେକ ଅନୁବନ୍ଧିତ ସଂଗଠନର ସଦସ୍ୟତା ପ୍ରତ୍ୟାହାର କରି ନେଇଥିଲା। ହକି ଇଣ୍ଡିଆର ଏହି ଏକତରଫା ନିଷ୍ପତ୍ତି ବିରୋଧରେ ଓଡ଼ିଶା ହାଇକୋର୍ଟରେ ହକି ଗାଙ୍ଗପୁର-ଓଡ଼ିଶା ଏକ ରିଟ୍ ପିଟିସନ୍ ଦାୟର କରିଥିଲା। କେସ୍ ନମ୍ବର ୨୩୫୪୪/୨୦୨୦ରେ ଦାୟର ହୋଇଥିବା ଏହି ପିଟିସନର ଦୁଇଟି ଶୁଣାଣି ଗତ ବର୍ଷ ହୋଇଥିଲା। ସୋମବାର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର ଏବଂ ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପୁଣି ଶୁଣାଣି କରି ହକି ଇଣ୍ଡିଆ, ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ଏବଂ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।
୬ ସପ୍ତାହ ମଧ୍ୟରେ ଏହାର ଉତ୍ତର ଦେବାକୁ ମଧ୍ୟ ମାନ୍ୟବାର ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ହକିର ବିକାଶ ଲାଗି ହକି ଓଡ଼ିଶା ଗାଙ୍ଗପୁର-ଓଡ଼ିଶା କାର୍ଯ୍ୟ କରି ଆସୁଥିଲା। ହକି ଇଣ୍ଡିଆର ଏଭଳି ବେଆଇନ ଏବଂ ମନମୁଖୀ କାର୍ଯ୍ୟ ଲାଗି ଆମ ପିଲା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କୁ ନ୍ୟାୟ ନମିଳିବା ଯାଏ, ଆମ ଲଢ଼େଇ ଜାରି ରହିବ ବୋଲି ସଂଘର ସଂପାଦକ ଦେବାଶିଷ ଗୌଡ଼ କହିଛନ୍ତି। ସୂଚନାଯୋଗ୍ୟ ଯେ ହକି ଗାଙ୍ଗପୁର-ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟ ଓକିଲ ହିତଭିଳାଷ ମହାନ୍ତି ଏହି ମାମଲାର ପରିଚାଳନା କରୁଛନ୍ତି। ପରବର୍ତ୍ତୀ ଶୁଣାଣି ପାଇଁ ମାର୍ଚ ୮, ୨୦୨୧କୁ ଦିନ ଧାର୍ଯ୍ୟ ହୋଇଥିବା ସେ ଜଣାଇଛନ୍ତି।
Follow Us