ନୂଆଦିଲ୍ଲୀ: ତାରକା ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଓ ବିସ୍ମୟ ଧାବିକା ହୀମା ଦାସ ମର୍ଜ୍ୟଦାଜନକ ଆଇଏଏଏଫ୍ କଣ୍ଟିନେଣ୍ଟାଲ କପ୍ରେ ଭାଗ ନେବେ। ଚେକ୍ ଗଣରାଜ୍ୟର ଓସ୍ତ୍ରାଭାରେ ସେପ୍ଟେମ୍ବର ୮ ଓ ୯ ତାରିଖ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ଲାଗି ଏସୀୟ ଦୌଡ଼କୁଦ ସଂଘ (ଏଏଏ) ୭ ଜଣ ପ୍ରମୁଖ ଭାରତୀୟ ଆଥ୍ଲେଟ୍ଙ୍କୁ ମନୋନୀତ କରିଛି। ଏହି ଭାରତୀୟମାନେ ରିଜିଓନାଲ୍ ସଂଘଗୁଡ଼ିକରୁ ପ୍ରମୁଖ ମାନ୍ୟତାପ୍ରାପ୍ତଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ସଦ୍ୟ ଆଇଏଏଏଫ୍ ବିଶ୍ୱ ମାନ୍ୟତା ଭିତ୍ତିିରେ ନୀରଜ (ଜାଭଲିନ୍), ମହମ୍ମଦ ଆନସ୍ (୪୦୦ ମିଟର) ଜିନ୍ସନ୍ ଜନ୍ସନ୍ (୮୦୦ ମିଟର) ଏବଂ ଅର୍ପିନ୍ଦର ସିଂହ (ଟ୍ରିପଲ୍ ଜମ୍ପ୍) ଏଏଏ ଆଥ୍ଲେଟ୍ଙ୍କ ତାଲିକାର ପୁରୁଷ ବର୍ଗରେ ଏବଂ ହୀମା ଦାସ (୪୦୦ ମିଟର), ପିୟୁ ଚିତ୍ରା (୧୫୦୦ ମିଟର) ଏବଂ ସୁଧା ସିଂହ (୩୦୦୦ ମିଟର ଷ୍ଟିପଲ୍ଚେଜ୍) ମହିଳା ବର୍ଗରେ ସାମିଲ ହୋଇଛନ୍ତି। କଣ୍ଟିନେଣ୍ଟାଲ କପ୍ରେ ଭାଗ ନେବାକୁ ମନୋନୀତ ୭ ଜଣଙ୍କୁ ଭାରତୀୟ ଦୌଡ଼କୁଦ ସଂଘର ସଂପାଦକ ମରିସ୍ ଆର୍ ନିକୋଲାସ୍ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ୨୦୧୦ ମସିହାରୁ ପ୍ରଚଳିତ କଣ୍ଟିନେଣ୍ଟାଲ କପ୍ ପ୍ରତି ୪ ବର୍ଷରେ ଆୟୋଜିତ ହୋଇ ଆସୁଛି। ଆଫ୍ରିକା, ଆମେରିକା, ଏସିଆ ପାସିଫିକ୍ ଏବଂ ୟୁରୋପର ଶ୍ରେଷ୍ଠ ଆଥ୍ଲେଟ୍ଙ୍କୁ ନେଇ ଗଠିତ ୪ ଦଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥାନ୍ତି।
କଣ୍ଟିନେଣ୍ଟାଲ କପ୍ରେ ଭାଗନେବେ ହୀମା ଓ ନୀରଜ
Advertisment
Follow Us