ଭୁବନେଶ୍ବର: ଜାପାନର ରାଜଧାନୀ ଟୋକିଓଠାରେ ଚାଲିଥିବା ବଧିର ଅଲିମ୍ପିକ୍ସରେ ଓଡ଼ିଆ ଝିଅ ଲୋମା ସ୍ବାଇଁ ଇତିହାସ ରଚିଛନ୍ତି। ୫୦ କିଲୋଗ୍ରାମ୍ରୁ କମ୍ ମହିଳା କରାଟେରେ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଲୋମା ଏହି ସମ୍ମାନଜନକ ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡ୍ରେ ପରାସ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ରାଉଣ୍ଡ୍ରେ ରିପିଚେଜ୍ ରାଉଣ୍ଡ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ସେଠାରେ ବ୍ରାଜିଲ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ କାଂସ୍ୟ ପଦକ ହାସଲ କରିଥିଲେ। ବଧିର ଅଲିମ୍ପିକ୍ସରେ ସଫଳ ହେବା ପୂର୍ବରୁ କରାଟେ ଇଣ୍ଡିଆ ଅର୍ଗାନାଇଜେସନ୍ (କେଆଇଓ)ର ସାଧାରଣବର୍ଗଙ୍କ ପାଇଁ ଆୟୋଜିତ ଜାତୀୟ ବରିଷ୍ଠ କରାଟେରେ ରୌପ୍ୟ ପଦକ ଜିତିବାର ବିରଳ ସଫଳତା ପାଇ ସାରିଛନ୍ତି। ଏପର୍ଯନ୍ତ ସେ ତିନିଟି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ସାରିଲେଣି। କରାଟେ ଛଡ଼ା ଲୋମା ମଧ୍ୟ ଜୁ-ଜିତ୍ସୁ କ୍ରୀଡ଼ାରେ ଜାତୀୟ ବିଜେତା ହେବାର ରେକର୍ଡ କରିସାରିଛନ୍ତି।
World Ability Sports: ବିଶ୍ବ ଆବିଲିଟି ସ୍ପୋର୍ଟସ୍: ଓଡ଼ିଆଙ୍କୁ ଆଉ ୩ ପଦକ
ଜଗତସିଂହପୁର ଭୂତମୁଣ୍ଡାଇର ସଞ୍ଜୟ କୁମାର ସ୍ୱାଇଁ ଓ ଜ୍ୟୋର୍ତିମୟୀ ସ୍ୱାଇଁଙ୍କର ସାନ ଝିଅ ଲୋମା ଭୁବନେଶ୍ବରସ୍ଥିତ ଉତ୍କଳ କରାଟେ ସ୍କୁଲରେ ଡ. ହରି ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ବାବବଧାନରେ କରାଟେ ପ୍ରଶିକ୍ଷଣ ନେଉଛନ୍ତି । ଲୋମାଙ୍କ ସହ ସାଇ ପ୍ରଶିକ୍ଷକ ସେନସେଇ ସୁନୀଲ ରାଠି ଜାପାନ ଗସ୍ତ କରିଛନ୍ତି। ବହୁ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାର ପଦକ ବିଜୟିନୀ ଲୋମାଙ୍କୁ ଓଡିଶା ସରକାରଙ୍କ କ୍ରୀଡ଼ା ତାଙ୍କର କ୍ରୀଡ଼ା ଉପଲବ୍ଧି ପାଇଁ ଜଗତସିଂପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗ୍ରୁପ୍-ସି ଚାକିରି ପ୍ରଦାନ କରିଛନ୍ତି। ଲୋମାଙ୍କର ଏହି ସଫଳତା ନିମନ୍ତେ ଜାତୀୟ କରାଟେ ସଂଘର ସଭାପତି ହାନସି ଭରତ ଶର୍ମା, ଓଡ଼ିଶା ରାଜ୍ୟ କରାଟେ ଡୋ’ ସଂଘର ସମ୍ପାଦକ ଡ. ଗୌରୀ ମହାନ୍ତି ଏବଂ ସମସ୍ତ କର୍ମକର୍ତ୍ତା ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ମଧ୍ୟ ଲୋମାଙ୍କୁ ଏହି ସଫଳତା ଲାଗି ‘ଏକ୍ସ’ରେ ଅଭିନନ୍ଦନ ଜଣାଇଛନ୍ତି।
Follow Us