ରାଜ୍ୟଗୋଷ୍ଠୀ ପାରା କ୍ରୀଡ଼ା: ସୁଧୀରଙ୍କୁ ଐତିହାସିକ ସ୍ୱର୍ଣ୍ଣ

ରାଜ୍ୟଗୋଷ୍ଠୀ ପାରା କ୍ରୀଡ଼ା: ସୁଧୀରଙ୍କୁ ଐତିହାସିକ ସ୍ୱର୍ଣ୍ଣ

ବର୍ମିଂହାମ : ଚଳିତ ରାଜ୍ୟଗୋଷ୍ଠୀ ପାରା କ୍ରୀଡ଼ାରେ ଭାରତକୁ ପ୍ରଥମ ପଦକ ଭେଟି ଦେଇଛନ୍ତି ପୁରୁଷ ହେଭିୱେଟ୍‌ ଶକ୍ତି‌ଉତ୍ତୋଳକ ସୁଧିର। ୨୭ ବର୍ଷୀୟ ଏହି ଏସୀୟ ପାରା କ୍ରୀଡ଼ା କାଂସ୍ୟ ବିଜେତା ଗୁରୁବାର ନିଜର ପ୍ରଥମ ପ୍ରୟାସରେ ୨୦୮ କେଜି ଏବଂ ଦ୍ବିତୀୟ ପ୍ରାୟାସରେ ୨୧୨ କେଜି ଉଠାଇ ୧୩୪.୫ ପଏଣ୍ଟ୍‌ କରାୟତ୍ତ କରିବା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ା କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଏହି କୀର୍ତ୍ତିମାନ ସହ ସେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ତାଙ୍କ ପଛକୁ ଖ୍ରିଷ୍ଟିଆନ୍‌ ଓବିଚୁକୟୁ (୧୩୩.୬ ପଏଣ୍ଟ୍‌) ରୌପ୍ୟ ଏବଂ ମିକି ୟୁଲ (୧୩୦.୯ ପଏଣ୍ଟ୍‌) କାଂସ୍ୟ ପଦକ ଜିତିଥିଲେ।

ଫାଇନାଲ୍‌ରେ ଭାବିନା
ଭାରତର ଭାବିନା ପଟେଲ ମହିଳା ଏକକ କ୍ଲାସ ୩-୫ ପାରା ଟେବୁଲ ଟେନିସ (ଟିଟି)ର ଫାଇନାଲ୍‌ରେ ପହଞ୍ଚି ପଦକ ପକ୍କା କରିଛନ୍ତି। ସେମିଫାଇନାଲ୍‌ରେ ଟୋକିଓ ପାରାଲିମ୍ପିକ୍ସ ରୌପ୍ୟ ବିଜୟିନୀ ଭାବିନା ୧୧-୬, ୧୧-୬, ୧୧-୬ରେ ଇଂଲଣ୍ଡର ସୁଇ ବେଲିଙ୍କୁ ପରାସ୍ତ କରିଥିଲେ। ୩୫ ବର୍ଷୀୟା ଏହି ଗୁଜରାଟ ଟିଟି ତାରକା ଶନିବାର ଫାଇନାଲ୍‌ରେ ନାଇଜେରିଆର ଖ୍ରିଷ୍ଟିଆନା ‌କେପିଓୟିଙ୍କୁ ଭେଟିବେ। ଅନ୍ୟ ଭାରତୀୟ ତାରକା ସୋନାବେନ ପଟେଲ କାଂସ୍ୟ ପଦକ ପାଇଁ ଲ‌ଢ଼ିବେ। ସେମିଫାଇନାଲ୍‌ରେ ସୋନାବେନ ୧୧-୮, ୬-୧୧, ୪-୧୧, ୭-୧୧ରେ କେପିଓୟିଙ୍କଠୁ ହାରିଯାଇଥିଲେ। କାଂସ୍ୟ ମୁକାବିଲାରେ ସେ ବେଲିଙ୍କୁ ଭେଟିବେ। ସେହିପରି ପୁରୁଷ ଏକକରେ ରାଜ ଅରବିନ୍ଦନ ଆଲାଗାର ସେମିଫାଇନାଲ୍‌ରେ ନାଇଜେରିଆର ନାସିରୁ ସୁଲେଙ୍କଠୁ ୧୧-୭, ୮-୧୧, ୪-୧୧, ୭-୧୧ରେ ହାରି ଯାଇଥିଲେ। କାଂସ୍ୟ ଲଢ଼େଇରେ ସେ ନାଇଜେରିଆର ଇସାଉ ଓଗୁଙ୍କୁନଲେଙ୍କୁ ଭେଟିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe