ୟୁଜିନ : ଭାରତୀୟ ଦୌଡ଼କୁଦ ଜଗତର ସୁପ୍ରସିଦ୍ଧ ନାୟକ ନୀରଜ ଚୋପ୍ରା ପୁଣି ଥରେ ଐତିହାସିକ ସଫଳତା ହାସଲ କରିଛନ୍ତି। ଆମେରିକାର ୟୁଜିନଠାରେ ଆୟୋଜିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ପ୍ରଥମ ଭାରତୀୟ ଭାବେ ସେ ରୌପ୍ୟ ପଦକ ଜିତିଛନ୍ତି। ନୀରଜ ଏହି ବିରଳ ସଫଳତା ପୁରୁଷ ଜାଭଲିନରୁ ହାସଲ କରିଛନ୍ତି। ୨୦୦୩ରେ ଅଞ୍ଜୁ ବବି ଜର୍ଜ ମହିଳା ଲମ୍ବଡିଆଁରେ କାଂସ୍ୟ ପଦକ (ପ୍ୟାରିସ୍, ଫ୍ରାନ୍ସ) ଜିତିବା ପରେ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ପଦକ ଜିତିବାରେ ଦ୍ବିତୀୟ ଭାରତୀୟ ହୋଇଛନ୍ତି ନୀରଜ।
ଦୀର୍ଘ ୧୯ ବର୍ଷ ପରେ କୌଣସି ଭାରତୀୟ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ପଦକ ଜିତିବା ପରେ ସମଗ୍ର ଦେଶରେ ଖୁସିର ଲହରି ଖେଳିଯାଇଛି। ୨୪ ବର୍ଷୀୟ ନୀରଜ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଟୋକିଓ ଅଲିମ୍ପିକ୍ସରେ ଭାରତର ସୁନାମ ରଖିଥିଲା ବେଳେ ଏବେ ବିଶ୍ବ ଦୌଡ଼କୁଦରୁ ବି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହି ଅତୁଳନୀୟ ସଫଳତା ଲାଗି ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଦେଶର ବହୁ କ୍ରୀଡ଼ା କିଂବଦନ୍ତି, ଅଭିନେତା, ଅଭିନେତ୍ରୀ ତଥା ରାଜନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Image Courtesy of India Todayରବିବାର ସକାଳୁ ଯେତେବେଳେ ସମଗ୍ର ଦେଶ ଏକ ନୂଆ ଦିନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଥିଲା ସେତେବେଳେ ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ବିଜେତା ନୀରଜ ସୁଦୂର ଆମେରିକାରେ ଇତିହାସ ରଚିବାରେ ବ୍ୟସ୍ତ ଥିଲେ। ପ୍ରଥମ ଥର ପାଇଁ ବିଶ୍ବ ଦୌଡ଼କୁଦର ଫାଇନାଲ୍ରେ ପ୍ରବେଶ କରିବାର ଉତ୍ସାହ ଓ ଉଲ୍ଲାସ ଭିତରେ କିନ୍ତୁ ନିଜ ପ୍ରଥମ ଥ୍ରୋ’ରେ ଅଯୋଗ୍ୟ ଘୋଷିତ ହୋଇଥିଲେ। ଅସାବଧାନତା ଭାବେ ସ୍କ୍ରାଚ୍ ଲାଇନ୍କୁ ଅତିକ୍ରମ କରିବାରୁ ତାଙ୍କ ଥ୍ରୋ’କୁ ଅବୈଧ ଘୋଷଣା କରାଯାଇଥିଲା।
ଦ୍ବିତୀୟ ପ୍ରୟାସର ବୈଧ ଥ୍ରୋ’କୁ ୮୨.୩୯ ମିଟର ଦୂରତାକୁ ଫିଙ୍ଗିଥିଲେ ସେ। ହେଲେ ଏହା ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠାରୁ ଢେର ଖରାପ ଥିଲା। ତୃତୀୟ ପ୍ରୟାସ (୮୬.୩୭ ମିଟର) ପରେ ମଧ୍ୟ ଦ୍ବାଦଶ ସ୍ଥାନରେ ଥିଲେ ଏହି ହରିୟାଣା ହିରୋ। ଫଳରେ ପଦକଠାରୁ ବହୁ ଦୂରରେ ରହିଥିଲେ। ଶେଷରେ ନିଜର ସବୁ ଶକ୍ତି ଖଟାଇ ଚତୁର୍ଥ ଥ୍ରୋ’ରେ ୮୮.୧୩ ମିଟର ଦୂରତା ଛୁଇଁ ଦ୍ବାଦଶରୁ ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଥିଲେ। ନିଜ ଶେଷ ଦୁଇ ଥ୍ରୋ’ରେ ସେତେଟା ସଫଳତା ନପାଇବା ପରେ ଚତୁର୍ଥ ଥ୍ରୋ’ ବଳରେ ହିଁ ରୌପ୍ୟ ପଦକ ବିଜୟୀ ହୋଇଥିଲେ ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ା ଚାମ୍ପିଅନ୍ ନୀରଜ। ତେବେ ନରୱେର ଟ୍ରାକ୍ ଆଣ୍ଡ ଫିଲ୍ଡ କିବଂଦନ୍ତି ଆଣ୍ଡ୍ରିଆସ୍ ଥରକିଲ୍ଡସେନ୍ଙ୍କ ପରେ ଉଭୟ ଅଲିମ୍ପିକ୍ସ ଓ ବିଶ୍ବ ଦୌଡ଼କୁଦରେ ସ୍ବର୍ଣ୍ଣ ପଦକ ଜିତିବାର ସୁଯୋଗ ହାତଛଡ଼ା କରିଥିଲେ। ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ୮୮.୧୯ ମିଟରର ଶ୍ରେଷ୍ଠ ଥ୍ରୋ’ ବଳରେ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ ନୀରଜ।
Image Courtesy of India TVଅନ୍ୟପକ୍ଷରେ ଗ୍ରେନେଡାର ଆଣ୍ଡରସନ୍ ପିଟର୍ସ ୯୦.୫୪ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗି ସ୍ବର୍ଣ୍ଣ ପଦକ କରାୟତ୍ତ କରି ନେଇଥିଲେ। ବ୍ୟକ୍ତିଗତ ଶ୍ରେଷ୍ଠ (୯୩.୦୭ ମିଟର)କୁ ଛୁଇଁ ପାରି ନଥିଲେ ମଧ୍ୟ ନିଜ ୬ଟି ଯାକ ଥ୍ରୋ’କୁ ବୈଧ ରଖି ପାରିଥିବା ପିଟର୍ସ ଦୁଇ ଥର ୯୦ ମିଟରର ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ସେପଟେ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଚେକ୍ ରିପବ୍ଲିକର ଜ୍ୟାକବ୍ ଭାଲଡିଚ୍ ୮୮.୧୩ ମିଟରର ଶ୍ରେଷ୍ଠ ଥ୍ରୋ’ ସହ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ହାସଲ କରିଥିଲେ। ଅନ୍ୟତମ ଭାରତୀୟ ରୋହିତ ଯାଦବ ୭୮.୭୨ ମିଟରର ଶ୍ରେଷ୍ଠ ଥ୍ରୋ’ ପାଇ ୧୨ ଜଣିଆ ଫାଇନାଲ୍ର ଦ୍ବାଦଶ ସ୍ଥାନରେ ଅଭିଯାନ ଶେଷ କରିଥିଲେ।
ସୂଚନାଯୋଗ୍ୟ ଯେ ୨୦୧୭ରେ ନୀରଜ ପ୍ରଥମ ଥର ଲାଗି ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଖେଳିଥିଲେ। ସେଥର ୮୩ ମିଟରର ଯୋଗ୍ୟତା ଦୂରତା ଛୁଇଁ ନପାରି ଫାଇନାଲ୍ରେ ପ୍ରବେଶ କରି ପାରିନଥିଲେ। ଏହା ପରେ ଆହତ ହୋଇ ୨୦୧୯ ବିଶ୍ବ ଦୌଡ଼କୁଦରେ ଅଂଶଗ୍ରହଣ କରିପାରିନଥିଲେ।
Follow Us