ଜନ୍ମଦିନରେ ହିଟ୍‌ମ୍ୟାନ୍‌ଙ୍କ ଦ୍ବିଶତକ ଚର୍ଚା, ରୋହିତ ବିଶ୍ବର ଶ୍ରେ‌ଷ୍ଠ ଧଳା ବଲ୍‌ କ୍ରିକେଟର୍‌: ଗମ୍ଭୀର

Advertisment
ଜନ୍ମଦିନରେ ହିଟ୍‌ମ୍ୟାନ୍‌ଙ୍କ ଦ୍ବିଶତକ ଚର୍ଚା, ରୋହିତ ବିଶ୍ବର ଶ୍ରେ‌ଷ୍ଠ ଧଳା ବଲ୍‌ କ୍ରିକେଟର୍‌: ଗମ୍ଭୀର

ମୁମ୍ବାଇ: ଲମ୍ବା ଲମ୍ବା ଛକା ଏବଂ ସୀମିତ ଓଭର କ୍ରିକେଟ୍‌‌ରେ ‌ଲମ୍ବା ପାଳି ଖେଳିବାର କଳା ରଖିଥିବା ରୋହିତ ଶର୍ମାଙ୍କୁ ଗୁରୁବାରଠୁ ୩୩ ପୂର୍ଣ୍ଣ ହୋଇ ୩୪ ବର୍ଷ ଚାଲିଲା। ଜନ୍ମଦିନ ଅବସରରେ କ୍ରିକେଟ୍‌ ଦୁନିଆ ରୋହିତ ଶର୍ମାଙ୍କୁ ଶୁଭେଚ୍ଛା ଓ ପ୍ରଶଂସାରେ ପୋତି ପକାଇଛି। ୧୩ ବର୍ଷ ତଳେ ଦିନିକିଆ କ୍ରିକେଟ୍‌କୁ ଆସିଥିବା ରୋହିତ ଏହି ଫର୍ମାଟରେ ସର୍ବାଧିକ ୩ ଦ୍ବିଶତକ ଜମାଇବାର କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଜନ୍ମଦିନ ପାଳନ ପୂର୍ବରୁ ଆସନ୍ତୁ ତାଙ୍କ ୩ଟି ଯାକ ଦ୍ବିଶତକ ଉପରେ ନଜର ପକାଇନେବା।

୨୦୯ ବନାମ ଅଷ୍ଟ୍ରେଲିଆ, ବେଙ୍ଗାଲୁରୁ, ୨୦୧୩
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ରୋହିତ ବେଶ୍‌ ମନ୍ଥର ଆରମ୍ଭ କରିଥିଲେ ଏବଂ ପାଳି ଗଢ଼ିବାରେ ଲାଗି ପଡ଼ିଥିଲେ କିନ୍ତୁ ୧୦୦ ରନ୍ ଅତିକ୍ରମ କରିବା ମାତ୍ରେ ସେ ଗିୟର୍ ବଦଳାଇ ଦେଇଥିଲେ ଏବଂ ଦିନିକିଆରେ ନିଜର ପ୍ରଥମ ଦ୍ବିଶତକ ହାସଲ କରିନେଇଥିଲେ। ରୋହିତଙ୍କ ୧୫୮ ବଲ୍‌ ୨୦୯ ରନ୍ ବଳରେ ଭାରତ ୩୮୩ ରନ୍‌ ‌ସ୍କୋର ଛିଡ଼ା କରିଥିଲା ଏବଂ ମ୍ୟାଚ୍‌କୁ ଘରୋଇ ଦଳ ୫୭ ରନ୍‌ ବ୍ୟବଧାନରେ ଜିତି ନେଇଥିଲା।

୨୬୪ ବନାମ ଶ୍ରୀଲଙ୍କା, କୋଲକାତା, ୨୦୧୪
ପ୍ରଥମ ଦ୍ବିଶତକର ବର୍ଷକ ପରେ ରୋହିତ କୋଲକାତାର ଇଡେନ୍ ଗାର୍ଡେନ୍ସରେ ୧୭୩ ବଲ୍‌ରୁ ୨୬୪ ରନ୍‌ର ଶ୍ରେଷ୍ଠ ପାଳି ଖେଳିଥିଲେ। ଏବେ ବି ଏହା ୫୦ ଓଭର ଫର୍ମାଟରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ ହୋଇ ରହିଛି। ମାତ୍ର ୪ ରନ୍ ବେଳେ ଜୀବନଦାନ ପାଇବା ପରେ ରୋହିତ ଏଥିରେ ୨୬୦ ରନ୍ ଯୋଡ଼ି ଶ୍ରୀଲଙ୍କା ବୋଲରଙ୍କ ସହ ଖେଳିଥିଲେ।

୨୦୮ ବନାମ ଶ୍ରୀଲଙ୍କା, ମୋହାଲି, ୨୦୧୭
ଏଥର ବି ପ୍ରଥମେ ବ୍ୟାଟିଂ ପାଇଥିବା ରୋହିତ ୧୫୩ ବଲ୍‌ରୁ ୧୦୮ ରନ୍ କରିଥିଲେ। ଭାରତ ୪ ୱିକେଟ୍‌ ବିନିମୟରେ ୩୯୨ ରନ୍ ସ୍କୋର ଛିଡ଼ା କରିଥିଲା। ରୋହିତଙ୍କ ପାଳିରେ ୧୩ ଚୌକା ଓ ୧୨ ଛକା ସାମିଲ ଥିଲା। ଭାରତ ଏହି ମ୍ୟାଚ୍‌କୁ ୧୪୧ ରନ୍‌ରେ ଜିତିଥିଲା। ଗତ ୨୦୧୯ ଦିନିକିଆ ବିଶ୍ବକପ୍‌ରେ ରୋହିତ ଦୁଇଟି ବ୍ୟକ୍ତିଗତ କୀର୍ତ୍ତିମାନ ପ୍ରତିଷ୍ଠା କରିଥଲେ। ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ୫ ଶତକ ହାସଲ କରିବାରେ ସେ ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ହୋଇଥିଲେ। ସେହିଭଳି ୮୧.୦୦ ହାରରେ ମୋଟ ୬୮୪ ରନ୍ ସଂଗ୍ରହ କରି ଶୀର୍ଷରେ ରହିଥିଲେ। ଭାରତୀୟ ଦିନିକିଆ ଦଳର ଉପ ଅଧିନାୟକ ରହିଥିବା ରୋହିତ ଅଦ୍ୟାବଧି ୨୨୪ ମ୍ୟାଚ୍‌ ଖେଳିଛନ୍ତି। ଏହା ବାଦ୍‌ ସେ ୩୨ ଟେଷ୍ଟ୍ ଓ ୧୩୨ ଟି-୨୦ ଖେଳି ସାରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଥର ଆଇପିଏଲ୍‌ ବିଜେତା କରାଇବାରେ ରୋହିତଙ୍କୁ ଶ୍ରେୟ ମିଳିଥାଏ। ଗୁରୁବାର ରୋହିତଙ୍କୁ ଜନ୍ମଦିନ ଅଭିନନ୍ଦନ ଜଣାଇବା ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ୍‌, ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ଟେଷ୍ଟ୍ ଦଳ ସାଥୀ ହନୁମା ବିହାରୀ, ଆଇପିଏଲ୍ ସାଥୀ କର୍ଣ୍ଣ ଶର୍ମା, ଇକ୍‌ବାଲ୍ ଅବଦୁଲ୍ଲା, ଖଲିଲ୍ ଅହମ୍ମଦ, ଟେଷ୍ଟ୍ ଦଳ ସାଥୀ ମୟଙ୍କ ଅଗ୍ରୱାଲ, ରୀମା ମାଲହୋତ୍ରା, ଗୌତମ ଗମ୍ଭୀର, ସଚିନ ତେନ୍ଦୁଲକର, ଅଜିଙ୍କ୍ୟ ରାହାଣେ ପ୍ରମୁଖ।

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ଗୁରୁବାର ଥିଲା ଜନ୍ମ ଦିନ। ତାଙ୍କର ଏହି ଜନ୍ମ ଦିନରେ ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ତଥା ସାଂସଦ ଗୌତମ ଗମ୍ଭୀର ଅଭିନନ୍ଦନ ଜଣାଇବା ସହ ରୋହିତ ବିଶ୍ବର ଶ୍ରେଷ୍ଠ ଧଳା ବଲ୍‌ କ୍ରିକେଟର୍‌ ବୋଲି କହିଛନ୍ତି। ରୋହିତ ଲୟରେ ଥିଲା ବେଳେ ସେ ଅଜେୟ। ଯେ କୌଣସି ବୋଲିଂ ଆକ୍ରମଣକୁ ପ୍ରତିହିତ କରିବାକୁ ସେ ସକ୍ଷମ। ଏହି ଷ୍ଟାଇଲିସ୍ ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ଦିନିକିଆରେ ତିନିଟି ଦ୍ବିଶତକ ହାସଲ କରିବାର କୀର୍ତ୍ତିମାନ କରିଛନ୍ତି। ତାଙ୍କର ଏହି ୩୩ତମ ଜନ୍ମ ‌ଦିନରେ ଅନେକ ଶୁଭେଚ୍ଛା। ଏହି ହିଟ୍‌ମ୍ୟାନ୍‌ ଧଳା ବଲ୍‌ ବା ସୀମିତ ଓଭର କ୍ରିକେଟ୍‌ରେ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ବୋଲି ଭାରତ ପାଇଁ ୧୪୭ ଦିନିକିଆ, ୫୮ ଟେଷ୍ଟ୍ ଓ ୩୭ ଟ୍ବେଣ୍ଟି-୨୦ ଖେଳିଥିବା ‌ଗମ୍ଭୀର ଗୁରୁବାର ଟ୍ବିଟର୍‌ରେ ପ୍ରକାଶ କରିଛନ୍ତି। ସଂପ୍ରତି ରୋହିତ ଦିନିକିଆ ବିଶ୍ବମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ‌ଏହି ଫର୍ମାଟ୍‌ରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ ତାଙ୍କ ନାମରେ ରହିଛି। ଶ୍ରୀଲଙ୍କା ବିପକ୍ଷ (୨୦୧୪)ରେ ୧୭୩ ବଲ୍‌ରେ ୯ ଛକା ଓ ୩୩ ଚୌକା ସହ ୨୬୪ ରନ୍‌ ସଂଗ୍ରହ କରିଥିଲେ। ୨୦୧୯ ବିଶ୍ବକପ୍‌ରେ ସର୍ବାଧିକ ରନ୍‌ ସ୍କୋରର୍‌ ଥିଲେ। ୯ ମ୍ୟାଚ୍‌ ଖେଳି ୮୧ ହାରରେ ୬୪୮ ରନ୍‌ ସଂଗ୍ରହ କରିଥିଲେ। ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ସେ ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ୫ ଶତକ ହାସଲ କରିଥିଲେ। ପୂର୍ବରୁ ଏହି କୀର୍ତ୍ତିମାନ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ କୁମ‌ାର ସାଙ୍ଗାକାରା (୪ ଶତକ)ଙ୍କ ନାମରେ ଥିଲା। ଅଧିନାୟକ କୋହଲି ମଧ୍ୟ ରୋହିତଙ୍କୁ ଶୁଭେଚ୍ଛା ଜଣାଇ ଖୁସି ଓ ସୁରକ୍ଷିତ ରହିବାକୁ କାମନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe