ଆଜିଠୁ ହକି ହଙ୍ଗାମା: ଚୀନ୍‌ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ

Advertisment
ଆଜିଠୁ ହକି ହଙ୍ଗାମା: ଚୀନ୍‌ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ

ଭୁବନେଶ୍ବର: ଅଲିମ୍ପିକ୍ସ ଯୋଗ୍ୟତାରୁ ବଞ୍ଚିତ ହେବା ପରେ ଭାରତୀୟ ମହିଳା ହକି ଦଳ ଶନିବାରଠୁ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଏସୀୟ କ୍ରୀଡ଼ା ବିଜେତା ଚୀନ୍‌ ବିପକ୍ଷରୁ ଭାରତ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍‌ ସନ୍ଧ୍ୟା ସାଢେ ୭ଟାରେ ଆରମ୍ଭ ହେବ। ଏଥିପୂର୍ବରୁ ଆମେରିକା ଓ ନେଦରଲାଣ୍ଡ୍ସ ମଧ୍ୟରେ ଅପରାହ୍ନ ସା‌ଢେ ୫ଟାରେ ଉଦ୍‌ଘାଟନୀ ମୁକାବିଲା ହେବ। କଳିଙ୍ଗ ‌ଷ୍ଟାଡିୟମ୍‌ରେ ୯ ତାରିଖ ପର୍ଯ୍ୟନ୍ତ ମହିଳା ବର୍ଗ ମ୍ୟାଚ୍‌ ଖେଳାଯିବା ପରେ ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଅଧିନାୟିକା ସବିତା ଓ ଉପଅଧିନାୟିକା ବନ୍ଦନା କଟାରିଆଙ୍କ ନେତୃତ୍ବରେ ଭାରତୀୟ ଦଳ ପ୍ରୋ-ଲିଗ୍‌ରେ ବିଜେତା ହେବା ଲକ୍ଷ୍ୟରେ ରହିଛି। ଗତ ୨୦୨୨ ‌ଏଫ୍‌ଆଇଏଚ୍‌ ନେସନ୍ସ କପ୍‌ରେ ଭାରତୀୟ ମହିଳା ଦଳ ସ୍ବର୍ଣ୍ଣ ପଦକ ଜିତି ପ୍ରୋ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଏଥିପୂର୍ବରୁ ୨୦୨୧-୨୨ରେ ଭାରତୀୟ ଦଳ ପ୍ରଥମ ଥର ପ୍ରୋ ଲିଗ୍‌ରେ ଖେଳିଥିଲା ବେଳେ ଆର୍ଜେଣ୍ଟିନା ଓ ନେଦରଲାଣ୍ଡ୍ସ ପଛକୁ ତୃତୀୟରେ ରହିଥିଲା।

ତେବେ ଓଡ଼ିଶାକୁ ପୁଣି ଥରେ ଫେରିଥିବାରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜାନେକେ ସ୍କପମ୍ୟାନ୍‌ ଉତ୍ସାହିତ ଅଛନ୍ତି। ଆମେ ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ ‌ଦେବା ଲକ୍ଷ୍ୟରେ ଆସିଛୁ। ଆମେ ଗୋଟିଏ ଭଲ ଦଳ ଏବଂ ବଡ଼ ଦଳଙ୍କ ବିପକ୍ଷରେ ଭଲ ଖେଳିପାରୁ ବୋଲି ପ୍ରମାଣିତ କରିବୁ। ଆମେ ଅଲିମ୍ପିକ୍ସ ଯାଇପାରୁନୁ, କିନ୍ତୁ ଏହାକୁ ଭୁଲି ଆଗକୁ ବଢିବାକୁ ହେବ ବୋଲି ସ୍କପମ୍ୟାନ୍‌ ଶୁକ୍ରବାରର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଭାରତ ସହିତ ଚୀନ୍‌, ଆମେରିକା, ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ଏହି ଲିଗ୍‌ରେ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଦିନରେ ଚୀନ୍‌ ବିପକ୍ଷରେ ଖେଳିବା ପରେ ୪ରେ ନେଦରଲାଣ୍ଡ୍ସ, ୭ରେ ଅଷ୍ଟ୍ରେଲିଆ ଓ ୯ରେ ଆମେରିକା ବିପକ୍ଷରେ ଭାରତ ଭୁବନେଶ୍ବର ଲେଗ୍‌ ଖେଳିବ। ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ଭଳି ଶୀର୍ଷ ଦଳମାନଙ୍କ ସହ ଆମେ କେମିତି ଖେଳିପାରୁଛେ ତାହା ଏଠାରେ ଦେଖିବାକୁ ମିଳିବ। ଏପରିକି ପ୍ରତିପକ୍ଷ ଦଳ ଅଲିମ୍ପିକ୍ସରେ ଖେଳିବାକୁ ଯାଉଥିବାରୁ ସେମାନେ ମଧ୍ୟ ଏଠାରୁ ଭଲ ପ୍ରଦର୍ଶନ ଆଶା ରଖୁଛନ୍ତି। ତେଣୁ ଅଲିମ୍ପିକ୍ସ ଯାଉଥିବା ଦଳଙ୍କୁ ମାତ୍‌ ଦେବା ଆମର ଲକ୍ଷ୍ୟ ରହିବ ବୋଲି ସ୍କପମ୍ୟାନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe