ହକି: ସ୍ପେନ୍‌କୁ ୩-୦ରେ ହରାଇଲା ଭାରତ

Advertisment
ହକି: ସ୍ପେନ୍‌କୁ ୩-୦ରେ ହରାଇଲା ଭାରତ

ଟୋକିଓ: ଅଲିମ୍ପିକ୍ସ ଅଭିଯାନରେ ଭାରତୀୟ ହକି ଦଳ ପୁଣି ଥରେ ଆତ୍ମବିଶ୍ବାସ ଫେରି ପାଇଛି। ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ୟୁ‌ରୋପୀୟ ରାଷ୍ଟ୍ର ସ୍ପେନ୍‌କୁ ମଙ୍ଗଳବାର ଏକତରଫା ଭାବେ ୩-୦ ଗୋଲ୍‌ରେ ପରାସ୍ତ କରି ବିଜୟ ଧାରାକୁ ଫେରିଛି ଟିମ୍ ଇଣ୍ଡିଆ। ତା’ ସହ ଦଳର ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ଆଶା ବହୁ ଗୁଣରେ ବଢ଼ିଛି। ଭାରତୀୟ ଦଳର ଏକତରଫା ବିଜୟ ପରେ ଘରୋଇ ହକିପ୍ରେମୀଙ୍କ ମୁହଁକୁ ବି ପୁଣି ଥରେ ହସ ଫେରିଛି।

ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ରୋମାଞ୍ଚକର ଭାବେ ୩-୨ରେ ହରାଇବା ପରେ ଦ୍ବିତୀୟରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ୭-୧ ଗୋଲ୍‌ରେ ପରାଜିତ ହୋଇଥିଲା ଭାରତ। ଫଳରେ ଦଳର ରଣନୀତି, ଦକ୍ଷତା‌ ଏବଂ ଏକାଗ୍ରତା ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଇଥିଲା। ତେବେ ଗୋଟିଏ ଦିନର ବିଶ୍ରାମ ପରେ ସତେଜ ମନ ଓ ସୁସ୍ଥ ଶରୀର ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଖେଳାଳିମାନେ ସବୁ ଆଶଙ୍କା ଓ ସଂଶୟକୁ ଦୂର କରି ମଙ୍ଗଳବାର ସ୍ପେନ ବିପକ୍ଷ ତୃତୀୟ ମ୍ୟାଚ୍‌ରେ ଅପୂର୍ବ ହକି କଳା କୌଶଳର ନିଦର୍ଶନ ଦେଇଥିଲେ। ବ୍ୟବସ୍ଥିତ ତଥା ସନ୍ତୁଳିତ ଖେଳ ଖେଳି ଦ୍ବିତୀୟ କ୍ବାର୍ଟରରେ ଦୁଇ ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ ପ୍ରତୀକ୍ଷିତ ବିଜୟକୁ ପକ୍କା କରି ନେଇଥ‌ିଲେ। ସେହିଭଳି ସ୍ପେନ ଅଗ୍ରଭାଗକୁ ନିଜ ରକ୍ଷଣଭାଗ ଭେଦ କରିବାର କୌଣସି ସୁଯୋଗ ଦେଇନଥିଲେ ଭାରତର ସଜାଗ ତାରକାମାନେ। ହେଲେ ଉତ୍ତମ ତାଳମେଳ ସହ ଖେଳି ପ୍ରତିପକ୍ଷ ସର୍କଲକୁ ଘନଘନ ଆକ୍ରମଣ କରି ତିନିଟି ଗୋଲ୍ କରିବା ସହ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିଥିଲେ। ସେହିଭଳି ବିଜୟ ଧାରାକୁ ଫେରି ନିଜ ପଦକ ବିଜୟ ଆଶାକୁ ବି ଉଜ୍ଜୀବିତ ରଖିଥିଲେ।

ମଙ୍ଗଳବାର ମୁକାବିଲାରେ ଯୁବ ତାରକା ସିମ୍ରନଜିତ୍ ସିଂହ ଚର୍ତୁଦଶ ମିନିଟ୍‌ରେ ଏକ ସୁନ୍ଦର ଗୋଲ୍ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ପରବର୍ତ୍ତୀ ମିନିଟ୍‌ରେ ଦଳର ଦକ୍ଷ ଡ୍ରାଗ୍ ଫ୍ଲିକର ରୂପିନ୍ଦର ପାଲ୍ ସିଂହ ପେନାଲ୍ଟି ଷ୍ଟ୍ରୋକ୍‌କୁ ଗୋଲ୍‌ରେ ରୂପାନ୍ତର କରି ସ୍ଥିତି ୨-୦ କରି ନେଇଥିଲେ। ସେତିକିରେ ରୂପୀନ୍ଦରଙ୍କ ଷ୍ଟିକ୍ ଶାନ୍ତ ରହି ନଥିଲା। ଚତୁର୍ଥ ତଥା ଶେଷ କ୍ବାର୍ଟରର ଷଷ୍ଠ ଓ ମ୍ୟାଚ୍‌ର ୫୧ ମିନିଟ୍‌ରେ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଏବଂ ମ୍ୟାଚ୍‌ର ତୃତୀୟ ଗୋଲ୍ ଦେଇ ଭାରତ ବିଜୟକୁ ସୁନିଶ୍ଚିତ କରି ଦେଇଥିଲେ। ନିଜ ନିଜର ମାଇଲଖୁଣ୍ଟ ମ୍ୟାଚ୍ ଖେଳୁଥିବା ଦୁଇ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ ମଧ୍ୟ ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଶେଷ ୫ ମିନିଟ୍‌ରେ ସ୍ପେନ୍‌ ତା’ ଆକ୍ରମଣର ତୀବ୍ରତା ବଢ଼ାଇ ଦୁଇଟି ପେନାଲ୍ଟି କର୍ନର ଅର୍ଜନ କରିଥିଲା। ତେବେ ଭାରତୀୟ ରକ୍ଷଣଭାଗ ସଫଳତାର ସହ ଏହାକୁ ନିଷ୍ଫଳ କରି ଦେଇଥିଲା। ଏହି ମନୋବଳ ବୃଦ୍ଧିକାରୀ ବିଜୟ ପରେ ଭାରତ ତାର ପରବର୍ତ୍ତୀ ମ୍ୟାଚ୍‌ରେ ରିଓ ଅଲିମ୍ପିକ୍ସ ବି‌ଜେତା ଆର୍ଜେଣ୍ଟିନାକୁ ଗୁରୁବାର ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe