ରାଉରକେଲା: ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟିବ। ଆଜି(ଶନିବାର) ସନ୍ଧ୍ୟାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍। ଏହି ହକି ମହାକୁମ୍ଭକୁ ଉପଭୋଗ କରିବାର ସୁଯୋଗ ପାଇବେ ଦର୍ଶକ। ୨୦୧୭ ପରଠାରୁ ବନ୍ଦ ହୋଇଯାଇଥିବା ଏହି ଲିଗ୍, ୭ ବର୍ଷର ବ୍ୟବଧାନପରେ ଆକର୍ଷଣୀୟ ଢଙ୍ଗରେ ଫେରୁଛି। ଦର୍ଶକଙ୍କ ପାଇଁ ମାଗଣା ଟିକଟ୍ ବ୍ୟବସ୍ଥା ଥିବାରୁ ଏଥର ମଧ୍ୟ ଭିଡ଼ ଅସମ୍ଭାଳ ହେବା ଆକଳନ କରାଯାଉଛି।
ହକିପ୍ରେମୀଙ୍କ ଅପେକ୍ଷାର ଅନ୍ତ
ରାଉରକେଲାରେ ଥିବା ବିଶ୍ବର ସର୍ବବୃହତ ଷ୍ଟାଡିୟମ ଓ ଏଠାକାର ଦର୍ଶକଙ୍କୁ କେବଳ ଭାରତୀୟ ଖେଳାଳି ନୁହନ୍ତି, ବରଂ ବିଦେଶୀ ଖେଳାଳି ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି। ବିଶେଷକରି ସ୍ଥାନୀୟ ଦର୍ଶକଙ୍କ ହକି ଜ୍ଞାନ, ହକି ପ୍ରତି ଭଲଭାଇବା ସବୁବେଳେ ଚର୍ଚ୍ଚାର ପରିସର ଭିତରେ ରହିଥାଏ। ବିଶ୍ବକପ୍ ମ୍ୟାଚ୍ ହେଉ ଅବା ପ୍ରୋ-ଲିଗ୍, ପ୍ରତ୍ୟେକ ମ୍ୟାଚ୍ରେ ଦର୍ଶକଙ୍କ ଉପସ୍ଥିତିରେ ପୁରିଉଠେ ଷ୍ଟାଡିୟମ। ଶନିବାରଠାରୁ ଏହାର ପୁନରାବୃତ୍ତି ଘଟିବାକୁ ଯାଉଛି।
ସ୍ଥାନୀୟ ହକିପ୍ରେମୀ ପୁଣିଥରେ ବିଶ୍ବସ୍ତରୀୟ ହକିର ମଜାନେବେ। ଅତି ନିକଟରୁ ନିଜର ପସନ୍ଦର ଖେଳାଳିଙ୍କୁ ଦେଖିବାର ସୁଯୋଗ ପାଇବେ। ଏହା ପୂର୍ବରୁ, ୨୦୨୩ ଜାନୁଆରିରେ ଅନୁଷ୍ଠିତ ପୁରୁଷ ହକି ବିଶ୍ବକପ, ଉକ୍ତ ବର୍ଷ ମାର୍ଚ୍ଚରେ ଖେଳାଯାଇଥିଥିବା ପୁରୁଷ ପ୍ରୋ-ଲିଗ୍ର ୬ଟି ମ୍ୟାଚ୍ ଏବଂ ଗତ ଫେବ୍ରୁଆରିରେ ଅନୁଷ୍ଠିତ ଉଭୟ ପୁରୁଷ ଓ ମହିଳା ପ୍ରୋ-ଲିଗ୍ର ମୋଟ୍ ୨୦ଟି ମ୍ୟାଚ୍କୁ ଉପଭୋଗ କରିଥିଲେ। ପୁରୁଷ ଲିଗ୍ରେ ମୋଟ୍ ୪୪ଟି ମ୍ୟାଚ୍ ଖେଳାଯିବାକୁଥିବାବେଳେ ରାଉରକେଲାରେ ସେମିଫାଇନାଲ, ଫାଇନାଲ ସମେତ ୪୦ଟି ମ୍ୟାଚ୍ ଓ ରାଞ୍ଚିରେ ୪ଟି ଲିଗ୍ ମ୍ୟାଚ୍ ଖେଳାଯିବ।
ଆସିବେନି ସାରା ଅଲ୍ଲୀ ଖାନ, ରାପର୍ କିଙ୍ଗ୍
୭ ବର୍ଷର ବ୍ୟବଧାନପରେ ହକି ଇଣ୍ଡିଆ ଲିଗ୍ ପ୍ରତ୍ୟାବର୍ତ୍ତନ କରୁଥିବାରୁ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିଲା। ଷ୍ଟାଡିୟମରେ ଷ୍ଟେଜ୍ ପାଇଁ ଆବଶ୍ୟକ ବ୍ୟବସ୍ଥା ବି ସରିସାରିଥିଲା। କେବଳ ବାକିଥିଲା ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ରାପର୍ କିଙ୍ଗ୍ ଓ ପ୍ରଖ୍ୟାତ ନୃତ୍ୟ ନିର୍ଦ୍ଦେଶକ ସିଆମକ୍ ଡାଭରଙ୍କ ନୃତ୍ୟ ଦଳର କାର୍ଯ୍ୟକ୍ରମ ପରିବେଷଣ। କିନ୍ତୁ ଉଦ୍ଘାଟନୀ ଉତ୍ସବରେ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆଉ ହେବନାହିଁ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଯୋଗୁଁ ଦେଶ ରାଷ୍ଟ୍ରୀୟ ଶୋକ ପାଳନ କରୁଥିବାରୁ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ତେବେ ନିର୍ଦ୍ଦିଷ୍ଟ କେବେ ପୁଣି ଏହି କାର୍ଯ୍ୟକ୍ରମ ଆୟୋଜନ ହେବ, ତାହା ଏଯାଏ ଆନୁଷ୍ଠାନିକଭାବେ ସୂଚନା ଦିଆଯାଇନାହିଁ।
ସୁରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ୍
ଡିସେମ୍ବର ୨୮ରୁ ଫେବ୍ରୁଆରି ୧ ତାରିଖ ପର୍ଯ୍ୟନ୍ତ, ମାସାଧିକ କାଳ ରାଉରକେଲାରେ ହକି ଇଣ୍ଡିଆ ଲିଗ୍ ଖେଳାଯିବ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଇନଶୃଙ୍ଖଳା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଏହାସହ ୨୦ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ନିୟୋଜିତ। ଟ୍ରାଫିକ୍ ସମସ୍ୟାର ସୁଧାରଠାରୁ ଆରମ୍ଭକରି ଷ୍ଟାଡିୟମ ଭିତରକୁ ଦର୍ଶକଙ୍କ ସୁରକ୍ଷିତ ପ୍ରବେଶ, ମ୍ୟାଚ୍ବେଳେ ଗ୍ୟାଲେରୀରେ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଆଦି ବିଭିନ୍ନ କାର୍ଯ୍ୟର ତଦାରଖ କରିବେ।
ଲିଗ୍ ପାଇଁ ଟ୍ରାଫିକ ମାର୍ଗଦର୍ଶିକା
ଲିଗ୍ ପାଇଁ ରାଉରକେଲା ଏସ୍ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ରାଫିକ୍ ମାର୍ଗଦର୍ଶୀକା ଜାରି କରାଯାଇଛି। ଏହା ଶନିବାର ଅପରାହ୍ନ ୩ଟାରୁ ଫେବ୍ରୁ୍ଆରି ୧ ତାରିଖ ଯାଏ ବଳବତ୍ତର ରହିବ। ଛେଣ୍ଡ୍ ପଟୁ ଆସୁଥିବା ସମସ୍ତ ଭିଭିଆଇପି, ଭିଆଇପି କନକମଞ୍ଜରି ସ୍କୁଲ ଦେଇ ହକି ଷ୍ଟାଡିୟମର ମୁଖ୍ୟ ରାସ୍ତା ଗେଟ୍ ନମ୍ବର-୩କୁ ଯାଇପାରିବେ। ସ୍ପେସ୍ ଛକ ପଟୁ ଆସୁଥିବା ଭିଭିଆଇପି, ଭିଆଇପି ପ୍ରଧାନପାଲି ଛକ ଦେଇ ଷ୍ଟାଡିୟମର ଗେଟ୍ ନମ୍ବର-୩କୁ ଯାଇପାରିବେ।
ଅଧିକ ପଢ଼ନ୍ତୁ: ସୋଲ୍ରେ କଲରାପତରିଆ ଆତଙ୍କ: ଛେଳିଙ୍କୁ କରୁଛି ଆକ୍ରମଣ
ଛେଣ୍ଡ ଛକଠାରୁ କଳିଙ୍ଗ ବିହାର ରାସ୍ତା ଦେଇ ସମସ୍ତ ଭାରୀଯାନ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ସେହିଭଳି ଆଇଟିଆଇ ବ୍ରିଜ୍ ଦେଇ ଆସୁଥିବା ସମସ୍ତ ବସ୍ ଚିନ୍ମୟ ଇଂରାଜୀ ମାଧ୍ୟମ ସ୍କୁଲ ଛକ ଦେଇ ଛେଣ୍ଡ ଛକ ଆଡ଼କୁ ଯିବ। ରିଜର୍ଭ ପୁଲିସ ଲାଇନ ଓ କଳିଙ୍ଗବିହାର ଛକ ଦେଇ ଯାଉଥିବା ସମସ୍ତ ଗାଡ଼ି ପାର୍କିଂ ୫, ୬ରେ ରହିବ। ସେକ୍ଟର ପଟୁ ପ୍ରଧାନପାଲି ଦେଇ ଆସୁଥିବା ଦର୍ଶକ ପାର୍କିଂ ୧,୨, ୩, ୪କୁ ବ୍ୟବହାର କରିପାରିବେ। ତେବେ ଏହି କଟକଣା ପୁଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଗାଡ଼ିମାନଙ୍କ ପାଇଁ ଲାଗୁ ହେବନାହିଁ।
ଅଧିକ ପଢ଼ନ୍ତୁ: ଆସନ୍ତା ୬ ମାସ ମଧ୍ୟରେ ନକ୍ସଲଙ୍କୁ ମୂଳପୋଛ କରିପାରିବ ପୁଲିସ?