ହକି ଇଣ୍ଡିଆ ଜିତିଲା ସମ୍ମାନଜନକ ଇଟିନେ ଗ୍ଲିଚିଚ୍‌ ପୁରସ୍କାର

Advertisment
ହକି ଇଣ୍ଡିଆ ଜିତିଲା ସମ୍ମାନଜନକ ଇଟିନେ ଗ୍ଲିଚିଚ୍‌ ପୁରସ୍କାର

ଲୌସାନେ : ହକି ଇଣ୍ଡିଆ ଶୁକ୍ରବାର ସମ୍ମାନଜନକ ଇଟିନେ ଗ୍ଲିଚିଚ୍‌ ପୁରସ୍କାର ହାତେଇନେଇଛି। ଦେଶରେ ହକିର ବିକାଶ ଓ ସମୃଦ୍ଧି କ୍ଷେତ୍ରରେ ମହତ୍ବପୂର୍ଣ୍ଣ ଅବଦାନର ସ୍ବୀକୃତି ସ୍ବରୂପ ଏହି ପୁରସ୍କାର ମିଳିଛି। ହକିର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଏଫ୍‌ଆଇଏଚ୍‌ (ଆନ୍ତର୍ଜାତିକ ହକି ମହାସଂଘ) ଦ୍ବାରା ହକିଇନ୍‌ଭାଇଟ୍‌ସ ଭର୍ଚୁଆଲ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଏଫ୍‌ଆଇଏଚ୍‌ର ୪୭ତମ ଅଧିବେସନ ଅବସରରେ ଏହି ପୁରସ୍କାର ସମେତ ଏଫ୍‌ଆଇଏଚ୍‌ ଅବୈତନିକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ହକି ଇଣ୍ଡିଆକୁ ତା’ର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନଜନକ ଇଟିନେ ଗ୍ଲିଚିଚ ପୁରସ୍କାର ପ୍ରଦାନ କରାଯାଇଥିବା ଏଫଆଇଏଚ୍‌ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ହକି କ୍ରୀଡ଼ାର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି, ଦଳ ଏବଂ ସଂସ୍ଥାକୁ ଏଫ୍‌ଆଇଏଚ୍‌ ପ୍ରତି ଦୁଇ ବର୍ଷରେ ପୁରସ୍କୃତ କରିଥାଏ। ହକି ଇଣ୍ଡିଆକୁ ହକିର ଅଭିବୃଦ୍ଧି ବିକାଶ ଲାଗି ଏଟିନ୍‌ ଗ୍ଲିଚିଚଙ୍କ ନାମରେ ପ୍ରଦାନ କରାଯାଉଥିବା ପୁରସ୍କାର ମିଳିଥିଲା। ଗ୍ଲିଚିଚ୍‌ ୧୯୬୬ରୁ ୧୯୮୪ ପର୍ଯ୍ୟନ୍ତ ଏଫ୍‌ଆଇଚ୍‌ର ସଚିବ ଥିଲେ। ଏହା ପରେ ସେ ୧୯୯୬ ପର୍ଯ୍ୟନ୍ତ ସଭାପତି ପଦରେ ରହିଥିଲେ। ନୂତନ ଭିତ୍ତିଭୂମି ତଥା ଯୁବ ବିକାଶ ଯୋଜନାର କାର୍ଯ୍ୟକାରିତା ମାଧ୍ୟମରେ କ୍ରୀଡ଼ାର ଉନ୍ନତି ପାଇଁ ଅତୁଳନୀୟ ଉଦ୍ୟମ କରିଥିବା ଉଜ୍‌ବେକିସ୍ତାନ ହକି ମହାସଂଘକୁ ପାବ୍‌ଲୋ ନେଗ୍ରେ ପୁରସ୍କାର ମିଳିଥିଲା। ବିଭିନ୍ନ ହକି ବିକାଶ ପ୍ରକଳ୍ପ କରିଥିବାରୁ ପୋଲାଣ୍ଡ ହକି ସଂଘକୁ ଥିଓ ଇକେମା ପୁରସ୍କାର ମିଳିଥିଲା। ସଂଘ ୩୦ ନୂଆ ପ୍ରଶିକ୍ଷକ ନିଯୁକ୍ତି କରି ୩୦୦୦ ସ୍କୁଲ ପିଲାଙ୍କୁ ପ୍ରଶିକ୍ଷଣ ଦେଇ ହକିକୁ ଦେଶରେ ପରିଚିତ କରିଥିଲା। ଏହା ସହିତ ବ୍ୟକ୍ତିଗତ ବର୍ଗରେ ଇଂଲଣ୍ଡ ଷ୍ଟ୍ରାଇକର ସାମ ୱାର୍ଡଙ୍କୁ ରେନେ ଜି ଫ୍ରାଙ୍କ୍‌‌ ନାମରେ ନାମିତ ସୁପର ଫେୟାର ପ୍ଲେ ଟ୍ରଫି ମିଳିଥିଲା। ଅମ୍ପାୟରଙ୍କ ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କ୍ରୋଏସିଆର ଇଭୋନା ମାର୍କରଙ୍କୁ ମିଳିଥିଲା ଗୁଷ୍ଟ ଲାଥୋୱର୍ସ ସ୍ମାରକୀ ଟ୍ରଫି। ନ୍ୟୁଜିଲାଣ୍ଡର ସାରନ ୱିଲିୟମସନ୍‌ଙ୍କୁ ଏଚ୍‌ଆର୍‌ଏଚ୍‌ ସୁଲତାନ ଆଜଲାନ ଶାହା ପୁରସ୍କାର ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe