ଲକ୍ଷ୍ନୌ : ୯୦ ଦଶକରେ ଭାରତୀୟ ହକିର ଧୂମକେତୁ ଭାବେ ପରିଚିତ ରାଜୀବ ମିଶ୍ରାଙ୍କ ସନ୍ଦେହଜନକ ମୃତ୍ୟ ହୋଇଛି। ବାରାଣାସୀସ୍ଥିତ ବାସଭବନରୁ ରାଜୀବଙ୍କ ମୃତ ଦେହ ଉଦ୍ଧାର ହୋଇଛି। ତାଙ୍କ ଦେହରେ ଅନେକ କ୍ଷତ ଥିବା ଜଣାପଡ଼ିଛି। ୪୬ ବର୍ଷୀୟ ରାଜୀବ କିଛି ଦିନ ତଳେ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ତାଙ୍କ ଘରୁ ଗନ୍ଧ ବାହାରିବାରୁ ରାଜୀବଙ୍କ ପଡ଼ୋଶୀ ପୁଲିସକୁ ଜଣାଇଥିଲେ। ପୁଲିସ ଆସି ଦେଖିବା ବେଳକୁ ରାଜୀବ ଘରେ ଏକୁଟିଆ ମରି ପଡ଼ିଛନ୍ତି। ତାଙ୍କ ଶବକୁ ପୁଲିସ ଜବତ କରି ତଦନ୍ତ ଚଲାଇଛି।
ରଜୀବଙ୍କ ପତ୍ନୀ, ପୁଅ ଓ ଝିଅ ଲକ୍ଷ୍ନୌରେ ରହୁଛନ୍ତି। କୋଲ୍କାତାର ରାଜୀବ ନଦର୍ଣ୍ଣ ରେଳବାଇରେ ଟିକେଟ୍ କଲେକ୍ଟର ଭାବେ ବାରାଣାସୀରେ ଚାକିରି କରୁଥିଲେ। ୧୯୯୭ କନିଷ୍ଠ ବିଶ୍ବକପ୍ ଉପବିଜେତା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ତାଙ୍କର ସାଥୀ ଖେଳାଳି ଥିଲେ। ‘‘ଜଣେ ଦକ୍ଷ ପୂର୍ବତନ କନିଷ୍ଠ ଅନ୍ତର୍ଜାତୀୟ ହକି ଖେଳାଳି ଏବଂ ୧୯୯୭ ବିଶ୍ବକପ୍ ରୌପ୍ୟ ବିଜେତା ରାଜୀବ ମିଶ୍ରାଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ବହୁତ ଦୁଃଖିତ। ତାଙ୍କ ପରିବାରଙ୍କୁ ମୋର ହୃଦୟରୁ ସମବେଦନା’’ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଟ୍ବିଟର୍ରେ ପ୍ରକାଶ କରିଛନ୍ତି।
Follow Us