ଛାତ ଉପରେ ହକି ତାରକାଙ୍କ ଅଭ୍ୟାସ

Advertisment
ଛାତ ଉପରେ ହକି ତାରକାଙ୍କ ଅଭ୍ୟାସ

ଭୁବନେଶ୍ବର : କରୋନା ଆତଙ୍କ ପାଇଁ ଗୃହାବଦ୍ଧରେ ରହିବାକୁ ବାଧ୍ୟ ହୋଇଥିବା ଓଡ଼ିଶା ହକିର ଦୁଇ ଉଦୀୟମାନ ମହିଳା ତାରକା ମାରିଆନା କୁଜୁର ଓ ଜୀବନକିଶୋରୀ ଟପ୍ପୋ ନିଜ ନିଜ ଘରର ଛାତ ଉପରେ ଅଭ୍ୟାସ କରି ଫିଟ୍ ରହିବାକୁ ଚେଷ୍ଟା କରୁଛନ୍ତି। ନିଜ ନିଜର ହକି ପ୍ରତିଭାକୁ ମଧ୍ୟ ଆହୁରି ଶାଣିତ କରିବାକୁ ଚେଷ୍ଟା ଚଳାଇଛନ୍ତି। ତେବେ ସେଥିମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବାକୁ ଭୁଲୁନାହନ୍ତି। ସେହିଭଳି କରୋନା ଆତଙ୍କ ଦିନକୁ ଦିନ ବଢ଼ି ଚାଲିଥିବାରୁ ସରକାର ଜାରି କରିଥିବା ନିର୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ହକି ପ୍ରେମୀ ତଥା ସମଗ୍ର ଓଡ଼ିଶାବାସୀଙ୍କୁ ଉଭୟ ଆହ୍ବାନ କରିଛନ୍ତି। ମାରିଆନା ଓ ଜୀବନକିଶୋରୀ କନିଷ୍ଠ ସ୍ତରୀୟ ହକିରେ ଦେଶର ଶ୍ରେଷ୍ଠ ପ୍ରତିଭାଙ୍କ ମଧ୍ୟରେ ଗଣାଯାଆନ୍ତି। ଉଭୟ ମଧ୍ୟ ବରିଷ୍ଠ ଦଳରେ ସ୍ଥାନ ପାଇବା ଦ୍ବାର ଦେଶରେ ରହିଛନ୍ତି। ଦୁଇ ଜଣ ଯାକ ଚଳିତ ବର୍ଷର ଜାତୀୟ ହକି ପ୍ରତିଯୋଗିତାରେ ପୁଣି ଥରେ ନିଜ ନିଜ ଚମକ ଦେଖାଇବାକୁ ଲକ୍ଷ୍ୟ ରଖିଥିଲେ। ହେଲେ କରୋନା ପାଇଁ ହକି ଇଣ୍ଡିଆ ଏବେ ସମସ୍ତ ଘରୋଇ ପ୍ରତିଯୋଗିତାକୁ ସ୍ଥଗିତ କରିଦେଇଛି। ଏଥିପାଇଁ ପଡ଼ିଆକୁ ଯାଇ ଅଭ୍ୟାସ କରିବା ମଧ୍ୟ ସେମାନଙ୍କ ପାଇଁ ସମ୍ଭବ ହେଉନାହିଁ। ଫଳରେ ଘର ଛାତକୁ ଖେଳ ପଡ଼ିଆ ଭାବେ ବାଛି ନେଇଛନ୍ତି ଏହି ଦୁଇ ଶାନ୍ତ ଓ ସରଳ ହକି ଯୁବତୀ। ନିୟମିତ ଅଭ୍ୟାସ ସହ ହକି ମ୍ୟାଚ୍ ଖେଳୁ ନଥିବାରୁ ସେମାନେ ପରିବାରବର୍ଗଙ୍କ ସହ ମଧ୍ୟ କିଛି କିଛି ସମୟ ବିତାଇବାକୁ ପାଇ ଯାଇଛନ୍ତି। ‘ସମ୍ବାଦ’ର ହସ୍ତଗତ ହୋଇଥିବା ଏକ ଭିଡିଓରେ ମାରିଆନା ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଅଞ୍ଚଳର ଏସମା ପଞ୍ଚାୟତର ଟିଙ୍ଗନା ଗ୍ରାମସ୍ଥିତ ନିଜ ଘରର ଛାତ ଉପରେ ବିଭିନ୍ନ ଶାରୀରିକ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି। ସେହିଭଳି ଅନ୍ୟ ଏକ ଭିଡ଼ିଓରେ ସେ ଲଗାତାର ସ୍କିପିଂ କରୁଛନ୍ତି। ସେପଟେ ଜୀବନକିଶୋରୀ ରାଜଗାଙ୍ଗପୁର ଅଞ୍ଚଳର କୁକୁଡ଼ା ପଞ୍ଚାୟତର କୁକୁଡ଼ା ଗ୍ରାମସ୍ଥିତ ନିଜ ଛାତ ଉପରେ ଇଟା ଖଣ୍ଡ ରଖି ଡ୍ରିବ୍‌ଲିଂ କରୁଥିବା ଦେଖିବାକୁ ମିଳୁଛି। ଆଗ୍ରହ ଓ ଇଚ୍ଛାଶକ୍ତି ଥିଲେ ଯେ କୌଣସି ସ୍ଥାନରେ ମଧ୍ୟ ଜଣେ ଖେଳାଳି ନିଜକୁ ଫିଟ୍ ରଖିପାରିବ ବୋଲି ବାର୍ତ୍ତା ଦେଇଛନ୍ତି। ୨୦ ବର୍ଷୀୟା ମାରିଆନା ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠସ୍ତରୀୟ ହକିରେ ଓଡ଼ିଶାର ପ୍ରତିନିଧିତ୍ବ କରିଛନ୍ତି। ସେ ମଧ୍ୟ ଭାରତୀୟ ୧୮ ବର୍ଷରୁ କମ୍, ୨୩ ବର୍ଷରୁ କମ୍ ଓ ଭାରତ-ଏ ଦଳରୁ ଖେଳିବାର ଗୌରବ ଲାଭ କରିଛନ୍ତି। ୪ ବର୍ଷ ହେଲା ଭାରତୀୟ କନିଷ୍ଠ ଦଳର ମଧ୍ୟଭାଗକୁ ସେ ସମ୍ଭାଳୁଛନ୍ତି। ୨୦୧୬ ଏସିଆ କପ୍‌, ୨୦୧୭ରେ ବେଲାଋଷ ଷଡ଼ରାଷ୍ଟ୍ରୀୟ ପ୍ରତିଯୋଗିତା, ୨୦୧୮ରେ ଆୟର୍ଲାଣ୍ଡରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରି ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଅନ୍ୟପକ୍ଷରେ ଜୀବନକିଶୋରୀ ହକି ଗାଙ୍ଗପୁର ଓଡ଼ିଶା ପାଇଁ କନିଷ୍ଠ, ଉପକନିଷ୍ଠ ଓ ବରିଷ୍ଠ ସ୍ତରୀୟ ଜାତୀୟ ହକି ଖେଳିଥିଲା ବେଳେ ଭାରତ-ଏ’ ଦଳର ପ୍ରତିନିଧିତ୍ବ ବି କରିଛନ୍ତି। ୨୦୧୬ରେ ହକି ଇଣ୍ଡିଆ ଜାତୀୟ ମହିଳା ହକି (ବି ଡିଭିଜନ୍)ରେ ବିଜେତା ଆଖ୍ୟା ଅର୍ଜନ କରିଥିବା ହକି ଗାଙ୍ଗପୁର ଦଳର ସେ ଅନ୍ୟତମ ସଦସ୍ୟା ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe