Advertisment

ହକି ବିଶ୍ବକପ୍‌: ବେଲଜିୟମ୍‌କୁ ବଞ୍ଚାଇଲେ ଭିକ୍ଟର, ଜାପାନ ଜମାଣିଆ ଖେଳିଲା, କୋରିଆ ଜିତିଲା

Advertisment
ହକି ବିଶ୍ବକପ୍‌: ବେଲଜିୟମ୍‌କୁ ବଞ୍ଚାଇଲେ ଭିକ୍ଟର, ଜାପାନ ଜମାଣିଆ ଖେଳିଲା, କୋରିଆ  ଜିତିଲା

ଭୁବନେଶ୍ବର: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ର ଗ୍ରୁପ୍ ‘ବି’ର ଚିତ୍ର ମଧ୍ୟ ଶେଷ ଲିଗ୍ ମ୍ୟାଚ୍‌ ପର୍ଯ୍ୟନ୍ତ ଝୁଲି ରହିଲା। ଏହି ଗ୍ରୁପ୍‌ର ଦୁଇ ଶକ୍ତିଶାଳୀ ଦଳ ବେଲଜିୟମ୍‌ ଓ ଜର୍ମାନି ମଙ୍ଗଳବାର ରାତି ମ୍ୟାଚ୍‌କୁ ୨-୨ ଗୋଲ୍‌ରେ ଅମୀମାଂସିତ ରଖିବାରୁ ସ୍ଥିତି ଅପରିବର୍ତିତ ରହିଛି। ଉଭୟ ଦେଶ ୪ ପଏଣ୍ଟ୍‌ ପାଇଁ ପ୍ରଥମ ଦୁଇ ସ୍ଥାନ କାଏମ ରଖିଛନ୍ତି। ମଙ୍ଗଳବାର ଏହି ଦୁଇ ୟୁରୋପୀୟ ଦେଶ ମଧ୍ୟ ଚମତ୍କାର ହକିର ନିଖୁଣ ନିଦର୍ଶନ ଦେଖାଇଥିଲେ। ଅଲିମ୍ପିକ୍ ଓ ବିଶ୍ବକପ୍‌ ବିଜେତା ବେଲଜିୟମ୍ ପ୍ରଥମେ ଗୋଲ୍ ଖାତା ଖୋଲି ଆଗୁଆ ହୋଇଯାଇଥିଲା। ଭାରତଠାରୁ ହାରି ଟୋକିଓ ଅଲିମ୍ପିକ୍ କାଂସ୍ୟ ପଦକ ଜିତିଥିବା ଜର୍ମାନି କିନ୍ତୁ ଆକ୍ରମଣାତ୍ମକ ହକି ଖେଳି ବେଲଜିୟମ୍‌କୁ ପାଣି ପିଆଇ ଦେଇଥିଲା। ଦଶମ ମିନିଟ୍‌ରେ ୧୦ ନମ୍ବର ଜର୍ସିରେ ଖେଳୁଥିବା ସେଡ୍ରିକ୍ ଚାର୍ଲିୟର୍‌ ଫିଲ୍ଡ ଗୋଲ୍ ଦେଇ କଳିଙ୍ଗ ସମ୍ପର୍କକୁ ଭଲରେ ଆରମ୍ଭ କରିଥିଲେ। ଦ୍ବିତୀୟ କ୍ବାର୍ଟରରେ କିନ୍ତୁ ନିକଲାସ ୱେଲେନ୍‌ଙ୍କ ଫିଲ୍ଡ ଗୋଲ୍ ଜର୍ମାନିକୁ ପ୍ରତ୍ୟାବର୍ତନ ସ‌ୁଯୋଗ ଦେଇଥିଲା। ତୃତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲେ ମଧ୍ୟ ଚତୁର୍ଥ କ୍ବାର୍ଟର ଘଟଣାବହୁଳ ତଥା ନାଟକୀୟ କ୍ଷଣମାନ ଯୋଡ଼ିଥିଲା। ୫୩ତମ ମିନିଟ୍‌ରେ ଟମ୍ ଗ୍ରାମ୍‌ବୁଶ ପେନାଲ୍ଟି ଷ୍ଟ୍ରୋକରୁ ଗୋଲ୍ ଦେଇ ଜର୍ମାନିକୁ ୭ ମିନିଟ୍ ପୂର୍ବରୁ ପ୍ରଥମ ଥର ଅଗ୍ରଣୀ କରାଇଥିଲେ। କିନ୍ତୁ ୨ ମିନିଟ୍ ପରେ ଭିକ୍ଟର ୱେଗନେଜ୍ (୫୫ତମ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍ ବେଲଜିୟମକୁ ବଞ୍ଚାଇଥିବା ବେଳେ ଜର୍ମାନିକୁ ବିଜୟରୁ ବଞ୍ଚିତ ରଖିଥିଲା। ଜର୍ମାନିର ନିକଲାସ ୱେଲେନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦ‌ାନ କରିଥିଲେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତି। ଗ୍ରୁପ୍ ‘ବି’ର ନିର୍ଣ୍ଣାୟକ ଅନ୍ତିମ ରାଉଣ୍ଡ୍ ଲିଗ୍ ମ୍ୟାଚ୍‌ ଦ୍ବୟ ବେଲଜିୟମ୍-ଜାପାନ ଓ କୋରିଆ-ଜର୍ମାନି ଶୁକ୍ରବାର ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ଖେଳାଯିବ।

ଭୁବନେଶ୍ବର: ଚଳିତ ଏଫ୍‌ଆଇଏଚ୍ ପୁରୁଷ ବିଶ୍ବକପ୍‌ରେ ମଙ୍ଗଳବାର କୋରିଆ ଅନ୍ୟତମ ଏସୀୟ ଦଳ ଜାପାନକୁ ୨-୧ ଗୋଲ୍‌ରେ ପରାସ୍ତ କରି ପ୍ରଥମ ବିଜୟ ପାଇଛି। ଏଥି ସହିତ ଏସୀୟ ବିଜେତା ଜାପାନ ଲଗାତାର ପରାଜୟ ବରଣ କରିଥିବା ବେଳେ କୋରିଆ ନିଜ ଆଶାକୁ କାଏମ ରଖିଛି। ଏହି ମ୍ୟାଚ୍‌ରେ ଜାପାନ ଜମାଣିଆ ଖେଳିଥିବା ବେଳେ କୋରିଆ କିନ୍ତୁ ପୂରା ପଏଣ୍ଟ ଛଡ଼ାଇ ନେଇଛି।

publive-image

କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସରେ ଖେଳାଯାଇଥିବା ମଙ୍ଗଳବାରର ପ୍ରଥମ ମ୍ୟାଚ୍‌ର ପ୍ରଥମ ମିନିଟରେ ହିଁ ‌ଗୋଲ୍ ଦେଇଥିଲା ଜାପାନ। ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି କେନ୍‌ ନାଗାୟୋଶୀ ଜାପାନକୁ ପ୍ରଥମେ ଅଗ୍ରଣୀ କରିଥିଲେ। ଅଷ୍ଟମ ମିନିଟ୍‌ରେ କିନ୍ତୁ ଜଙ୍ଗଜୁନ୍ ଲିଙ୍କ ଚମତ୍କାର ଫିଲ୍ଡ ଗୋଲ୍‌ କୋରିଆକୁ ବରାବର ସ୍ତରକୁ ନେଇ ଆସିଥିଲା। ତଥାପି ପ୍ରଥମ ଦୁଇ କ୍ବାର୍ଟରରେ ମଧ୍ୟ ଜାପାନ ଜମାଣିଆ ଖେଳ ଖେଳି ବଲ୍ ନିୟନ୍ତ୍ରଣ ଓ ଆକ୍ରମଣରେ ଉତ୍ତମ ସମନ୍ବୟ ରଖିଥିଲା। ଏହ‌ାର ଫଳସ୍ବରୂପ ଜାପାନକୁ ବାରମ୍ବାର ପେନାଲ୍ଟି କର୍ଣ୍ଣର ମିଳିଥିଲା। ଦ୍ବିତୀୟ କ୍ବାର୍ଟର ଶେଷ ଭାଗରେ ଜାପାନ ଲଗାତାର ୩ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ଗୋଲ୍‌ରକ୍ଷକ କିମ୍ ଜାହିଓଁଙ୍କ ନେତୃତ୍ବରେ କୋରିଆ ଡିଫେଣ୍ଡରମାନେ ଏହାକୁ ପଣ୍ଡ କରି ଦେଇଥିଲେ।

ଏହା ପୂର୍ବରୁ କିନ୍ତୁ ଜଙ୍ଗଜୁନ୍ ଲି ବ୍ୟକ୍ତିଗତ ଭାବେ ଦ୍ବିତୀୟ ଫିଲ୍ଡ ଗୋଲ୍ ସହ ଆଗୁଆ ରଖିସାରିଥିଲେ। ଦ୍ବିତୀୟାର୍ଦ୍ଧର କାହାଣୀ ପ୍ରଥମାର୍ଦ୍ଧର ପୁନରାବୃତ୍ତି କରିଥିଲା। ଆଉ ଗୋଲ୍ ହୋଇନଥିିଲା। ଅର୍ଥାତ ପ୍ରଥମ ୨୩ ମିନିଟ୍ ଭିତରେ ୩ ‌ଗୋଲ୍ ‌ଦେଖିଥିବା କଳିଙ୍ଗ ଦର୍ଶକ ପରବର୍ତୀ ୩୭ ମିନିଟ୍‌ ମରୁଡ଼ିରେ କାଟିଥିଲେ। କିନ୍ତୁ ହକିପ୍ରେମୀଙ୍କ ପାଇଁ ଅନ୍ତିମ କ୍ବାର୍ଟର ଅନ୍ତିମ ମିନିଟ୍‌ ଥିଲା ସବୁଠାରୁ ରୋମାଞ୍ଚଭରା। ମାତ୍ର ୨ ସେକେଣ୍ଡ୍ ଥିବାବେଳେ ଜାପାନ ଲଗାତାର ଭାବେ ୩ ପେନାଲ୍ଟି କର୍ଣ୍ଣର ପାଇଥିଲା, ଯାହାକି କୋରିଆ ଡିଫେଣ୍ଡରଙ୍କ ଚମତ୍କାର ପ୍ରଦର୍ଶନ କାରଣରୁ ବେକାର ହେବାରୁ ଏସୀୟ ବିଜେତା ଜାପାନର ସ୍ବପ୍ନକୁ ଚୂରମାର କରିଦେଇଥିଲା। ମ୍ୟାଚ୍‌ ଏତେ ସଂଘର୍ଷପୂର୍ଣ୍ଣ ଥିଲା ଯେ ମୋଟ ୧୫ ପେନାଲ୍ଟି କର୍ଣ୍ଣର ମିଳିଥିଲା। କୋରିଆ ୮ ଓ ଜାପାନ ୭ଟି ପାଇଥିଲେ ମଧ୍ୟ ଗୋଟିଏ ମାତ୍ର ଗୋଲ୍ ହୋଇଥିଲା ଏହି ପଦ୍ଧତିରୁ। ଏହି ମ୍ୟାଚ୍ ପୂର୍ବରୁ ଅବସରପ୍ରାପ୍ତ ଆଇପିଏସ୍ ତଥା ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିସନ୍ ଅଧ୍ୟକ୍ଷ ଅଭୟ ଏବଂ ମ୍ୟାଚ୍‌ ପରେ ଆୟକର ଅଧିକାରୀ କ୍ରିଷ୍ଣା କିଶୋର ଅତିଥି ଭାବେ ଯୋଗ ଦେଇଥିଲେ। ଯୁଗଳ ଗୋଲ୍ ପାଇଁ ଜଙ୍ଗଜୁନ୍ ଲି’ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦେଇଥିଲେ କିଶୋର।

୧୨ ଜଣଙ୍କୁ ନେଇ ଖେଳିଲା ଜାପାନ
କୋରିଆ ବିପକ୍ଷ ମ୍ୟାଚ୍‌ରେ ଜାପାନ ୧୨ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। କିନ୍ତୁ ଏହାକୁ ରେଫରି କିମ୍ବା ଅନ୍ୟ କୌଣସି ମ୍ୟାଚ୍‌ ପରିଚାଳନା ଅଧିକାରୀ ‌ଧ୍ୟାନ ଦେଇପାରିନଥିଲେ। ଖେଳ ଶେଷ ହେବା ପରେ ରେଫରି ଜାପାନ ଦଳର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ତେବେ ଏହା ଅଜାଣତରେ ହୋଇଯାଇଥିବା ରେଫରିଙ୍କୁ ସଫେଇ ଦିଆଯାଇଛି। ଏପରିକି ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ପରେ ଘଟଣା ସଂପର୍କରେ କୋରିଆ ଦଳକୁ ଅବଗତ କରାଯାଇଥିଲା। ଯଦିଓ ଏହି ବେଆଇନ୍‌ କାର୍ଯ୍ୟ ମ୍ୟାଚ୍‌ର ଫଳାଫଳ ଉପରେ କୌଣସି ପ୍ରଭାବ ପକାଇନଥିଲା, କିନ୍ତୁ ଏଭଳି ଘଟଣା କାହିଁକି ଓ କେଉଁ ପରିସ୍ଥିତିରେ ଘଟିଲା, ତାହାର ତଦନ୍ତ ଏଫ୍‌ଆଇଏଚ୍‌ ଆରମ୍ଭ କରିଥିବା ଏକ ବିବୃତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe