Zee News
ସାରଜା: ଆଇପିଏଲ୍ ଦ୍ବିତୀୟ ଚରଣରେ ଶନିବାର ଏକ କମ୍ ସ୍କୋର୍ ଅଧିକ ରୋମାଞ୍ଚ ମୁକାବିଲା ଦେଖିବାକୁ ମିଳିଛି। ଜାସନ୍ ହୋଲଡରଙ୍କ ଅଲ୍ରାଉଣ୍ଡ୍ ପ୍ରଦର୍ଶନ (୩/୧୯, ୨୯ ବଲ୍ରୁ ୪୭*) ସତ୍ତ୍ବେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପଞ୍ଜାବ କିଙ୍ଗ୍ସ ରୋମାଞ୍ଚକ ଭାବେ ୫ ରନ୍ରେ ହରାଇ ଦେଇଛି। ପଞ୍ଜାବ ଦଶମ ମ୍ୟାଚ୍ରୁ ଚତୁର୍ଥ ବିଜୟ ସହ ପଞ୍ଚମ ସ୍ଥାନକୁ ଉଠିଛି। ସୁଯୋଗ ହାତଛଡ଼ା କରି ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟ ଅଷ୍ଟମ ପରାଜୟ କାରଣରୁ ପ୍ଲେ ଅଫ୍ ଦୌଡ଼ରୁ ବିଦା ହୋଇଯାଇଛି। ପଞ୍ଜାବ କିଙ୍ଗ୍ସ କଷ୍ଟେମଷ୍ଟେ ମାତ୍ର ୧୨୫ ରନ୍ କରିଥିଲା। କିନ୍ତୁ ଏହାର ବୋଲରମାନେ ହାଇଦ୍ରାବାଦକୁ ୧୨୦/୭ରେ ରୋକି ଦେଇଥିଲେ। ବିଶେଷ କରି ମହମ୍ମଦ ସାମି (୪-୧-୧୪-୨), ରବି ବିଷ୍ଣୋଇ (୪-୦-୨୪-୩), ଅର୍ଶଦୀପ ସିଂହ (୪-୦-୨୨-୧) ପଞ୍ଜାବକୁ ଅପ୍ରତ୍ୟାଶିତ ବିଜୟ ଦେବାରେ ସହାୟକ ହୋଇଥିଲେ। ମହମ୍ମଦ ସାମି ନିଜ ୨୪ ବଲ୍ ମଧ୍ୟରୁ ୧୭ଟି ଡଟ୍ ପକାଇଥିଲେ। ବ୍ୟୟ କରିଥିବା ୧୪ ରନ୍ ମଧ୍ୟରେ ଗୋଟିଏ ଛକା ମଧ୍ୟ ସାମିଲ ଥିଲା। ହାଇଦ୍ରାବାଦ ହାରିଯାଇଥିଲେ ମଧ୍ୟ ଜାସନ୍ ହୋଲଡରଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ଜାସନ୍ ହୋଲ୍ଡର, ସନ୍ଦୀପ ଶର୍ମା, ରସିଦ୍ ଖାନ୍ଙ୍କ ମିତ୍ତବ୍ୟୟୀ ଓ ସଫଳ ବୋଲିଂ କାରଣରୁ ପଞ୍ଜାବ କିଙ୍ଗ୍ସର ପାଳିକୁ ସନ୍ରାଇଜର୍ସ ହାଇଦ୍ରାବାଦ ମାତ୍ର ୧୨୫ ରନ୍ରେ ରୋକି ଦେଇଥିଲା। ପ୍ରତିଥର ପଞ୍ଜାବକୁ ଭଲ ଆରମ୍ଭ ଦେଉଥିବା ପ୍ରାରମ୍ଭିକ ଯୋଡ଼ି କେଏଲ୍ ରାହୁଲ୍ (୨୧, ୨୧ ବଲ) ଏବଂ ମୟଙ୍କ ଅଗ୍ରୱାଲ୍ (୫) ଏଥର ପାୱାର ପ୍ଲେ ଭିତରେ ଆଉଟ୍ ହୋଇଯାଇଥିଲେ। ୱେଷ୍ଟଇଣ୍ଡିଆନ୍ ଅଲରାଉଣ୍ଡର୍ ଜାସନ୍ ହୋଲଡର୍ ଗୋଟିଏ ଓଭରରେ ଉଭୟଙ୍କୁ ଆଉଟ୍ କରିଦେବା ପରେ ଏହି ଉତ୍ତର ଭାରତୀୟ ଦଳ ଆଉ ଲଢ଼ି ପାରିନଥିଲା। ଚୂଡାନ୍ତ ଏକାଦଶକୁ ଫେରିଥିଲେ ମଧ୍ୟ କ୍ରିସ୍ ଗେଲ୍ (୧୪, ୧୭) ସଂଘର୍ଷ କରି ସ୍ପିନର୍ ରସିଦ୍ ଖାନ୍ଙ୍କ ଦ୍ବାରା ଏଲ୍ବିଡବଲ୍ୟୁ ଘୋଷିତ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ଏଦୈନ ମର୍କରାମ (୨୭, ୩୨ ବଲ୍), ୱେଷ୍ଟଇଣ୍ଡିଜ୍ ବିସ୍ଫୋରକ ବ୍ୟାଟର୍ ନିକୋଲାସ ପୂରନ ଯଥାକ୍ରମେ ଅବଦୁଲ ସାମଦ ଓ ସନ୍ଦୀପ ଶର୍ମାଙ୍କ ଶିକାର ହୋଇ ପ୍ୟାଭିଲିଅନ୍ ଫେରିଥିଲେ। ନିମ୍ନକ୍ରମରେ ଦୀପକ ହୁଦା, ହରପ୍ରୀତ୍ ବ୍ରାର୍ ଏବଂ ନାଥନ୍ ଏଲିସ୍ ଛୋଟ ଛୋଟ ଅଦବାନ ଦେଇଥିଲେ। ହାଇଦ୍ରାବାଦ ପାଇଁ ଜାସନ୍ ହୋଲ୍ଡର (୩/୧୯), ରସିଦ୍ ଖାନ୍ (୧/୧୭), ସନ୍ଦୀପ ଶର୍ମା (୧/୨୦) ମିଳିତ ଭାବେ ୧୨ ଓଭରରେ ୫୬ ରନ୍ ଦେବା ଏବଂ ୫ ୱିକେଟ୍ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା। ଭୁବନେଶ୍ବର କୁମାର ଓ ଅବଦୁଲ ସାମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
Follow Us