ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଚମତ୍କାର ରହିଥିବା ବେଳେ ବଡ଼ ବଡ଼ କ୍ରିକେଟର ତାଙ୍କର ପ୍ରଶଂସା କରିଥିଲେ। ପରେ ଆଇସିସି, ଟି-୨୦ ବ୍ୟାଟ୍ସମ୍ୟାନଙ୍କ ରାଙ୍କିଂ ଘୋଷଣା କରିଥିବା ବେଳେ ଏହି ରାଙ୍କିଂରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷରେ ରହିଥିବା ଦେଖାଯାଇଥିଲା। ଏତେ ସବୁ ସଫଳତା ପରେ ଏବେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ଫିଲିପ୍ସ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସା କରିଛନ୍ତି।
ଶନିବାର ସେ କହିଛନ୍ତି ଯେ, "ସ୍ୱପ୍ନରେ ମଧ୍ୟ ମୁଁ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ବ୍ୟାଟିଂ କରି ପାରିବି ନାହିଁ। ସେ ସମ୍ପୂର୍ଣ୍ଣ ଅବିଶ୍ୱସନୀୟ। ସେ ଯାହା କରନ୍ତି, ମୁଁ କରିବା ବିଷୟରେ ସ୍ୱପ୍ନରେ ମଧ୍ୟ ଭାବି ପାରିବି ନାହିଁ। ମୁଁ ଚେଷ୍ଟା କରିବାକୁ ପସନ୍ଦ କରିବି କିନ୍ତୁ ମୋ ବ୍ୟାଟିଂ ତାଙ୍କଠାରୁ ବହୁତ ଭିନ୍ନ। କଚଟିର ଶକ୍ତି ସହିତ ଛକା ମାରିବାର କ୍ଷମତା ତାଙ୍କୁ ଅନ୍ୟଠାରୁ ଭିନ୍ନ କରେ। ଆପଣଙ୍କୁ ତାଙ୍କ ଭଳି ପ୍ରତିଭା କ୍ୱଚିତ୍ ମିଳିବେ। ମୋ ପାଖରେ ମୋର ଶକ୍ତି ଅଛି ଏବଂ ତାଙ୍କ ପାଖରେ ତାଙ୍କର ଶକ୍ତି ଅଛି। ଆମେ ଦୁହେଁ ଆମର କାମକୁ ଭିନ୍ନ ଉପାୟରେ କରିଥାଉ"।
ଉଲ୍ଲେଖଯୋଗ୍ୟ, ଆଇସିସି ଟି-୨୦ ବ୍ୟାଟ୍ସମ୍ୟାନଙ୍କ ରାଙ୍କିଂରେ ଶୀର୍ଷରେ ରହିଥିଲେ ବି ଟି -୨୦ ବିଶ୍ୱକପ ସେମିଫାଇନାଲରେ ଭଲ ପ୍ରଦର୍ଶନ କରି ନଥିବାରୁ ସୂର୍ଯ୍ୟକୁମାର ୧୦ପଏଣ୍ଟ ହରାଇଥିଲେ। ଗତ ଥର ଯେତେବେଳେ ଆଇସିସି ରାଙ୍କିଂ ଘୋଷଣା କରିଥିଲା, ସେତେବେଳେ ସୂର୍ଯ୍ୟକୁମାର ୮୬୯ପଏଣ୍ଟ ସହ ଏକ ନମ୍ବରରେ ରହିଥିଲେ। ଏବେ ଆଇସିସି ର଼୍ୟାଙ୍କିଙ୍ଗରେ ସୂର୍ଯ୍ୟଙ୍କ ପଏଣ୍ଟ ୮୫୯କୁ ହ୍ରାସ ପାଇଛି। ତଥାପି ମଧ୍ୟ ସେ ନଂ୧ରେ ରହିଛନ୍ତି।
Follow Us