Telugu Journalist
ଦୁବାଇ: କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ବିଜୟରେ ଗୋଟିଏ ଓଭରରେ ପାଞ୍ଚଟି ଛକା ମାରିବା ପରେ ରାଜସ୍ଥାନ ରୟାଲ୍ସ ଲେଗ୍ ସ୍ପିନ୍ ଅଲରାଉଣ୍ଡର ରାହୁଲ ତିୱାତିଆ ରାତାରାତି ଜିରୋରୁ ହିରୋ ପାଲଟି ଯାଇଥିଲେ। ନିଜ ପାଳିର ପ୍ରଥମାର୍ଧରେ କିନ୍ତୁ ସେ ରନ୍ ବାହାର କରିବାକୁ ଘମାଘୋଟ ସଂଘର୍ଷ କରିଥିଲେ। ନିଜ ଅବିଶ୍ବସନୀୟ ଓ ସ୍ମରଣୀୟ ପାଳିରେ ମୋଟ ୭ ଛକା ମାରିଥିବା ତିୱାତିଆ, ଆଇପିଏଲ୍ର ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ ପରେ କହିଥିଲେ ‘‘ମୁଁ ରନ୍ ହାର ଉପରେ ନଜର ରଖିଥିଲି, ଯାହା ହେଲେ ବି ଦ୍ରୁତ ବ୍ୟାଟିଂ କରିବାକୁ ପଡ଼ିବ ବୋଲି ହୃଦୟଙ୍ଗମ କରିଥିଲି। ପ୍ରଥମେ ପ୍ରଥମେ ବଡ଼ ସଟ୍ ଖେଳି ପାରିନଥିଲି। ହେଲେ ଆତ୍ମବିଶ୍ବାସ ଥିଲା ଯେ ଖୁବଶୀଘ୍ର ମୁଁ ଏହା କରିପାରିବି। ମୁଁ ମୋ ଦଳକୁ ବିଜୟ ଦ୍ବାରଦେଶକୁ ନେଇ ଶେଷରେ ଜିତାଇବାକୁ ଚାହୁଁଥିଲି। କଟ୍ରେଲଙ୍କୁ ମୁଁ ପ୍ରଥମେ ଗୋଟିଏ ଛକା ମାରିଥିଲି। ଅବଶିଷ୍ଟ ଛକା ଆପେ ଆପେ ହିଁ ଆସିଥିଲା। ଏହା ଏକ ମୋଡ଼ ବଦଳାଇ ଦେଲା ଭଳି ଓଭର ଥିଲା। ମୁଁ ଭାବିଥିଲି ପ୍ରଥମ ୧୫-୨୦ ବଲ୍ରେ ମୁଁ ଭଲ ଖେଳିପାରିଲିନି। ହେଲେ ଶେଷ ୩-୪ ଓଭରରେ ନିଶ୍ଚିତ ଭାବେ ୬-୭ ଛକା ମାରିବି। ମୋ ପାଳିର ପ୍ରଥମ ଭାଗରେ ମୁଁ ବହୁତ ଚାପରେ ଥିଲି। ହେଲେ ସଞ୍ଜୁ (ସାମସନ୍) କହିଥିଲେ କିଛି ସମୟ କ୍ରିଜ୍ରେ କଟାଇଲେ ବଡ଼ ସଟ୍ ଆପେ ଆପେ ଆସିବ। ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଯେତେବେଳେ ମୋତେ ୪ ନମ୍ବରରେ ବ୍ୟାଟିଂ କରିବାକୁ କହିଥିଲେ, ଏହା ମୋ ପାଇଁ ବହୁତ ବଡ଼ ସୁଯୋଗ ବୋଲି ଭାବିଥିଲି। ତାଙ୍କ ସମ୍ମାନ ରଖିଥିବାରୁ ବହୁତ ମ୍ୟାଚ୍ ପରେ ବହୁତ ଖୁସୀ ଲାଗିଥିଲା ଏବଂ ଆତ୍ମସନ୍ତୋଷ ମିଳିଥିଲା ବୋଲି ତିୱାତିଆ କହିଛନ୍ତି।
Follow Us