ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାକୁ ମାତ୍ର ଆଉ ୩ ସପ୍ତାହ ଥିବାବେଳେ ଆଇସିସିର ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ) ଜେଫ୍ ଆଲାର୍ଡିସ୍ ଇସ୍ତଫା ପ୍ରଦାନ କରିବା ହଟଚମଟ ସୃଷ୍ଟି କରିଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ପ୍ରସ୍ତୁତିରେ ସ୍ପଷ୍ଟ ଚିତ୍ର ଦେବାରେ ବିଫଳ ହୋଇଥିବାରୁ ଆଲାର୍ଡିସ୍ ଇସ୍ତଫା ଦେବାର ଅନ୍ୟତମ କାରଣ ବୋଲି ବିଶ୍ବାସ କରାଯାଉଛି। ୫୭ ବର୍ଷୀୟ ଆଲାର୍ଡିସ୍ ୨୦୧୨ରେ ଆଇସିସିରେ ଜେନେରାଲ୍ ମ୍ୟାନେଜର ଅଫ୍ କ୍ରିକେଟ୍ ଭାବେ ଯୋଗ ଦେଇଥିଲେ। କାମଚଳା ସିଇଓ ଭାବେ ୮ ମାସ ଦାୟିତ୍ବ ନେବା ପରେ ୨୦୨୧ ନଭେମ୍ବରରେ ସିଇଓ ନିଯୁକ୍ତ ହୋଇଥିଲେ।
ଆଲାର୍ଡିସ୍ କିନ୍ତୁ ଇସ୍ତଫାର କୌଣସି କାରଣ ଦର୍ଶାଇନାହାନ୍ତି। ‘ଏହା ଇସ୍ତଫା ଦେବାର ଠିକଣା ସମୟ ଏବଂ ନୂଆ ଆହ୍ବାନକୁ ଗ୍ରହଣ କରିବାର ବେଳ’ ବୋଲି ଆଲାର୍ଡିସ୍ ପ୍ରକାଶ କରିଛନ୍ତି। ପାକିସ୍ତାନର ଆଇସିସି ଚାମ୍ପିଅନ୍ସ ଟ୍ରଫି ପ୍ରସ୍ତୁତି ବହୁ ପଛରେ ପଡ଼ିବା ଏବଂ ଗତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଫ୍ଲପ୍ ହେବାକୁ ଦୁଇ ପ୍ରମୁଖ କାରଣ କୁହାଯାଉଛି। ଆଲାର୍ଡିସ୍ଙ୍କ ଅବଦାନକୁ ସ୍ବୀକାର କରି ଆଇସିସି ଅଧ୍ୟକ୍ଷ ଜୟ ସାହା ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ, ଦୀର୍ଘ ୮ ବର୍ଷ ପରେ ଫେବ୍ରୁଆରି ୧୯ ତାରିଖରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାକୁ ଥିବାବେଳେ ପାକିସ୍ତାନର ଦୁଇ ପ୍ରମୁଖ ଷ୍ଟାଡିୟମ୍ କରାଚୀ ଓ ରାୱଲପିଣ୍ଡିର ପୁନଃରୁଦ୍ଧାର କାର୍ଯ୍ୟ ଶେଷ ହୋଇପାରିନାହିଁ।
Follow Us