www.icc-cricket.com
ମେଲବର୍ନ: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ(ଆଇସିସି) ଟେଷ୍ଟ୍ ମ୍ୟାଚ୍ର ଅବଧିକୁ ୫ ଦିନିକିଆରୁ କମାଇ ୪ ଦିନିଆ କରିବାକୁ ବିଚାର କରୁଛି। ଏପରିକି ଏହାକୁ ବାଧ୍ୟତାମୂଳକ କରିବା ପାଇଁ ମଧ୍ୟ ଚିନ୍ତା କରୁଛି। ୨୦୨୩ରୁ ଏହାକୁ ଲାଗୁ କରିବାକୁ ଆଇସିସି ପ୍ରକାଶ କରିଛି। ବର୍ଷରେ ଅଧିକରୁ ଅଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଆଇସିସି ବ୍ୟସ୍ତବହୁଳ ସୂଚୀରୁ ସମୟ ବାହାର କରିବା ଉଦ୍ଦେଶ୍ୟରେ ଟେଷ୍ଟ୍ ମ୍ୟାଚ୍ର ଅବଧି କମ୍ କରୁଥିବା ଜଣାପଡ଼ିଛି। ୨୦୧୫-୨୩ ସମୟ ଚକ୍ରରେ ଯଦି ଟେଷ୍ଟ୍ ମ୍ୟାଚ୍ଗୁଡ଼ିକୁ ୪ ଦିନ କରାଯାଇଥାଆନ୍ତା ତେବେ ୩୩୫ ଦିନ ସୂଚୀ ଫାଙ୍କା ରହିଥାଆନ୍ତା। ଫଳରେ ଆଇସିସି ଅଧିକରୁ ଅଧିକ ଅନ୍ୟ ମ୍ୟାଚ୍ ଆୟୋଜନ କରିପାରି ଥାଆନ୍ତା। ଚଳିତ ବର୍ଷରେ ଇଂଲଣ୍ଡ-ଆୟର୍ଲାଣ୍ଡ ମଧ୍ୟରେ ୪ ଦିନିଆ ଟେଷ୍ଟ୍ ଖେଳ ହୋଇଥିବା ବେଳେ ୨୦୧୭ରେ ମଧ୍ୟ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଜିମ୍ବାଵେ ମଧ୍ୟ ୪ ଦିନିଆ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲା। କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ କେଭିନ୍ ରବର୍ଟସ ୪ ଦିନିଆ ଟେଷ୍ଟ୍କୁ ସମର୍ଥନ କରିଥିବା ବେଳେ ଦଳର ଅଧିନାୟକ ଟିମ୍ ପାଇନ୍ ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ, ଯଦି ଏହାକୁ ଆସେସ୍ ଶୃଙ୍ଖଳାରେ ଲାଗୁ କରାଯାଇଥାଆନ୍ତା ତେବେ ମ୍ୟାଚ୍ ଫଳାଫଳ ଆମ ସପକ୍ଷରେ ଯାଇନଥାଆନ୍ତା, ଅଧିକାଂଶ ମ୍ୟାଚ୍ର ଫଳାଫଳ ମିଳିବା ପାଇଁ ଖେଳ ପଞ୍ଚମ ଦିନକୁ ଯାଇଥାଏ। ତେଣୁ ସେ ଏହାକୁ ଅପରିବର୍ତ୍ତିତ ରଖିବା ପାଇଁ ଯୁକ୍ତି ବାଢ଼ିଛନ୍ତି।
Follow Us