ndtv-sports
ଦୁବାଇ: ଚଳିତ ଏସିଆ କପ୍ ସୁପର-୪ ପର୍ଯ୍ୟାୟରେ ଖରାପ ପ୍ରଦର୍ଶନ ପାଇଁ ଭାରତୀୟ ମଧ୍ୟକ୍ରମ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ଗୋଟିଏ ସ୍ଥାନ ହରାଇଛନ୍ତି। ସେ ଏବେ ଚତୁର୍ଥରେ ପହଞ୍ଚିଥିଲା ବେଳେ ଅଧିନାୟକ ରୋହିତ ଶର୍ମା ଓ ପୂର୍ବ ଅଧିନାୟକ ବିରାଟ କୋହଲି ବ୍ୟାଟର୍ଙ୍କ ମାନ୍ୟତାରେ ଏବଂ ରବିଚନ୍ଦ୍ରନ୍ ଅଶ୍ବିନ୍ ଓ ଅର୍ଶଦୀପ ସିଂହ ବୋଲରଙ୍କ ମାନ୍ୟତାରେ ଉପରକୁ ଉଠିଛନ୍ତି। ସୁପର-୪ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ୭୨ ରନ୍ କରିଥିବା ରୋହିତ ୩ ସ୍ଥାନ ଲମ୍ଫ ମାରି ୧୪ରେ ଏବଂ ପାକିସ୍ତାନ ବିପକ୍ଷରେ ୬୦ ରନ୍ କରିଥିବା କୋହଲି ୪ ସ୍ଥାନ ଉଠି ୨୯ରେ ପହଞ୍ଚିଛନ୍ତି।
ତେବେ ପାକିସ୍ତାନ ୱିକେଟ୍ରକ୍ଷକ ତଥା ଓପ୍ନର ମହମ୍ମଦ ରିଜ୍ୱାନ ବ୍ୟାଟର୍ଙ୍କ ମାନ୍ୟତାରେ ନୂଆ ଏକ ନମ୍ବର ଖେଳାଳି ବନି ଯାଇଛନ୍ତି। ସେ ନିଜ ସାଥୀ ଓପ୍ନର ତଥା ଅଧିନାୟକ ବାବର ଆଜମ୍ଙ୍କୁ ଏହି ସ୍ଥାନରୁ ହଟାଇ ଦେଇଛନ୍ତି। ରିଜ୍ୱାନ ମଧ୍ୟ ପ୍ରଥମ ଥର ପାଇଁ ଆଇସିସି ମାନ୍ୟତାରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ସେ ଏକ୍ଷେତ୍ରରେ ମିସ୍ବା ଉଲ୍ ହକ୍ ଓ ବାବର ଆଜମ୍ଙ୍କ ପରେ ତୃତୀୟ ପାକିସ୍ତାନୀ ଖେଳାଳି ହୋଇଛନ୍ତି। ଅନ୍ୟପକ୍ଷରେ ବୋଲରଙ୍କ ମାନ୍ୟତାରେ ଦୁଇ ଭାରତୀୟ ଅଶ୍ବିନ ୮ ସ୍ଥାନ ଏବଂ ଅର୍ଶଦୀପ ୨୮ ସ୍ଥାନ ଲମ୍ଫ ମାରି ଯଥାକ୍ରମେ ୫୦ ଓ ୬୨ତମ ସ୍ଥାନ ପାଇଛନ୍ତି। ଅଲ୍ରାଉଣ୍ଡରଙ୍କ ମାନ୍ୟତାରେ ହାର୍ଦିକ୍ ପାଣ୍ଡ୍ୟା ପଞ୍ଚମ ସ୍ଥାନରେ ଅପରିବର୍ତିତ ରହିଛନ୍ତି।
Follow Us