ପାକିସ୍ତାନ ଦାବିକୁ ଆଇସିସିର ଅଗ୍ରାହ୍ୟ: ହଟିବେନି ପାଇକ୍ରଫ୍ଟ

ରବିବାରର ଏସିଆ କପ୍ ମ୍ୟାଚ୍ ଅବସରରେ ଭାରତୀୟ ଖେଳାଳିମାନେ ଆତଙ୍କବାଦକୁ ନିରନ୍ତର ସମର୍ଥନ କରିଆସୁଥିବା ପାକିସ୍ତାନ କ୍ରିକେଟ୍ ଦଳର ଖେଳାଳିଙ୍କ ସହ କରମର୍ଦ୍ଦନ କରିନଥିଲେ। ଏହାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତୁମ୍ବି ତୋଫାନ କରିବା ସହ ଆଇସିସି....

icc

Photograph: (BBC)

ଦୁବା: ରବିବାରର ଏସିଆ କପ୍ ମ୍ୟାଚ୍ ଅବସରରେ ଭାରତୀୟ ଖେଳାଳିମାନେ ଆତଙ୍କବାଦକୁ ନିରନ୍ତର ସମର୍ଥନ କରିଆସୁଥିବା ପାକିସ୍ତାନ କ୍ରିକେଟ୍ ଦଳର ଖେଳାଳିଙ୍କ ସହ କରମର୍ଦ୍ଦନ କରିନଥିଲେ। ଏହାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତୁମ୍ବି ତୋଫାନ କରିବା ସହ ଆଇସିସି ନିକଟରେ ଏହାର ଆନୁଷ୍ଠାନିକ ପ୍ରତିବାଦ କରିଥିଲା। ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କ ପାଇଁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ବୋଲି ଅଭିଯୋଗ କରି ତାଙ୍କୁ ପୂରା ପ୍ରତିଯୋଗିତାରୁ ବାଦ୍ ଦେବାକୁ ଲିଖିତ ଭାବେ ଦାବି କରିଥିଲା। ପିସିବିର ଏହି ଦାବିକୁ ଆଇସିସି ଅଗ୍ରାହ୍ୟ କରି ଦେଇଛି। ଯାହା ଫଳରେ ଅନ୍ତର୍ଜାତୀୟ ଅପମାନର ସମ୍ମୁଖୀନ ହୋଇଥିବା ପାକିସ୍ତାନକୁ ଆଉ ଏକ ଶକ୍ତ ଝଟ୍‌କା ଲାଗିଛି। 

ପାକିସ୍ତାନ କରିଥିବା ଦାବିକୁ ଖାରଜ କରିବାକୁ ଯାଇ ପାଇକ୍ରଫ୍ଟଙ୍କୁ ହଟାଇବାର ପ୍ରଶ୍ନ ଉଠୁନାହିଁ ବୋଲି ପିସିବିକୁ ଆଇସିସି ରୋକ୍‌ଠୋକ୍ ଭାବେ ଜଣାଇ ଦେଇଛି। ସେହିଭଳି ଭାରତ ଓ ପାକିସ୍ତାନ ଖେଳାଳିମାନେ ପରସ୍ପର ସହ ହାତମିଳାଇବେ ନାହିଁ ବୋଲି ଏସୀୟ କ୍ରିକେଟ୍ ପରିଷଦର ଅଧିକାରୀ ଏବଂ ପିସିବି କ୍ରିକେଟ୍ ନିର୍ଦ୍ଦେଶକଙ୍କୁ ବହୁ ପୂର୍ବରୁ ଜଣାଇ ଦିଆଯାଇଥିଲା ବୋଲି ଆଇସିସି ସ୍ପଷ୍ଟୀକରଣରେ କହିଛି। ବରଂ ଟସ୍ ବେଳେ ଦୁଇ ଦେଶର ଅଧିନାୟକଙ୍କ ମଧ୍ୟରେ କରମର୍ଦ୍ଦନ ହେବ ନାହିଁ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ପାଇକ୍ରଫ୍ଟଙ୍କର କୌଣସି ଭୂମିକା କିମ୍ବା ଦୋଷ ନାହିଁ ବୋଲି ଆଇସିସି ସୂଚନା ଦେଇଛି। ପିସିବି କିନ୍ତୁ ଏହି ମାମଲାରେ ଭିନ୍ନ ତଥ୍ୟ ପରିବେଷଣ କରିଥିଲା।

ଆଇସିସି ନିକଟରେ ଦାଖଲ କରିଥିବା ଲିଖିତ ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଥିଲା ଯେ ଟସ୍ ବେଳେ ସୂର୍ଯ୍ୟକୁମାରଙ୍କ ସହ କରମର୍ଦ୍ଦନ ନକରିବାକୁ ପାଇକ୍ରଫ୍ଟ ହିଁ ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଗାଙ୍କୁ ପରାମର୍ଶ ଦେଇଥିଲେ। ମ୍ୟାଚ୍ ଶେଷ ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ପ୍ରତିପକ୍ଷଙ୍କ ସହ ହାତ ମିଳାଇବାକୁ ମନା କରିବା ଆଇସିସି ଆଚରଣ ସଂହିତାର ଖୋଲା ଉଲ୍ଲଂଘନ ବୋଲି ପିସିବି ମଧ୍ୟ ଉଲ୍ଲେଖ କରିଥିଲା। ଆଇସିସିର ସ୍ପଷ୍ଟୀକରଣ ପରେ କିନ୍ତୁ ପିସିବି ଅଭିଯୋଗରେ ଯେ ସତ୍ୟତା ନାହିଁ, ତାହା ପ୍ରମାଣିତ ହୋଇଛି। ଏହି ଘଟଣାକୁ ନେଇ ପିସିବି ପୂର୍ବରୁ ନିଜ କ୍ରିକେଟ୍ ନିର୍ଦ୍ଦେଶକ ଉସମାନ ୱାହଲାଙ୍କୁ ନିଲମ୍ବନ କରିପାରିଛି। ସେହିଭଳି ବୁଧବାର ଖେଳାଯିବାକୁ ଥିବା ୟୁଏଇ ବିପକ୍ଷ ମ୍ୟାଚ୍‌ରୁ ଓହରି ଯିବାକୁ ଧମକ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe