ଆଇସିସି ଟି-୨୦ ବିଶ୍ବକପ୍‌ ସ୍ଥଗିତ ଆଶଙ୍କା, ବିଶ୍ବକପ୍‌ ପାଇଁ ଆଇପିଏଲ୍‌କୁ ସ୍ଥଗିତ ରଖିବାକୁ ଚାହିଁବନି ବିସିସିଆଇ

ବିଶ୍ବକପ୍‌ଠୁ ଆଇପିଏଲ୍‌ ଅଗ୍ରାଧିକାର ନ ପାଉ: ବର୍ଡର

ଆଇସିସି ଟି-୨୦ ବିଶ୍ବକପ୍‌ ସ୍ଥଗିତ ଆଶଙ୍କା, ବିଶ୍ବକପ୍‌ ପାଇଁ ଆଇପିଏଲ୍‌କୁ ସ୍ଥଗିତ ରଖିବାକୁ ଚାହିଁବନି ବିସିସିଆଇ

ମୁମ୍ବାଇ: ଅଷ୍ଟ୍ରେଲିଆରେ ଏ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। ଏହା ଏକ ପ୍ରକାର ସ୍ଥଗନ ସ୍ଥିତିକୁ ଚାଲି ଆସିଲାଣି ଏବଂ ଆସନ୍ତା ସପ୍ତାହ ବେଳକୁ ଆନୁଷ୍ଠାନିକ ଘୋଷଣା କରାଯିବାର ସୂଚନା ମିଳିଛି। ଆଇସିସି ଓ ଆୟୋଜକ ଦେଶର ବୋର୍ଡ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ମଧ୍ୟରେ ଆଲୋଚନା ହେବା ପରେ ପରବର୍ତୀ ତାରିଖ ଧାର୍ଯ୍ୟ ନେଇ ଘୋଷଣା କରାଯିବ ବୋଲି କୁହାଯାଉଛି। ଏବେ ୩ଟି ପ୍ରସଙ୍ଗ ଉପରେ ଆଲୋଚନା ଜୋର ନେଇଛି। ପ୍ରଥମତଃ ଏହାକୁ ୨୦୨୧ ମସିହାର ଫେବ୍ରୁଆରି-ମାର୍ଚକୁ ଘୁଞ୍ଚାଇବାରେ କ୍ରିକେଟ୍ ଅଷ୍ଟ୍ରେଲିଆର କିଛି ଅସୁବିଧା ନାହିଁ। କିନ୍ତୁ ଏହା ଦ୍ବାରା ଆଇପିଏଲ୍‌ର ପରବର୍ତୀ ସଂସ୍କରଣ ଏବଂ ଇଂଲଣ୍ଡର ଭାରତ ଗସ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି। ପ୍ରସାରଣକାରୀ ସଂସ୍ଥା ଷ୍ଟାର୍ ଇଣ୍ଡିଆ ଏବେ ଆଇସିସି ସହିତ ବିସିସିଆଇ ଅଧିକାର ରଖିଥିବାରୁ ଫେବ୍ରୁଆରି-ମାର୍ଚ ପ୍ରସ୍ତାବକୁ ଗ୍ରହଣ କରିନପାରେ। ଦ୍ବିତୀୟ କଥାଟି ହେଉଛି ଅଷ୍ଟ୍ରେଲିଆକୁ ୨୦୨୧ରେ ବିଶ୍ବକପ୍‌ ଲାଗି ମିଳୁଥିବା ପ୍ରସ୍ତାବକୁ ଭାରତ ହଁ କରିବ କି ନାହିଁ। ନ‌ ହେଲେ ଏହାକୁ ୨୦୨୨ରେ କରାଇବା ଲାଗି କହାଯାଇପାରେ। ୨୦୨୨ରେ ଏହା ଆୟୋଜନ ଖେଳାଳିଙ୍କୁ ସୁହାଉଥିଲେ ମଧ୍ୟ ଅନ୍ୟ ଆଇସିସି ଓ ଦ୍ବିପାକ୍ଷିକ ଶୃଙ୍ଖଳାକୁ ନଜରରେ ରଖିବାକୁ ହେବ। ଏସବୁ ପ୍ରସଙ୍ଗ ଓ ପ୍ରସ୍ତାବକୁ ନେଇ ମେ’ ୨୬ରୁ ୨୮ ତାରିଖ ମଧ୍ୟରେ ଆଇସିସି ଏକ ଟେଲିକନ୍‌ଫରେନ୍‌ସିଂ ଜରିଆରେ ଏ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନେବାକୁ ଯାଉଛି।

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ବ୍ୟତୀ
ତ ଅନ୍ୟ ଏକ ଆଲୋଚ୍ୟ ହେଉଛି ଆଇସିସିର ନୂଆ ଅଧ୍ୟକ୍ଷଙ୍କ ଲାଗି ନିର୍ବାଚନ ଏବଂ ତାଙ୍କ ଭୂମିକା ନିର୍ଧାରଣ। ନିର୍ବାଚନ ତାରିଖ ଧାର୍ଯ୍ୟ ଏବଂ ଏହାର ପ୍ରକ୍ରିୟା ଲାଗୁ କରିବାର ଦାୟିତ୍ବ ମଧ୍ୟ ରହିଛି। ସବୁଠାରୁ ବଡ଼ କଥା ହେଲା ଅଷ୍ଟ୍ରେଲିଆର ଅନ୍ତର୍ଜାତୀୟ ସୀମାରେଖା ସେପ୍ଟେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ବନ୍ଦ। ଯାହାକି ଆଇସିସି ବିଶ୍ବକପ୍‌କୁ ସ୍ଥଗିତ ରଖିବାକୁ ବାଧ୍ୟ କରିବ। ବିଶ୍ବକପ୍‌ ସ୍ଥଗିତ ରହିଲେ ଭାରତ ଆଇପିଏଲ୍‌ ପାଇଁ ମଧ୍ୟ ଗବାକ୍ଷ ପାଇଯିବ ବୋଲି ବିଶ୍ବାସ ରହିଛି। ଏପରିକି ସ୍ବତନ୍ତ୍ର ବିମାନରେ ଇଂଲଣ୍ଡ ବା ୱେଷ୍ଟଇଣ୍ଡିଜ୍‌ରୁ ଖେଳାଳିଙ୍କୁ ଆଣି ଆଇପିଏଲ୍‌ ଆୟୋଜନ ଚିନ୍ତା କରିପାରେ। ଅଗଷ୍ଟ ମାସରେ ଇସିବି ଏଭଳି ଭାବେ ପାକିସ୍ତାନ ଦଳକୁ ନେଇ ଇଂଲଣ୍ଡରେ ଟେଷ୍ଟ୍ ଶୃଙ୍ଖଳା ଖେଳିବା ଯୋଜନା କରିଛି।

ବିଶ୍ବକପ୍‌ଠୁ ଆଇପିଏଲ୍‌ ଅଗ୍ରାଧିକାର ନ ପାଉ: ବର୍ଡର
ମୁମ୍ବାଇ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଲାନ୍ ବର୍ଡର କହିଛନ୍ତି, ‘ ଆଇପିଏଲ୍‌ ଅର୍ଥ ରୋଜଗାର ଭଳି ପ୍ରତିଯୋଗିତାଟିଏ ମାତ୍ର, ଏହାକୁ ଚଳିତ ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌ଠାରୁ ଅଧିକ ଅଗ୍ରାଧିକାର ପ୍ରଦାନ କରାନଯାଉ।’ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସ୍ଥଗିତ ରହିବା ସମ୍ଭାବନା ରହିଥିବା ବେଳେ ‌ସେହି ସମୟରେ ବିସିସିଆଇ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ କରାଇବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବର୍ଡର କହିଛନ୍ତି। ମୁଁ ଆଦୌ ଖୁସି ନୁହେଁ ଯେ ଏକ ସ୍ଥାନୀୟ ପ୍ରତିଯୋଗିତା କିଭଳି ବିଶ୍ବ ପ୍ରତିଯୋଗିତାଠାରୁ ଅଧିକ ଗୁରୁତ୍ବ ପାଇବ! ଯଦି ଟ୍ବେଣ୍ଟି-୨୦ ବିଶ୍ବକପ୍‌ କରାଯାଇପାରିବ ନାହିଁ ତେବେ ଆଇପିଏଲ୍‌ କିଭଳି ହେବ? ଆଇପିଏଲ୍‌ କେବଳ ଏକ ଅର୍ଥ ଝାମ୍ପିବାର ପ୍ରତିଯୋଗିତାଟିଏ ନୁହେଁ କି ବୋଲି ବର୍ଡର ମଧ୍ୟ ପ୍ରଶ୍ନ କରିଥିଲେ। ଆଇସିସି ରାଜସ୍ବର ବଡ଼ ଭାଗ ଭାରତ ପ୍ରଦାନ କରୁଥିବାରୁ ବିସିସିଆଇ ନିଜସ୍ବ କଥା ରଖିବାରେ ସକ୍ଷମ ହେଉଛି। ଭାରତ ଖେଳକୁ ପରିଚାଳନା କରୁଛି, ତାହାର ଅର୍ଥ ନୁହେଁ ଯେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାର ବିକଳ୍ପ ଅନ୍ୟ ଏକ ଆଞ୍ଚଳିକ ପ୍ରତିଯୋଗିତା ହୋଇପାରିବ। ଏଭଳି ହେଲେ ସବୁକିଛି ଭୁଲ ବାଟରେ ଚାଲିଯିବ’ ବୋଲି ପ୍ରକାଶ କରିଥିଲେ ଏହି ୬୪ ବର୍ଷୀୟ ପୂର୍ବତନ ବ୍ୟାଟ୍‌ସମ୍ୟାନ।

ବିଶ୍ବକପ୍‌ ପାଇଁ ଆଇପିଏଲ୍‌କୁ ସ୍ଥଗିତ ରଖିବାକୁ ଚାହିଁବନି ବିସିସିଆଇ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ୱେଣ୍ଟି-୨୦ ବିଶ୍ୱକପ୍‌କୁ ସ୍ଥଗିତ ରଖିବାକୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପଛଘୁଞ୍ଚା ଦେବ ନାହିଁ। କିନ୍ତୁ ଅକ୍ଟୋବର/ ନଭେମ୍ବରରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ କରିବାକୁ ଚିନ୍ତା କରିପାରେ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ଚଳିତ ବର୍ଷ ଆଇପିଏଲ୍‌ରୁ ବିସିସିଆଇ ପାଖାପାଖି ୫୩୦ ନିୟୁତ ଡଲାର ରୋଜଗାର କରିବାର ଥିଲା। ହେଲେ କରୋନା ପାଇଁ ଏହା ସ୍ଥଗିତ ରହିଥିଲା ବେଳେ ଅକ୍ଟୋବର ୧୮ ତାରିଖରୁ ଅଷ୍ଟ୍ରେଲିଆରେ ଆୟୋଜିତ ହେଉଥିବା ବିଶ୍ବକପ୍‌ ମଧ୍ୟ ବିପଦରେ ରହିଛି। କିନ୍ତୁ ଆଇପିଏଲ୍‌ ଆୟୋଜନ ଲାଗି ବିଶ୍ବକପ୍‌ ସ୍ଥଗିତ ରଖିବାକୁ ବିସିସିଆଇ ପଛାଇବ ନାହିଁ ବୋଲି ଅଷ୍ଟ୍ରେଲୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଆସନ୍ତା ସପ୍ତାହରେ ବିଶ୍ବକପ୍‌ ପାଇଁ ଆଇସିସିର ଜରୁରିକାଳୀନ ବୈଠକ ବସିବାର ରହିଛି। ଏଥିରେ ବିଶ୍ବକପ୍‌ ସ୍ଥଗିତ ରଖିବା ଲାଗି ଭାରତ ସୁପାରିଶ କରିବ ନାହିଁ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମାଲ କହିଛନ୍ତି। ଆମେ ବୈଠକରେ ବିଶ୍ବକପ୍‌ ଉପରେ ଆଲୋଚନା କରିବୁ। ଅଷ୍ଟ୍ରେଲିଆ ଯଦି ଚାହିଁବ ବିଶ୍ବକପ୍‌ ଆୟୋଜନ କରିପାରିବ। ବିସିସିଆଇ କୌଣସି ପ୍ରକାର ପ୍ରସ୍ତାବ ରଖିବନି ବୋଲି ଧୁମାଲ କହିଛନ୍ତି। ପ୍ରତିଯୋଗିତାରେ ଖେଳିବା ଲାଗି ଦଳଗୁଡ଼ିକୁ ଅନୁମତି ଦେବା ଅଷ୍ଟ୍ରେଲିଆ ସରକାରଙ୍କ ଉପରେ ନିର୍ଭର କରେ। ବିନା ଦର୍ଶକରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ବିଶ୍ବକପ୍‌ ଆୟୋଜନ କରିବ କି କ’ଣ, ଏହା ସେମାନଙ୍କ ଉପରେ ନିର୍ଭର ବୋଲି ଧୁମାଲ କହିଛନ୍ତି। ଆମେ ଏବେ କିଛି ସ୍ପଷ୍ଟ କରିପାରିବୁନି। କିନ୍ତୁ ପରିସ୍ଥିତିରେ ଉନ୍ନତି ହେଲେ, ଯାହା ସମ୍ଭବ ତାହା କରିବୁ। ‌େଶଷ ନିଷ୍ପତ୍ତି ଆଇସିସିର ବୋଲି ଶୁକ୍ରବାର ‘ସିଏ’ ମୁଖ୍ୟ କାର୍ଯ୍ୟନିର୍ବ‌ାହୀ କେଭିନ ରବର୍ଟସ କହିଛନ୍ତି। ଆଇପିଏଲ୍‌ ନେଇ ଆମର ‌ଯୋଜନା ଜାରି ରହିଛି। ଯଦି ସୁବିଧା ହେବ ନିଶ୍ଚିତ ଏହା ଆୟୋଜିତ ହେବ ବୋଲି ଧୁମାଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe