ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଇଂଲଣ୍ଡ-ପାକିସ୍ତାନ ଫାଇନାଲ୍‌ ଆଜି

ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଇଂଲଣ୍ଡ-ପାକିସ୍ତାନ ଫାଇନାଲ୍‌ ଆଜି

ମେଲବର୍ଣ୍ଣ: ୪ ସପ୍ତାହ ଧରି ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍ ମ୍ୟାଚ୍‌ ରବିବାର ଖେଳାଯିବ। ଟ୍ବେଣ୍ଟି-୨୦ ଫର୍ମାଟ୍‌ର ଦୁଇ ବଡ଼ ଦଳ ଇଂଲଣ୍ଡ ଓ ପାକିସ୍ତାନ ପରସ୍ପରକୁ ଭେଟିବେ ଏହି ସ୍ବପ୍ନର ଫାଇନାଲ୍‌ରେ। ଐତିହାସିକ ମେଲବର୍ଣ୍ଣ ଷ୍ଟାଡିୟମ୍‌ ବି ପ୍ରସ୍ତୁତ ହୋଇଛି ଏକ ମେଗା ଓ ରୋମାଞ୍ଚକ ଫାଇନାଲ୍‌ର ପ୍ରତିଶ୍ରୁତି ସହିତ। ବର୍ଷା କିନ୍ତୁ ସବୁ ଉତ୍ସବକୁ ବିଗାଡ଼ିବ ବୋଲି ଧମକ ଦେଇଛି। ଉଭୟ ପାକିସ୍ତାନ ଓ ଇଂଲଣ୍ଡ ଚମତ୍କାର ଢଙ୍ଗରେ ଫାଇନାଲ୍ ଆସିଛନ୍ତି। ସୁପର୍‌ ୧୨ ପର୍ଯ୍ୟାୟରେ ଦୁର୍ବଳ ଜିମ୍ବାୱେ ନିକଟରୁ ପାକିସ୍ତାନ ଏବଂ ପଡ଼ୋଶୀ ଆୟର୍ଲାଣ୍ଡ୍ ନିକଟରୁ ଇଂଲଣ୍ଡ ହାରିଯିବା ସତ୍ତ୍ବେ ଏବେ ବିଶ୍ବକପ୍‌ ଜିତିବାଠାରୁ ଗୋଟିଏ ମ୍ୟାଚ୍‌ ଦୂରରେ ରହିଛନ୍ତି। ସେମିଫାଇନାଲ୍‌ରେ ମଧ୍ୟ ଦୁଇ ଦଳ ସମାନ ଷ୍ଟାଇଲ୍‌ରେ ସହଜରେ ପଶ୍ଚାତଧାବନ କରି ଜିତି ନିଜ ନିଜ ଆତ୍ମବିଶ୍ବାସକୁ ଉଚ୍ଚରେ ରଖିଛନ୍ତି। ପ୍ରଥମ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପାକିସ୍ତାନ ୭ ୱିକେଟ୍‌ରେ ହରାଇଥିବା ବେଳେ ଦ୍ବିତୀୟ ସେମିଫାଇନାଲ୍‌ରେ ଭାରତକୁ ୧୦ ୱିକେଟ୍‌ରେ ମାତ୍‌ ଦେଇଥିଲା ଇଂଲଣ୍ଡ।

ବ୍ୟାଟିଂ, ବୋଲିଂ ଏବଂ ଫିଲ୍‌ଡିଂରେ ସନ୍ତୁଳନ ରକ୍ଷା କରିପାରୁଥିବା ଦଳ‌ ଯେ ରବିବାରର ଫାଇନାଲ୍ ମ୍ୟାଚ୍‌ ଜିତିବ ଏଥିରେ କେହି ଦ୍ବିମତ ନୁହଁନ୍ତି। ଇଂଲଣ୍ଡର ବ୍ୟାଟିଂ ବନାମ ପାକିସ୍ତାନର ବୋଲିଂ ନିଶ୍ଚିତ ମୁଖ୍ୟ ଲଢ଼େଇ ହେବ। ସମସ୍ତ କୌଶଳକୁ ପଛରେ ପକାଇ ପାକିସ୍ତାନ ନିଶ୍ଚିତ ପ୍ରତିଟି ମ୍ୟାଚ୍‌ରେ ନିଜକୁ ଦୃଢ଼ କରିପାରିଥିଲା। ଟ୍ବେଣ୍ଟି-୨୦ କ୍ରିକେଟ୍ ସହ ଇଂଲଣ୍ଡ ଅଙ୍ଗାଙ୍ଗିଭାବେ ଜଡ଼ିତ ଥିବାରୁ ଏହି ଦଳ ନିକଟରେ ଅଧିକ ଅଭିଜ୍ଞତା ରହିଛି। ଦାୱିଦ ମଲାନ ଓ ମାର୍କ ଉଡ୍‌ ଆହତ ତାଲିକାକୁ ଚାଲିଯିବା ପରେ ଇଂଲଣ୍ଡ ସାମାନ୍ୟ ଦୁର୍ବଳ ରହିଥିଲା। ଭାରତ ବିପକ୍ଷ ସେମିଫାଇନାଲ୍‌ରେ କିନ୍ତୁ ଏହାର ଅଭାବ ଅନୁଭବ କରିନଥିଲା ଇଂଲଣ୍ଡ। ମାର୍କ ଉଡ୍‌ଙ୍କ ବଦଳରେ ଆସି ‌କ୍ରିସ୍ ଜୋର୍ଡାନ ମ୍ୟାଚ୍‌ ବିଜୟୀ ବୋଲିଂ କରିଥିଲେ। ଜୋସ୍ ବଟଲର୍‌-ଆଲେକ୍ସ ହେଲ୍ସ ଅତୁଟ ପ୍ରଥମ ୱି‌କେଟ୍‌ରେ ୧୭୦ ରନ୍ ସଂଗ୍ରହ କରି ମଲାନଙ୍କ ଅନୁପସ୍ଥିତିର ସୁଯୋଗ ବି ଦେଇନଥିଲେ। ପ୍ରତିଯୋଗିତା‌ର ପ୍ରତିଟି ମ୍ୟାଚ୍‌ କ୍ରମେ ଉଭୟ ଦଳ ଏକାଠି ଲଢ଼ିବାର ଚରିତ୍ର ଦେଖାଇ ଏବେ ବିଶ୍ବକପ୍‌କୁ ହାତପାହାନ୍ତାରେ ପାଇଛନ୍ତି। କେବଳ ତୋଳି ଧରିବାର ସୌଭାଗ୍ୟ କେଉଁ ଦଳ ପାଉଛି ଦେଖିବାକୁ ରହିଛି।

୧୯୯୨ ଦିନିକିଆ ବିଶ୍ବକପ୍‌ର ଅବିକଳ ପରିସ୍ଥିତି ଆସିଛି। ୩୦ ବର୍ଷ ତଳେ ପାକିସ୍ତାନ ବିଦାୟ ବେଳାରୁ ବାହାରି ଫାଇନାଲ୍‌ରେ ପହଞ୍ଚିଥିଲା। ୨୨ ରନ୍‌ରେ ଇଂଲଣ୍ଡକୁ ହରାଇ ବିଜେତା ହୋଇଥିଲା। ଇମ୍ରାନ୍ ଖାନ୍‌ଙ୍କ ଦଳର ସେହି ସ୍ମୃତିକୁ ଦୋହରାଇବା ଆଶାରେ ରହିଛନ୍ତି ବାବର ଆଜମଙ୍କ ବାହିନୀ। ଜୋସ୍ ବଟଲରଙ୍କ ଦଳର ଅଧିକାଂଶ ଖେଳାଳି ଅଷ୍ଟ୍ରେଲିଆରେ ବିଗ୍‌ବାସ୍ ଲିଗ୍‌ ଖେଳୁଥିବାରୁ ସେମାନଙ୍କ ପାଇଁ ଏହା ଦ୍ବିତୀୟ ଘର ଭଳି ରହିଛି। ଉଭୟ ଦଳ ମଧ୍ୟ ୧୨/୧୩ ବର୍ଷ ତଳେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିଥିବାରୁ ଦ୍ବିତୀୟ ଥର ଏହି ମୁକୁଟ ଲକ୍ଷ୍ୟରେ ଅଛନ୍ତି। ୨୦୦୯ରେ ପାକିସ୍ତାନ ଏବଂ ୨୦୧୦ରେ ଇଂଲଣ୍ଡ ଥରେ ଲେଖାଏଁ ଏହି ଫର୍ମାଟର ବିଶ୍ବକପ୍‌ ଜିତିଥିଲେ। ତୃତୀୟ ଥର ପାଇଁ କିନ୍ତୁ ଏହି ଫର୍ମାଟ ବିଶ୍ବକପ୍‌ ଫାଇନାଲ୍ ଖେଳିବେ ଏହି ଦୁଇ ଦେଶ। ଥରେ ଲେଖାଏଁ ବିଜେତା ଓ ଉପବିଜେତା ରହିଛନ୍ତି ପାକିସ୍ତାନ ଓ ଇଂଲଣ୍ଡ। ଇଂଲଣ୍ଡ ଜିତିଲେ କିନ୍ତୁ ପ୍ରଥମ ଦେଶ ଭାବେ ଏକକାଳୀନ ଦିନିକିଆ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ରଖିବାର ଗୌରବ ପାଇବ।

ଆଦିଲ ରସିଦ୍ ଇଂଲଣ୍ଡ ପାଇଁ ମୁଖ୍ୟ ଅସ୍ତ୍ର ହେବେ ବୋଲି ବିଶ୍ବାସ କରାଯାଉଛି। ଏହି ଲେଗ୍ ସ୍ପିନର୍‌ ଉଭୟ ପାକିସ୍ତାନୀ ଓପନର୍‌ ବାବର ଆଜମ (୩) ଓ ମହମ୍ମଦ ରିଜୱାନ (୨)ଙ୍କୁ ୫ ଥର ଆଉଟ୍ କରିଛନ୍ତି। ତଥାପି ଏହି ପାକିସ୍ତାନ ଯୋଡ଼ି ଇଂଲଣ୍ଡ ବିପକ୍ଷରେ ଭଲ ହାରାହାରି ଓ ଷ୍ଟ୍ରାଇକରେଟ୍‌ରେ ବ୍ୟାଟିଂ କରିଛନ୍ତି। ପାକିସ୍ତାନର ବୋଲିଂ କିନ୍ତୁ ସାମଗ୍ରିକ ଭାବେ ଉନ୍ନତ ରହିଛି। ଏହି ଦଳ ବିପକ୍ଷରେ ଚଳିତ ବିଶ୍ବକପ୍‌ରେ କୌଣସି ଦେଶ ୧୬୦ରୁ ଊର୍ଧ୍ବ ସ୍କୋର୍‌ କରିନାହାନ୍ତି। ଅନ୍ୟତମ ବ୍ୟକ୍ତିଗତ ମୁକାବିଲାରେ ଆଲେକ୍ସ ହେଲ୍ସଙ୍କ ବିପକ୍ଷରେ ହାରିସ ରୌଫ ଦେଖିବାକୁ ମିଳିବେ। ୧୭ ବଲ୍‌ ମୁକାବିଲାରେ ହେଲ୍ସ ୧୦୦ ଷ୍ଟ୍ରାଇକ୍ ରେଟ୍‌ରେ ବ୍ୟାଟିଂ କରି ମାତ୍ର ଥରେ ଆଉଟ୍ ହୋଇଛନ୍ତି। ସାମ କରନଙ୍କ ଉପରେ କିନ୍ତୁ ଇଂଲଣ୍ଡର ବୋଲିଂ ଭାଗ୍ୟ ବିଶେଷ ନିର୍ଭର କରିବ।
ପ୍ରତିକୂଳ ପାଗ: ବର୍ଷାର ଖେଳ ଅନେକମାତ୍ରାରେ ଏହି ବିଶ୍ବକପ୍‌କୁ ପ୍ରଭାବିତ କରିଛି। ଏକାଧିକ ମ୍ୟାଚ୍‌ ଧୋଇଯାଇଥିବା ବେଳେ କିଛି ମ୍ୟାଚ୍‌ରେ ମଧ୍ୟ ଡିଏଲ୍‌ ନିର୍ଣ୍ଣାୟକ ‌ସାବ୍ୟସ୍ତ ହୋଇଛି। ସବୁଠୁ ଖରାପ ଖବର ହେଉଛି ରବିବାରର ଫାଇନାଲ୍ ଏବଂ ସୋମବାରର ସଂରକ୍ଷିତ ଦିବସ ପାଇଁ ପ୍ରବଳ ବ‌ର୍ଷାର ପୂର୍ବାନୁମାନ କରିଛି ଅଷ୍ଟ୍ରେଲିଆ ପାଣିପାଗ ବିଭାଗ। ମ୍ୟାଚ୍‌ ଆରମ୍ଭ ସମୟ (ଅପରାହଣ୍‌ ୧.୩୦) ବେଳକୁ ବର୍ଷାର ସମ୍ଭାବନା ୮୦ ପ୍ରତିଶତ ରହିଛି। ଏଭଳି ପରିସ୍ଥିତିରେ ଓଭର ହ୍ରାସ କରାଯାଇ ଅନ୍ୟୁନ ୧୦ ଓଭର ବିଶିଷ୍ଟ ମ୍ୟାଚ୍‌ କରାଯାଇପାରିବ। ନତୁବା ସୋମବାର ମ୍ୟାଚ୍‌ ଶେଷ କରିବା ଯୋଜନା ରହିଛି। ସଂରକ୍ଷିତ ଦିବସ ‌ଖେଳ ସମୟ ପାଇଁ ୨ ଘଣ୍ଟା ପରିବର୍ତେ ୪ ଘଣ୍ଟାକୁ ଶନିବାର ଆଇସିସି ବୃଦ୍ଧି କରିଛି। ସାଧାରଣ ମ୍ୟାଚ୍‌ରେ ଫଳାଫଳ ପାଇଁ ଅନ୍ୟୁନ ୫ ଓଭରର ଆବଶ୍ୟକତା ରହିଛି। ଆଇସିସି ପ୍ରତିଯୋଗିତାର ନକ୍ ଆଉଟ୍ ମ୍ୟାଚ୍ ପାଇଁ କିନ୍ତୁ ଏହା ୧୦ ଓଭର ରହିଛି। ସଂରକ୍ଷିତ ଦିବସକୁ ମ୍ୟାଚ୍‌ ଗଲେ ଏହା ଭାରତୀୟ ସମୟ ୯.୩୦ରେ ଖେଳାଯିବ। ଉଭୟ ଦିନ ଖେଳ ହୋଇନପାରିଲେ ଦୁଇ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବ।

ମୁହାଁମୁହିଁ: ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ହେଉ କି ଏହାର ବିଶ୍ବକପ୍‌ ଇଂଲଣ୍ଡର ପ୍ରାଧାନ୍ୟ ରହିଛି ଅତୀତ ମୁକାବିଲାଗୁଡିକରେ। ଅନ୍ତର୍ଜାତୀୟ ମୁକାବିଲାରେ ଇଂଲଣ୍ଡ ୧୮-୯ରେ, ବିଶ୍ବକପ୍‌ରେ ୨-୦ରେ ରହିଛି ଆଗୁଆ। ୨୦୧୯ ପରଠାରୁ କିନ୍ତୁ ବ୍ୟବଧାନ ବିଶେଷ ନାହିଁ। ଇଂଲଣ୍ଡ ୮-୫ରେ ମଧ୍ୟ ଆଗୁଆ ରହିଛି। ବିଶ୍ବକପ୍‌ ଖେଳିବାକୁ ଆସିବା ପୂର୍ବରୁ ସେପ୍ଟେମ୍ବର-ଅକ୍ଟୋବରରେ ଦୁଇ ଦେଶ ମଧ୍ୟରେ ଏକ ୭ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯାଇଥିଲା ପାକିସ୍ତାନରେ। ପଛୁଆ ପଡ଼ିଯିବା ସତ୍ତ୍ବେ ଇଂଲଣ୍ଡ ଏହାକୁ ୪-୩ରେ ଜିତିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ଏହି ଶୃଙ୍ଖଳା ଉଭୟ ଦଳର ଶକ୍ତି ଓ ସାମର୍ଥ୍ୟ ସହ ପରସ୍ପରକୁ ପରିଚିତ ରଖିଥିବାରୁ ବିଶ୍ବକପ୍‌ ଫାଇନାଲ୍ ରୋମାଞ୍ଚକ ପ୍ରତିଶ୍ରୁତ ରଖିଛି।

ଇଂଲଣ୍ଡ ସମ୍ଭାବ୍ୟ ୧୧: ଜୋସ୍ ବଟଲର୍‌ (ଅଧିନାୟକ), ଆଲେକ୍ସ ହେଲ୍ସ, ଫିଲ୍ ସଲ୍ଟ, ବେନ୍ ‌ଷ୍ଟୋକ୍ସ, ଲିଆମ୍‌ ଲିଭିଙ୍ଗଷ୍ଟୋନ୍, ମୋଇନ୍ ଅଲୀ, ହାରି ବ୍ରୁକ, ସାମ କରନ୍‌, କ୍ରିସ୍‌ ୱକ୍ସ, କ୍ରିସ୍ ଜୋର୍ଡାନ୍‌, ଆଦିଲ୍ ରସିଦ୍‌।

ପାକିସ୍ତାନ ସମ୍ଭାବ୍ୟ ୧୧: ମହମ୍ମଦ ରିଜୱାନ, ବାବର ଆଜମ (ଅଧିନାୟକ), ମହମ୍ମଦ ହାରିସ୍‌, ଶାନ୍ ମାସୁଦ, ଇଫତିକାର ଅହମ୍ମଦ, ସଦାବ ଖାନ୍, ମହମ୍ମଦ ନୱାଜ, ମହମ୍ମଦ ୱାସିମ୍‌ ଜୁନିୟର୍‌, ସାହିନ ସାହା ଆଫ୍ରିଦି, ନସିମ୍ ସାହା, ହାରିସ ରୌଫ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe