ଫାଇନାଲ୍‌ରେ ଭାରତଧୂଳି ଚାଟିଲା ପାକିସ୍ତାନ : ଭାରତ ୨୦୩ ରନ୍‌ରେ ବିଜୟୀ

Advertisment

ଶୁଭମନଙ୍କ ଶତକ

ଶୁଭମନଙ୍କ ଶତକ

ଫାଇନାଲ୍‌ରେ ଭାରତଧୂଳି ଚାଟିଲା ପାକିସ୍ତାନ : ଭାରତ ୨୦୩ ରନ୍‌ରେ ବିଜୟୀ

କ୍ରିଷ୍ଟଚର୍ଚ: ଭାରତ-ପାକିସ୍ତାନ ଲଢ଼େଇ ଥିବାରୁ ପ୍ରଶଂସକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବା ଆଶାରେ ଥିଲେ। ହେଲେ ଏହି ଆଶା ଆଶାରେ ରହିଗଲା। ଭାରତୀୟ ଖେଳାଳିମାନେ ପରମ ତଥା ପୁରୁଣା ଶତ୍ରୁ ପାକିସ୍ତାନକୁ ଦଳି ମଚକି ଏକବାର ରସାତଳକୁ ଠେଲିଦେଲେ। ଲଗାତାର ଓ୍ଵିକେଟ୍‌ ହରାଇ ଚାଲିଥିବା ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ସେମାନେ ସୁଦୁର ନ୍ୟୁଜିଲାଣ୍ଡରେ ପାଣି ପିଇବାକୁ ବି ସୁଯୋଗ ଦେଲେନି। ଭାରତ ଆକ୍ରମଣରେ ଘାଇଲା ହୋଇ ପାକ୍‌ ଖେଳାଳିମାନେ ବିନା ଲଢ଼େଇରେ ଆତ୍ମସମର୍ପଣ କଲେ। ସେପଟେ ଭାରତୀୟ ଖେଳାଳି ୨୦୩ ରନ୍‌ର ଜବରଦସ୍ତ ଏବଂ ଏକତରଫା ବିଜୟ ହାସଲ କରି ଫାଇନାଲରେ ସ୍ଥାନ ସୁରକ୍ଷିତ କରିନେଲେ।

ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ସୋମବାର ସୁଦ୍ଧା ଅପରାଜେୟ ଥିବା ପୂର୍ବ ବିଜେତା ପାକିସ୍ତାନ ମାତ୍ର ୬୯ ରନ୍‌ରେ ଅଲଆଉଟ୍‌ ହୋଇ ଲଜ୍ଜାଜନକ ଭାବେ ବିଦାୟ ନେଲା। ଅନ୍ୟପଟେ ଶୁଭମନ୍‌ ଗିଲ୍‌ଙ୍କ ଚିତ୍ତାକର୍ଷକ ଶତକ ( ୧୦୨* ରନ୍‌, ୯୪ ବଲ୍‌, ୭ ଚୌକା) ସହ ଈଶାନ ପୋରେଲ (୬-୨-୧୭-୪)ଙ୍କ ଅଗ୍ନିବର୍ଷୀ ବୋଲିଂ ହିଁ ଭାରତକୁ ଫାଇନାଲ୍‌ ଟିକେଟ୍‌ ଦେଲା। ଆଇପିଏଲ୍‌ ନିଲାମରେ ୩ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିବା ଦ୍ରୁତ ବୋଲର ଶୁଭମ ମାଭୀ ନିୟମିତ ୧୪୦ କିଲୋମିଟରରୁ ଅଧିକ ବେଗରେ ବଲ୍‌ ପକାଇବା ସହ ନିଜ ପ୍ରଥମ ତିନି ଓଭର ମେଡେନ୍‌ ନେଇ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲେ।

ଯାହାର ଲାଭ ପୋରେଲଙ୍କୁ ମିଳିଥିଲା। ପାକିସ୍ତାନର ପ୍ରଥମ ୪ ବ୍ୟାଟ୍ସମ୍ୟାନଙ୍କୁ କେବଳ ୨୮ ରନ୍‌ରେ ପାଭିଲିୟନ ଫେରାଇ ସେ ଭାରତ ବିଜୟକୁ ସୁନିଶ୍ଚିତ କରି ଦେଇଥିଲେ। ଭାରତ ୨୭୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ପାକିସ୍ତାନ ୬୯ ରନ୍‌ରେ ଅଲଆଉଟ୍‌ ହୋଇ ଶୋଚନୀୟ ପରାଜୟ ବରଣ କରିଥିଲା। ଶତକୀୟ ପାଳି ପାଇଁ ଶୁଭମନ କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶନିବାରର ଫାଇନାଲରେ ଭାରତ ପ୍ରତିଯୋଗିତାର ଅନ୍ୟତମ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ଭେଟିବ। ଅଷ୍ଟ୍ରେଲିଆ ସୋମବାରର ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନକୁ ୬ ଓ୍ଵିକେଟ୍‌ରେ ହରାଇ ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲା।
କ୍ରିଷ୍ଟଚର୍ଚରେ ଭାରତ ଟସ୍‌ ଜିତି ବ୍ୟାଟିଂ କରିବା ପରେ ଅଧିନାୟକ ପୃଥ୍ଵୀ ସ’ (୪୧) ଓ ମନଜିତ କାଲ୍ରା (୪୭) ୮୯ ରନ୍‌ର ଦୃଢ଼ ମୂଳଦୁଆ ପକାଇଥିଲେ। ଉଭୟ କିନ୍ତୁ ଅର୍ଧଶତକ ଅର୍ଜନ କରିପାରି ନଥିଲେ। ସ’ ଦୁଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇ ଯାଇଥିଲେ। ଅନ୍ୟ ପକ୍ଷରେ କାଲ୍ରା ଅର୍ଧଶତକର ୩ ରନ୍‌ ପୂର୍ବରୁ ମହମ୍ମଦ ମୁସାଙ୍କ ଶିକାର ହୋଇଥିଲେ। ଶୁଭମନଙ୍କ ଶତକ ହିଁ ଥିଲା ଭାରତ ପାଳିର ମେରୁଦଣ୍ଡ। ସେହିଭଳି ଶେଷ ଆଡ଼କୁ ଅଙ୍କୁର ରାଏଙ୍କ ୩୩ ରନ୍‌ ମଧ୍ୟ ଭାରତକୁ ନିର୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୨୭୨ ରନ୍‌ କରିବାରେ ବେଶ୍‌ ସହାୟକ ହୋଇଥିଲା।

୨୭୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ପାକିସ୍ତାନ କେବେବି ବିଜୟ ପାଇଁ ଖେଳୁଥିଲା ଭଳି ମନେ ହୋଇ ନଥିଲା। ପୋରେଲ ଏହି ଦଳର ପ୍ରଥମ ୪ ବ୍ୟାଟ୍ସମ୍ୟାନଙ୍କୁ ଶିକାର କରିବା ପରେ ଶିବା ସିଂହ ଓ ରିଆନ ପରାଗ ଦୁଇ ଓ୍ଵିକେଟ୍‌ ଲେଖାଏଁ ବାଣ୍ଟି ନେଇଥିଲେ। ଫଳରେ ପାକିସ୍ତାନ ପାଳି ୨୯.୩ ଓଭରରେ ଶେଷ ହୋଇ ଯାଇଥିଲା। ଏପରିକି ଚଳିତ ଥର ବିଶ୍ୱ ମୁକୁଟ ପିନ୍ଧିବ ବୋଲି ବାହାସ୍ପଟ ମାରୁଥିବା ପାକିସ୍ତାନର ୧୧ ଜଣ ଯାକ ଖେଳାଳି ମିଶି ତିନି ଅଙ୍କ ଛୁଇଁ ପାରି ନଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ୫୦ ଓଭରରେ ୨୭୨/୯ (ଶୁଭମନ ଗିଲ ୧୦୨*, ମନୋଜ କାଲ୍ରା ୪୭, ପୃଥ୍ଵୀ ସ’ ୪୧, ଅଙ୍କୁଲ ରାଏ ୩୩, ମହମ୍ମଦ ମୁସା ୪/୬୭। ପାକିସ୍ତାନ ୨୯.୩ ଓଭରରେ ୬୯ (ରୋହେଲେ ନାଜିର ୧୮, ସାଦ୍‌ ଖାନ୍‌ ୧୫, ଈଶାନ ପୋରେଲ ୪/୧୭, ଶିବା ସିଂହ ୨/୨୦, ରିଆନ ପରାଗ ୨/୬)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe