ହକିରେ ଭାରତ-୪, ଇଂଲଣ୍ଡ-୪

Advertisment
ହକିରେ ଭାରତ-୪, ଇଂଲଣ୍ଡ-୪

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ହକି ଦଳ ଆଶ୍ଚର୍ଯ୍ୟଜନକ ଭାବେ ଏକ ନିଶ୍ଚିତ ବିଜୟ ସୁଯୋଗ ହାତଛଡ଼ା କରିଛି। ତୃତୀୟ କ୍ବାର୍ଟର ସୁଦ୍ଧା ୧-୩ରେ ପଛୁଆ ରହିଥିବା ଆୟୋଜକ ଇଂଲଣ୍ଡ ନାଟକୀୟ ପ୍ରତ୍ୟାବର୍ତ୍ତନ କରି ଶେଷ ୧୮ ମିନିଟ୍‌ରେ ଚାରିଟି ଗୋଲ୍ ଦେବା ସହ ଭାରତ ହାତରୁ ପଏଣ୍ଟ ଛଡ଼ାଇ ନେଇଥିଲା। ଭାରତୀୟ ରକ୍ଷଣଭାଗର ଦୁର୍ବଳତାରୁ ଫାଇଦା ଉଠାଇ ଇଂଲଣ୍ଡ ଚତୁର୍ଥ କ୍ବାର୍ଟରରେ ମାତ୍ର ୩ ମିନିଟ୍ ଭିତରେ ଅସାଧାରଣ ଢଙ୍ଗରେ ତିନିଟି ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା। ଭାରତ ଏହି କ୍ବାର୍ଟରରେ ମାତ୍ର ଗୋଟିଏ ଗୋଲ୍ ଦେବାରୁ ମ୍ୟାଚ୍ ୪-୪ ଗୋଲ୍‌ରେ ଶେଷ ହୋଇଥିଲା। ଫଳରେ ଭାରତ ଲଗାତାର ଦ୍ବିତୀୟ ବିଜୟ ହାସଲ କରିବାକୁ ବଞ୍ଚିତ ହୋଇଥିଲା। ଏକଦା ମ୍ୟାଚ୍‌କୁ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖିଥିବା ଭାରତ ଶେଷ ୧୪ ମିନିଟ୍‌ ଭିତରେ ଖେଳିଥିବା ଦୁର୍ବଳ ହକି ଭାରତୀୟ ପ୍ରଶଂସକଙ୍କୁ ଚକିତ କରିଥିଲା। ଏହା ପୂର୍ବରୁ ଖେଳିଥିବା ନିଜ ପ୍ରଥମ ମୁକାବିଲାରେ ଭାରତ ୧୧-୦ର ବୃହତ୍ ବ୍ୟବଧାନରେ ଘାନାକୁ ପରାସ୍ତ କରିଥିଲା।

ଭାରତ ପକ୍ଷରୁ ମନଦୀପ ସିଂହ (୧୩, ୨୨ ମିନିଟ୍) ଦୁଇଟି ଗୋଲ୍ ଦେଇଥିଲା ବେଳେ ଲଲିତ କୁମାର ଉପାଧ୍ୟାୟ (୨ ମିନିଟ୍) ଏବଂ ଗୋଲ୍‌ ହର୍ମନପ୍ରୀତ ସିଂହ (୪୬ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଲିଆମ ଆନସେଲ (୪୨ ମିନିଟ୍), ନିକୋଲାସ ବଣ୍ଡ୍ରାକ୍ (୪୭, ୫୩ ମିନିଟ୍, ଫିଲ୍ ରୋପର (୫୦ ମିନିଟ୍) ଗୋଲ୍ ଦେଇଥିଲେ।

ସର୍ବବୃହତ୍ ବିଜୟ

ବର୍ମିଂହାମ: ବୃହତ୍ ବିଜୟରୁ ଭାରତୀୟ ପୁରୁଷ ହକି ଦଳ ତା’ର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍‌ରେ ରବିବାର ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଦୁର୍ବଳ ଘାନାକୁ ୧୧-୦ ଗୋଲ୍‌ରେ ଏକତରଫା ଭାବେ ପରାସ୍ତ କରିଥିଲା। ଆରମ୍ଭରୁ ଆକ୍ରମଣ କରି ଭାରତୀୟ ଦଳ ପ୍ରଥମାର୍ଦ୍ଧ ସୁଦ୍ଧା ୫-୦ରେ ଆଗୁଆ ରହିଥିଲା। ସେହିଭଳି ଦ୍ବିତୀୟାର୍ଦ୍ଧରେ ଆଉ ୬ ଗୋଲ୍ ଦେଇ ଏକପାଖିଆ ବିଜୟ ହାସଲ କରିଥିଲା। ଯୁବ ତାରକା ହର୍ମନପ୍ରୀତ ସିଂହ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ମଧ୍ୟ ଏହା ସର୍ବବୃହତ୍ ବିଜୟ। ସେହିଭଳି ରବିବାର ବିଜୟ ଭିତରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୦୦ ଗୋଲ୍ ଦେବାର ମାଇଲଖୁଣ୍ଟ ଅତିକ୍ରମ କରିଥିଲା। ଅନ୍ୟପକ୍ଷରେ ଅଧିନାୟକ ମନପ୍ରୀତ ସିଂହ ଆଜି ତାଙ୍କ ଖେଳ ଜୀବନର ୩୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ (୨୦୧୦, ନୂଆଦିଲ୍ଲୀ) ଭାରତୀୟ ପୁରୁଷ ହକି ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ବେଳେ ଏଥର ସେହି ପ୍ରତୀକ୍ଷିତ ସ୍ବର୍ଣ୍ଣ ସନ୍ଧାନରେ ରହିଛି ଭାରତ। ତେବେ ଏକ୍ଷେତ୍ରରେ ଭାରତକୁ ଅଷ୍ଟ୍ରେଲିଆଠାରୁ ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe